ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାରେ ଭାରତକୁ ବୁଧବାର ଉଭୟ ମିଠାଖଟା ସ୍ବାଦ ମିଳିଛି। ପୁରୁଷ ଦଳ ଜର୍ମାନୀକୁ ହରାଇ ଗତକାଲି ପରାଜୟର ପ୍ରତିଶୋଧ ନେଇଥିଲା ବେଳେ ମହିଳା ଦଳ ସ୍ପେନ୍ ବିପକ୍ଷରେ ପରାଜୟ ଧାରା ଜାରି ରଖିଛି।
ମଙ୍ଗଳବାର ବିଶ୍ବ ବିଜେତା ଜର୍ମାନୀଠୁ ହାରିଥିବା ଭାରତୀୟ ପୁରୁଷ ଦଳ ବୁଧବାର ପ୍ରତ୍ୟାବର୍ତ୍ତନ କରି ପାଲଟା ମ୍ୟାଚ୍କୁ ୧-୦ ଗୋଲ୍ରେ ଜିତିନେଇଛି। ମ୍ୟାଚ୍ର ଚତୁର୍ଥ ମିନିଟ୍ରେ ଗୁର୍ଜାଣ୍ଟ୍ ସିଂହ ଏହି ଗୋଲ୍ଟି ଦେଇଥିଲେ। ସଂପ୍ରତି ଭାରତ ଏହି ୯ ଦଳୀୟ ପ୍ରତିଯୋଗିତାରେ ୪ ମ୍ୟାଚ୍ ଖେଳି ୨ ଲେଖାଏଁ ବିଜୟ ଓ ପରାଜୟରୁ ୬ ପଏଣ୍ଟ୍ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଭାରତ ପରବର୍ତ୍ତୀ ଦୁଇ ମ୍ୟାଚ୍ ଶୁକ୍ରବାର ଓ ଶନିବାର ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ।
ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ ନିଜର ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ହରାଇ ଅଭିଯାନ ଆରମ୍ଭ କରିଥିଲା।
ହେଲେ ଏହା ପରଠୁ ଦଳ ପରାଜୟର ମୁହଁ ଦେଖିବାରେ ଲାଗିଛି। ଇଂଲଣ୍ଡ ବିପକ୍ଷ ପାଲଟା ମ୍ୟାଚ୍ରେ ଭାରତ ସୁଟ୍ଆଉଟ୍ରେ ହାରି ୧ ପଏଣ୍ଟ କରାୟତ୍ତ କରିଥିଲା। ହେଲେ ସ୍ପେନ୍ ବିପକ୍ଷରେ ଏହି ଦଳ ୨ଟି ଯାକ ମ୍ୟାଚ୍ ହାରି ପୂରା ପଏଣ୍ଟ ହାତଛଡ଼ା କରିଛି। ଗତକାଲି ୩-୪ରେ ହାରିଥିବା ଭାରତ ବୁଧବାର ୦-୧ ଗୋଲ୍ରେ ସ୍ପେନ୍ଠୁ ପରାସ୍ତ ହୋଇଛି। କଡ଼ାସଂଘର୍ଷ ପୂର୍ଣ୍ଣ ଏହି ମ୍ୟାଚ୍ର ପ୍ରଥମ ୩ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। ତେବେ ଚତୁର୍ଥ କ୍ବାର୍ଟରରେ ସ୍ପେନ୍ ଅଧିନାୟିକା ମାରିଆ ସେଗୁ (୪୯ ମିନିଟ୍) ଫିଲ୍ଡ ଗୋଲ୍ କରି ଦଳକୁ ବିଜୟ ଭେଟି ଦେଇଥିଲେ। ଭାରତ ଏହି ପ୍ରତିଯୋଗିତାରେ ୪ ମ୍ୟାଚ୍ ଖେଳି ୧ ବିଜୟ, ୧ ସୁଟ୍ଆଉଟ୍ ପରାଜୟ ଓ ୨ ପରାଜୟରୁ ୪ ପଏଣ୍ଟ ପାଇ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି। ବୁଧବାର ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ସ୍ପେନ୍ ପୁରୁଷ ଦଳ ୪-୧ ଗୋଲ୍ରେ ଇଂଲଣ୍ଡକୁ ହରାଇଛି। ଏଥିସହ ସ୍ପେନ୍ ଗତକାଲି ଇଂଲଣ୍ଡଠୁ ସୁଟ୍ଆଉଟ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି।