ପୁସ୍ତକ ଉନ୍ମୋଚନ ଉତ୍ସବରେ ଭାରତୀୟ ଖେଳାଳି ମାସ୍କ ପିନ୍ଧିନଥିଲେ: ଦୋଶୀ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତର ପଞ୍ଚମ ତଥା ଶେଷ ଟେଷ୍ଟ୍‌ର ଠିକ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ପ୍ରଶିକ୍ଷକ ମଣ୍ଡଳିର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଆସିବାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପୁସ୍ତକ ଉନ୍ମୋଚନ ଉତ୍ସବରୁ ହିଁ ସମସ୍ତେ କରୋନା ସଂକ୍ରମିତ ହୋଇଥିଲେ ବୋଲି ଚର୍ଚ୍ଚା ହୋଇ ଆସୁଛି। ଏବେ ଏହି କଥାକୁ ସ୍ପଷ୍ଟ କରିଛନ୍ତି ପୂର୍ବତନ କ୍ରିକେଟର ଦିଲୀପ ଯୋଶୀ। ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିବା ଦୋଶୀ ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି ଯେ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଁ ଯୋଗଦେଇଥିଲି। ତାଜ୍ ଗ୍ରୁପ୍ ମୋତେ ଏଥିଲାଗି ଆମନ୍ତ୍ରଣ କରିଥିଲା। ବହୁ ମା‌ନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଭାରତୀୟ ଖେଳାଳିମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେମାନେ କିଛି ସମୟ ପାଇଁ ଆସିଥିଲେ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ମାସ୍କ ପିନ୍ଧି ନଥିଲେ। ଏହା ଦେଖି ମୁଁ ଚକିତ ହୋଇଯାଇଥିଲି।

ସୂଚନାଯୋଗ୍ୟ ଯେ ଶାସ୍ତ୍ରୀ ଓ ଅନ୍ୟମାନେ କରୋନା ପଜିଟିଭ୍ ଆସିବା ପରେ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ୍‌ର ଖେଳକୁ ବାତିଲ କରି ଦିଆଯାଇଥିଲା। ଏବେ ମଧ୍ୟ ଏହି ଟେଷ୍ଟ୍‌ର ଫଳାଫଳ କଣ ହେବ? ସେ ନେଇ ସଂଶୟ ଜାରି ରହିଛି। ଏଥିଲାଗି କ୍ରିକେଟ୍‌ପ୍ରେମୀଙ୍କ ସହ ବିଶେଷଜ୍ଞମାନେ ଶାସ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଶାସ୍ତ୍ରୀ ହିଁ ନିଜ ପୁସ୍ତକ ଉନ୍ମୋଚନ ଉତ୍ସବକୁ ଭାରତୀୟ ଖେଳାଳିଙ୍କୁ ନେଇଥି‌ଲେ। ଏଣୁ ମ୍ୟାଚ୍ ଖେଳା ଯାଇନପାରିବା ପାଇଁ ସେ ଦାୟୀ ବୋଲି ଅନେକ ଖୋଲାଖୋଲି ଭାବେ କହିଛନ୍ତି। ଏହି ବିଷୟରେ ନିଜ ମତ ରଖିବାକୁ ଯାଇ ଦୋଶୀ କହିଛନ୍ତି ମୁଁ ଏଥିନେଇ ମୋ ପୁରୁଣା ବନ୍ଧୁ ତଥା ୱେଷ୍ଟଇଣ୍ଡିଜ୍‌ର କିଂବଦନ୍ତି ଦ୍ରୁତ ବୋଲର ମାଇକେଲ୍ ହୋଲ୍ଡିଂଙ୍କ ସହ ବୁଧବାର କଥା ହୋଇଥିଲି। ପ୍ରକୃତରେ ବିସିସିଆଇ ପଞ୍ଚମ ଟେଷ୍ଟ୍ ଖେଳିବାକୁ ଚାହୁ ନଥିଲା ବୋଲି ସେ କହିଛନ୍ତି। ବିସିସିଆଇର ଅଭିମୁଖ୍ୟକୁ ସମର୍ଥନ କରି ଏହି ମ୍ୟାଚ୍‌କୁ ଖେଳିଥିଲେ ଆଇପିଏଲ୍ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ଥିଲା। ଏହା ହୋଇଥି‌ଲେ ବିସିସିଆଇକୁ ଶହ ଶହ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥା’ନ୍ତା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର