ପର୍ଥ: ବୁଧବାର ଦୁଇଟି ଦଫାରେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଭାରତୀୟ କ୍ରିକେଟ୍ ଦଳ ଗୁରୁବାର ସକାଳେ ପର୍ଥରେ ପାଦ ଥାପିଛି। ଦୁଇ ପୂର୍ବତନ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମାଙ୍କ ସହ ନୂଆ ଅଧିନାୟକ ଶୁବମନ୍ ଗିଲ୍, କେଏଲ୍ ରାହୁଲ, ଯଶସ୍ବୀ ଜୟସ୍ବାଲ, ଅର୍ଶଦୀପ ସିଂହ, ହର୍ଷିତ ରାଣାଙ୍କ ସହ କିଛି ସପୋର୍ଟ ଷ୍ଟାଫ୍ ଏଠାରେ ପ୍ରଥମେ ପହଞ୍ଚିଥିଲେ। କିଛି ଘଣ୍ଟାର ବ୍ୟବଧାନ ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଅନ୍ୟ ଖେଳାଳିମାନେ ମଧ୍ୟ ପର୍ଥରେ ଓହ୍ଲାଇଥିଲେ। ପ୍ରବାସୀ ଭାରତୀୟ ଏବଂ ଉତ୍ସାହୀ ଅଷ୍ଟ୍ରେଲୀୟ କ୍ରିକେଟ୍‌ପ୍ରେମୀ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଭାରତୀୟ ଖେଳାଳିମାନେ ମଧ୍ୟ ଆଦୌ ସମୟ ଅପଚୟ ନକରି ମାତ୍ର କିଛି ଘଣ୍ଟାର ବିଶ୍ରାମ ପରେ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ଭାରତୀୟ କ୍ରିକେଟ୍ ଦଳର ଏହି ଅଭ୍ୟାସ ଅଧିବେଶନରେ ଦୁଇ ମହାନ ତାରକା ବିରାଟ ‌କୋହଲି ଓ ରୋହିତ ଶର୍ମା ଆକର୍ଷଣ ପାଲଟିଥିଲେ। ପରସ୍ପର ପାର୍ଶ୍ବରେ ଉଭୟ ଅଭ୍ୟାସ କରିବାର ଦୃଶ୍ୟ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ମନକୁ ମଧ୍ୟ ରୋମନ୍ଥନ କରିଥିଲା। ସାମାଜିକ ଗଣମାଧ୍ୟମରେ ରୋକୋ (ରୋହିତ-କୋହଲି)ଙ୍କ ଅଭ୍ୟାସର ଫଟୋ ପଦାକୁ ଆସିବା ପରେ ଭାଇରାଲ୍ ହୋଇଯାଇଥିଲା। ଏମାନଙ୍କ ଛଡ଼ା ଅନ୍ୟ ଖେଳାଳିମାନେ ମଧ୍ୟ ହାଲ୍‌କା ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ଗୁରୁବାରର ଅଭ୍ୟାସ ଅଧିବେଶନ ସ୍ବେଚ୍ଛାକୃତ ଥିବାରୁ ଅଧିକାଂଶ ଖେଳାଳି ବିଶ୍ରାମ ନେବାକୁ ପସନ୍ଦ କରିଥ‌ିଲେ। ଶୁକ୍ରବାର ଦଳ ଏକାଠି ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। 

