ଇଣ୍ଡିଆନ୍‌ ଓପନ୍‌ରେ ବିଶ୍ବବିଜେତାଙ୍କୁ ହରାଇଲେ ଲକ୍ଷ୍ୟ: ପ୍ରଥମ ଥର ଟ୍ରଫି ଜିତିଲେ ଲକ୍ଷ୍ୟ ଓ ସାତ୍ତ୍ବିକ-ଚିରାଗ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ତାରକା ଲକ୍ଷ୍ୟ ସେନ୍‌ ଏଠାରେ ଆୟୋଜିତ ଇଣ୍ଡିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପୁରୁଷ ଏକକ ଟ୍ରଫି କରାୟତ୍ତ କରିଛନ୍ତି। ସେହିପରି ଭାରତୀୟ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀ ଯୁଗଳ ଟ୍ରଫି ଜିତି ନେଇଛନ୍ତି। ଉଭୟ ଲକ୍ଷ୍ୟ ଏବଂ ସାତ୍ତ୍ବିକ- ଚିରାଗ ଯୋଡ଼ିଙ୍କର ଏହା ପ୍ରଥମ ଇଣ୍ଡିଆନ୍‌ ଓପନ୍‌ ମୁକୁଟ। ରବିବାର ପୁରୁଷ ଏକକ ଫାଇନାଲ୍‌ରେ ବିଶ୍ବ ମାନ୍ୟତାର ସପ୍ତଦଶ ଲକ୍ଷ୍ୟ ୨୪-୨୨, ୨୧-୧୭ ସିଧାସଳଖ ଗେମ୍‌ରେ ବିଶ୍ବ ବିଜେତା ସିଙ୍ଗାପୁର ତାରକା ଲୋହ କିନ୍‌ ୟି’ଙ୍କୁ ମାତ୍‌ ଦେଇଥିଲେ। ପ୍ରଥମ ଥର ପାଇଁ ବିଶ୍ବ ଟୁର୍‌ ସୁପର ୫୦୦ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ୨୦ ବର୍ଷୀୟ ଲକ୍ଷ୍ୟ ବିଜେତା ହୋଇ ନିଜର ଖୁସିକୁ ଦ୍ବିଗୁଣିତ କରିଛନ୍ତି। ଏହା ପୂର୍ବରୁ ଲକ୍ଷ୍ୟ ଦୁଇଟି ସୁପର ୧୦୦ ଟ୍ରଫି ଜିତିଥିଲେ। ବେଲ୍‌ଜିୟମ୍‌, ସ୍କଟ୍‌ଲାଣ୍ଡ୍‌ ଏବଂ ବାଂଲାଦେଶରେ ତିନିଟି ଆନ୍ତର୍ଜାତିକ ଚ୍ୟାଲେଞ୍ଜର ଟ୍ରଫି ଜିତିଥିବା ଲକ୍ଷ୍ୟ ଡଚ୍‌ ଓପନ୍‌ ଓ ସାର୍‌ଲର୍‌ଲକ୍ସ ଓପନ୍‌ ସୁପର ୧୦୦ ଟ୍ରଫି ନିଜ ନାମରେ ରଖିଛନ୍ତି।

ସେହିପରି ପୁରୁଷ ଯୁଗଳ ଫାଇନାଲ୍‌ରେ ବିଶ୍ବର ଦଶମ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ୨୧-୧୬, ୨୬-୨୪ରେ ୩ ଥରର ବିଶ୍ବବିଜୟୀ ଯୋଡ଼ି ଇଣ୍ଡୋନେସିଆର ମହମ୍ମଦ ଆସାନ ଓ ହେନ୍ଦ୍ରେ ସେତିଆୱାନଙ୍କୁ ପରାସ୍ତ କରିଥିଲେ। ଏଥିସହ ସାତ୍ତ୍ବିକ ଓ ଚିରାଗ ପ୍ରଥମ ଭାରତୀୟ ଯୋଡ଼ି ଭାବେ ଇଣ୍ଡିଅନ୍‌ ଓପନ୍‌ ଜିତିବାର ଗୌରବ ବହନ କରିଥିଲେ। ଏହା ଉଭୟଙ୍କ ଦ୍ବିତୀୟ ସୁପର ୫୦୦ ପ୍ରତିଯୋଗିତା ଟ୍ରଫି। ଏଠାରେ ଦ୍ବିତୀୟ ମାନ୍ୟତା ପାଇଥିବା ଏହି ଯୋଡ଼ି ପୂର୍ବରୁ ୨୦୧୯ ଥାଇଲାଣ୍ଡରେ ଏହି ଟ୍ରଫି ଜିତିଥିଲେ। ସେହି ବର୍ଷ ମଧ୍ୟ ଏମାନେ ଫ୍ରେଞ୍ଚ୍‌ ଓପନ୍‌ ସୁପର ୭୫୦ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିଥିଲେ। ଏହି ଯୋଡ଼ି ମଧ୍ୟ ଗୋଲ୍ଡ ‌କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲା ବେଳେ ୨୦୧୮ରେ ହାଇଦ୍ରାବାଦ ଓପନ୍‌ ସୁପର ୧୦୦ ବିଜେତା ଏବଂ ସୟଦ ମୋଦି ଇଣ୍ଟରନ୍ୟାସ୍‌ନାଲ୍‌ରେ ଉପବିଜେତା ହୋଇଥିଲେ। ଏଥିସହ ଭାରତର ୨୦୧୮ରେ ରାଜ୍ୟଗୋ‌ଷ୍ଠୀ କ୍ରୀଡ଼ା ଐତିହାସିକ ମିଶ୍ରିତ ଦଳଗତ ସ୍ବର୍ଣ୍ଣ ପଦକ ବିଜୟରେ ସାତ୍ତ୍ବିକ ଓ ଚିରାଗଙ୍କ ପ୍ରମୁଖ ଅବଦାନ ରହିଥିଲା।

ସମ୍ବନ୍ଧିତ ଖବର