ଭୁବନେଶ୍ବର : ବେଙ୍ଗାଲୁରୁର ଶ୍ରୀ କାନ୍ତରଭା ଷ୍ଟାଡିୟମ୍ରେ ଚାଲିଥିବା ପଞ୍ଚମ ଇଣ୍ଡିଆନ୍ ଓପନ୍ ପାରା ଆଥ୍ଲେଟିକ୍ସ ଆନ୍ତର୍ଜାତିକ ଚାମ୍ପିଅନ୍ସିପ୍ରେ ଶନିବାର ଓଡ଼ିଶା ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ସହ ୩ ପଦକ ଜିତିଛି। ଫଳରେ ଏହି ପ୍ରତିଯୋଗିତାର ଦୁଇ ଦିନରେ ଓଡ଼ିଶାର ପଦକ ସଂଖ୍ୟା ୬ (୩ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ)ରେ ପହଞ୍ଚିଛି। ଶନିବାର ଓଡ଼ିଶା ପାଇଁ ଜୟନ୍ତୀ ବେହେରା ଓ ପଙ୍କଜ ଭୁଏ ସ୍ବର୍ଣ୍ଣ ଏବଂ ସୁଚିତ୍ରା ପରିଡ଼ା ରୌପ୍ୟ ପଦକ ଜିତିଥିଲେ। ମହିଳା ୪୦୦ ମିଟର ଟି-୧୧/୨୦/୪୭ ମିଳିତ ବର୍ଗରେ ଜୟନ୍ତୀ ସ୍ବର୍ଣ୍ଣ ଜିତିଥିଲେ। ସେ ୧:୦୧.୮୮ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲା ବେଳେ ତାଙ୍କ ପଛକୁ ଲଳିତା କିଲାକା (୧:୧୦.୮୦) ଦ୍ବିତୀୟ ଏବଂ ଈଶ୍ବରୀ ନିଶାଦ (୧:୨୪.୦୬) ତୃତୀୟ ସ୍ଥାନରେ ରହିଥିଲେ।
ପ୍ରଥମ ଦିନ ୧୦୦ ମିଟରରେ ସ୍ବର୍ଣ୍ଣ ଜିତିଥିବା ଜୟନ୍ତୀଙ୍କ ଏହା ଦ୍ବିତୀୟ ସ୍ବର୍ଣ୍ଣିମ ସଫଳତା। ୧୦୦ ମିଟର ଦୌଡ଼ରେ ଗତକାଲି ରୌପ୍ୟ ପଦକ ଜିତିଥିବା ପଙ୍କଜ ଶନିବାର ପୁରୁଷ ଲମ୍ବ ଡିଆଁ ଟି-୧୩ ବର୍ଗରେ ୫.୬୭ ମିଟର ଡେଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ବୋଦ୍ଦୁ ଶ୍ରୀହରି (୫.୩୭ ମିଟର) ରୌପ୍ୟ ଓ ସଚିନ ରାୱାଲ (୫.୦୩ ମିଟର) କାଂସ୍ୟ ପାଇଥିଲେ। ମହିଳା ଜାଭଲିନ ଏଫ୍-୫୫ ବର୍ଗରେ ସୁଚିତ୍ରା ରୌପ୍ୟ ପଦକ ଜିତିଥିଲେ। ସେ ୧୪.୧୦ ମିଟର ଜାଭଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଭାରତର ସାକ୍ଷୀ କାସନ (୧୫.୩୩ ମିଟର) ସ୍ବର୍ଣ୍ଣ ଏବଂ ଫିଲିପାଇନ୍ସର ଜେସେବଲ ଟୋର୍ଡେସିଲା (୧୩.୮୫ ମିଟର) କାଂସ୍ୟ ଜିତିଥିଲେ।