ଭୁବନେଶ୍ବର: ବେଙ୍ଗାଲଉରୁର ଶ୍ରୀ କାନ୍ତରଭା ଷ୍ଟାଡିୟମ୍‌ରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ପଞ୍ଚମ ଇଣ୍ଡିଆନ୍‌ ଓପନ୍‌ ପାରା ଆଥ୍‌ଲେଟିକ୍ସ ଆନ୍ତର୍ଜାତିକ ଚାମ୍ପିଅନ୍‌ସିପ୍‌। ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ପ୍ରତିଯୋଗିତାର ପ୍ରଥମ ଦିବସରେ ହିଁ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରୁଥିବା ୪ ଓଡ଼ିଆ ଖେଳାଳିଙ୍କ ମଧ୍ୟରୁ ୩ ଜଣ ପଦକ ହାସଲ କରିଛନ୍ତି। ମହିଳା ୧୦୦ ମିଟର ଟି-୩୫/୪୨/୪୭/୬୨ ମିଳିତ ବର୍ଗରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ସ୍ବର୍ଣ୍ଣିମ ସଫଳତା ହାତେଇଥିଲା ବେଳେ ପୁରୁଷ ୧୦୦ ମିଟର ଟି-୧୩ ବର୍ଗରେ ପଙ୍କଜ ଭୂଏ ରୌପ୍ୟ ଏବଂ ପୁରୁଷ ଏଫ୍‌-୫୪ ସଟ୍‌ପୁଟ୍‌ରେ ପ୍ରଫୁଲ ଖଣ୍ଡାୟତରାୟ କାଂସ୍ୟ ପଦକ ଜିତିଛନ୍ତି। ଜୟନ୍ତୀ ୧୩.୨୮ ଟାଇମିଂ ସହ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ଜିତିଥିଲା ବେଳେ ଶ୍ରୀଲଙ୍କାର କୁମୁଦିକା ଦୟାନି (୧୩.୫୫) ଏବଂ ଭାରତର ପ୍ରୀତି ପାଲ (୧୫.୮୩) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ।

Advertisment

ସେହିପରି ପଙ୍କଜ ୧୨.୩୪ ଟାଇମିଂ ସହ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ଜିତିଥିଲା ବେଳେ ଅନ୍ୟ ଦୁଇ ଭାରତୀୟ ମିତ୍‌ ତଢ଼ାନୀ ସ୍ବର୍ଣ୍ଣ ଏବଂ ଭେଙ୍କଟେଶ୍‌ ନାଗରେଥିନାମ କାଂସ୍ୟ ଜିତିଥିଲେ। ଅନ୍ୟପକ୍ଷରେ ପ୍ରଫୁଲ୍ଲ ୬.୯୧ ମିଟର ସଟ୍‌ପୁଟ ଫିଙ୍ଗି ତୃତୀୟରେ ରହିଥିଲା ବେଳେ ଗ୍ରିସ୍‌ର ଷ୍ଟିଫାନୋଡୁକିସ ଈମାନୌଲି ସ୍ବର୍ଣ୍ଣ ଏବଂ ଭାରତର ଅଭିଷେକ ଚାମୋଲି ରୌପ୍ୟ ପଦକ ହାସଲ କରିଥିଲେ।