Advertisment

କଠିନ ପରୀକ୍ଷାରେ ‘ରୋକୋ’
ପର୍ଥରେ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଭାରତୀୟ କ୍ରିକେଟ୍‌ର ଦୁଇ ମହାରଥୀ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ କଠିନ ପରୀକ୍ଷା ନେଇ ଆସିଛି। ଟ୍ବେଣ୍ଟି-୨୦ ଓ ଟେଷ୍ଟ୍‌ରୁ ଅବସର ଘୋଷଣା କରିସାରିଥିବାରୁ ଏକଦିବସୀୟ ଫର୍ମାଟ୍‌ ଉଭୟଙ୍କ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସକ୍ରିୟ ରହିବା ଲାଗି ଏକମାତ୍ର ମାଧ୍ୟମ ହୋଇଛି। ଦୁଇଜଣ ଯାକ ମଧ୍ୟ ପାଖାପାଖି ୪ମାସ ପରେ ଜାତୀୟ ଦଳକୁ ଫେରିଛନ୍ତି। ଏଣୁ ‘ରୋକୋ’ ଭାବେ ପରିଚିତ ଏହି ଦୁଇ ମହାନ ତାରକାଙ୍କ ପାଇଁ ଏହି ଶୃଙ୍ଖଳାରେ ଭଲ କରି ନିଜନିଜର ଉପସ୍ଥିତି ଜାହିର କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି। ୨୦୨୭ ଏକଦିବସୀୟ ବିଶ୍ବକପ୍‌ରେ ଦୁଇଜଣ ଯାକ ଖେଳିବେ କି ନାହିଁ, ତାହା ମଧ୍ୟ ଏହି ଶୃଙ୍ଖଳା ପ୍ରଦର୍ଶନ ପ୍ରାୟତଃ ନିର୍ଣ୍ଣୟ କରିବ। କୋହଲି ଓ ରୋହିତଙ୍କ ପ୍ରଦର୍ଶନ ଅଷ୍ଟ୍ରେଲିଆରେ ଭଲ ରହିଥିବାରୁ ଏଥରର ଗୁରୁତ୍ବପୂର୍ଣ୍ଣ ଗସ୍ତରେ ସେମାନେ ନିଶ୍ଚିତ ଭଲ କରିବେ  ବୋଲି ପ୍ରଶଂସକ ଆଶା ରଖିଛନ୍ତି। କୋହଲି ମଧ୍ୟ ନିଜ ପୁରୁଣା ଏକାଗ୍ରତା ଫେରି ପାଇବା ଲାଗି ନେଟ୍‌ସରେ ୪୦ ମିନିଟ୍ ଧରି ଯୁବ ବୋଲର ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ ସ୍ଥାନୀୟ ବୋଲରଙ୍କୁ ସମ୍ମୁଖୀନ ହୋଇଥିଲେ। ରୋହିତ ମଧ୍ୟ ନିଜ ଟାଇମିଂକୁ ଠିକ୍ କରିବାକୁ ଚେଷ୍ଟା କରିଥିଲେ। 

adagdgaczvcvzvc

Gulf News

କୋହଲି, ରୋହିତଙ୍କ ଅଟୋଗ୍ରାଫ୍ ପାଇ କରାଚୀ ପ୍ରଶଂସକ ଗଦ୍‌ଗଦ
ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ସଂପର୍କର ତିକ୍ତତା ଦିନକୁ ଦିନ ବଢ଼ି ଚାଲିଥିଲା ବେଳେ ପାକିସ୍ତାନର କରାଚୀ ସହରର ଜଣେ କ୍ରିକେଟ୍‌ପ୍ରେମୀଙ୍କ ବହୁ ଦିନର ସ୍ବପ୍ନକୁ ପୂରଣ କରିଛନ୍ତି କୋହଲି ଓ ରୋହିତ। ଭାରତୀୟ ଦଳ ପର୍ଥରେ ପହଞ୍ଚିବା ପରେ ଦଳୀୟ ହୋଟେଲ ସମ୍ମୁଖରେ ସାହିଲ ନାମକ ଏହି ପାକିସ୍ତାନୀ ପ୍ରଶଂସକ କୋହଲିଙ୍କୁ ଅଟୋଗ୍ରାଫ୍ ମାଗିଥିଲେ। କୋହଲି ମଧ୍ୟ ଖୁସିଖୁସି ତାଙ୍କ ଜର୍ସିରେ ଅଟୋଗ୍ରାଫ୍ ଦେଇଥିଲେ। ଜର୍ସିଟି ଆର୍‌ସିବି ଆଇପିଏଲ୍ ଦଳର ହୋଇଥିବାରୁ ସଂପୃକ୍ତ ପ୍ରଶଂସକଙ୍କ ଖୁସି କହିଲେ ନସରେ। ତେବେ କୋହଲିଙ୍କ ଅଟୋଗ୍ରାଫ୍ ପାଇବା ପରେ ରୋହିତଙ୍କୁ ମଧ୍ୟ ସାହିଲ ଏଥିଲାଗି ଅନୁରୋଧ କରିଥିଲେ। ଦଳୀୟ ବସ୍‌ରେ ବସି ସାରିଥିଲେ ମଧ୍ୟ ‌ରୋହିତ ତଳକୁ ଆସି ସାହିଲ ଧରିଥିବା ଭାରତୀୟ ଜର୍ସିରେ ନିଜ ଦସ୍ତଖତ ଆଙ୍କି ଦେଇଥିଲେ। ନିଜର ଦୁଇ ପ୍ରିୟ ଖେଳାଳିଙ୍କ ଦସ୍ତଖତ ପାଇଁ ସାହିଲ ବେଶ୍ ଗଦ୍‌ଗଦ ହୋଇଯାଇଥିଲେ। କୋହଲି ଓ ରୋହିତଙ୍କ ବିନମ୍ରତାକୁ ମନଖୋଲି ପ୍ରଶଂସା କରିଥିଲେ