ଭୁବନେଶ୍ବର: ବେଙ୍ଗାଲୁରୁର ଶ୍ରୀ କାନ୍ତିରବା ଷ୍ଟାଡିୟମ୍‌ରେ ଆୟୋଜିତ ପଞ୍ଚମ ଇଣ୍ଡିଆନ୍‌ ଓପନ୍‌ ପାରା ଆଥ୍‌ଲେଟିକ୍ସ ଆନ୍ତର୍ଜାତିକ ଚାମ୍ପିଅନ୍‌ସିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ଶେଷ ଦିନରେ ଓଡ଼ିଶାର ଦୁଇ ତାରକା ଖେଳାଳି ଜୟନ୍ତୀ ବେହେରା ଓ ପଙ୍କଜ ଭୂଏ ‌ଦୁଇଟି ସ୍ବର୍ଣ୍ଣ ଜିତିଛନ୍ତି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ପଦକ ସଂଖ୍ୟା ୮ (୫ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ)ରେ ପହଞ୍ଚିଛି। ପୂର୍ବରୁ ୧୦୦ ଓ ୪୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଥିବା ଭାରତର ତାରକା ସ୍ପ୍ରିଣ୍ଟର ଜୟନ୍ତୀ ମହିଳା ୨୦୦ ମିଟର ଟି-୩୫/୪୬/୪୭ ମିଶ୍ରିତ ବର୍ଗରେ ସ୍ବର୍ଣ୍ଣ ପଦକ କରାୟତ୍ତ କରି ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ୨୦୦ ମିଟରକୁ ଜୟନ୍ତୀ ୨୬.୧୦ ସେକେଣ୍ଡରେ ରେସ୍‌ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ତାଙ୍କ ପଛକୁ ‌ଶ୍ରୀଲଙ୍କାର କୁମୁଦିକା ଧନଞ୍ଜୟ (୨୭.୬୮) ଓ ଜନନୀ ଧନଞ୍ଜୟ (୨୮.୨୬) ରହି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ।

Advertisment

ସେହିଭଳି ପୂର୍ବରୁ ୧୦୦ ମିଟର ରୌପ୍ୟ ଓ ଲମ୍ବ ଡିଆଁରେ ସ୍ବର୍ଣ୍ଣ ଜିତିଥିବା ପଙ୍କଜ ରବିବାର ପୁରୁଷ ୨୦୦ ମିଟର ଟି-୧୩ ବର୍ଗରେ ସ୍ବର୍ଣ୍ଣ ଜିତି ନିଜ ପଦକ ସଂଖ୍ୟାକୁ ୩ରେ ପହଞ୍ଚାଇଥିଲେ। ସେ ୨୦୦ମି ରେସ୍‌କୁ ୨୬.୧୦ ଅତିକ୍ରମ କରି ପ୍ରଥମରେ ରହିଥିଲା ବେଳେ ଅନ୍ୟ ଦୁଇ ଭାରତୀୟ ଭେଙ୍କଟେଶ (୨୭.୭୪) ରୌପ୍ୟ ଓ ବୋଦ୍ଦୁ ଶ୍ରୀହରି (୨୭.୩୭) କାଂସ୍ୟ ପାଇଥି‌ଲେ। ଅନ୍ୟ ଦୁଇ ପଦକ ଜାଭଲିନ୍‌ ଖେଳାଳି ସୁଚିତ୍ରା ପରିଡ଼ା (ରୌପ୍ୟ) ଏବଂ ସଟ୍‌ପୁଟର୍‌ ପ୍ରଫୁଲ୍ଲ ଖଣ୍ଡାୟତରାୟ (କାଂସ୍ୟ) ଜିତିଥିଲେ। ମାର୍କଣ୍ଡ ରେଡ୍ଡୀ (ପାରା ଅଲମ୍ପିଆନ) ଓ ବିଷ୍ଣୁ ପ୍ରସାଦ ମିଶ୍ର ଖେଳାଳିମାନଙ୍କ ସହ ବେଙ୍ଗାଲୁରୁ ଗସ୍ତ କରିଥିଲେ।