ଭୁବନେଶ୍ବର: ବେଙ୍ଗାଲୁରୁରେ ଗୁରୁବ‌ାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଇଣ୍ଡିଆ ଓପନ୍‌ ଜାତୀୟ ପାରା ଆଥ୍‌ଲେଟିକ୍ସ ପ୍ରତିଯୋଗିତାର ପ୍ରଥମ ଦିବସରେ ଓଡ଼ିଶାକୁ ୨ ପଦକ ମିଳିଛି। ବେଙ୍ଗାଲୁରୁର ଶ୍ରୀକାନ୍ତୀରଭା ଷ୍ଟାଡିୟମ୍‌ରେ ଚାଲିଥିବା ଏହି ଦୁଇଦିନିଆ ପ୍ରତିଯୋଗିତାରେ ୫ ଦେଶରୁ ମୋଟ ୨୭୨ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଓଡ଼ିଆ ଝିଅ ଜୟନ୍ତୀ ବେହେରା ଟି-୪୭ ବର୍ଗ ୧୦୦ ମିଟରରେ ସ୍ବର୍ଣ୍ଣିମ ସଫଳତା ହାତେଇଥିଲା ବେଳେ ଟି-୪୪ ବର୍ଗ ୧୦୦ ମିଟରରେ ରଶ୍ମିରଞ୍ଜନ ମଲ୍ଲିକ କାଂସ୍ୟ ପଦକ ଜିତିଛନ୍ତି। ଜୟନ୍ତୀ ୧୩.୨୩ ସେକେଣ୍ଡ ସମୟରେ ରେସ୍‌ ଶେଷ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ।

Advertisment

ଏହି ବର୍ଗରେ ଶ୍ରୀଲଙ୍କାର ଦୁଇ ତାରକା କୁମୁଦୁ ପ୍ରିୟଙ୍କା (୧୩.୪୭ ସେକେଣ୍ଡ) ଏବଂ ଜନନୀ ଧନଞ୍ଜୟ (୧୩.୯୦ ସେକେଣ୍ଡ) ଯଥାକ୍ରମେ ‌ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ରଶ୍ମିରଞ୍ଜନ ୧୦୦ ମିଟର ରେସ୍‌କୁ ୧୨.୩୨ ସେକେଣ୍ଡ ସମୟରେ ଶେଷ କରି ତୃତୀୟ ସ୍ଥାନ ପାଇଥିଲେ। ସେ କାଂସ୍ୟ ପଦକ ଜିତିଥିଲା ବେଳେ ମହାରାଷ୍ଟ୍ରର ପ୍ରଣବ ଦେଶାଇ (୧୧.୭୫) ଏବଂ ଶ୍ରୀଲଙ୍କାର ନୁୱାନ ଇନ୍ଦୋକା (୧୧.୭୭) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ।