ନୂଆଦିଲ୍ଲୀ : ଚଳିତ ବର୍ଷ ଆଇପିଏଲ୍ ଖେଳିବା ଲାଗି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଶୁକ୍ରବାର ୟୁଏଇ ଗସ୍ତ କରିଛି। ଧୋନି, ସୁରେଶ ରାଇନା ଓ ରବୀନ୍ଦ୍ର ଜାଦେଜାଙ୍କ ସହ ଅନ୍ୟ ସମସ୍ତ ଖେଳାଳି ହସହସ ମୁହଁରେ ଏହି ଗସ୍ତ କରୁଥିବାର ସିଏସ୍କେ ପକ୍ଷରୁ ଟ୍ବିଟର୍ରେ ପ୍ରକାଶିତ ଏକ ଫଟୋରୁ ସ୍ପଷ୍ଟ ବାରି ହେଉଛି। ସିଏସ୍କେ ଏହି ଫଟୋର ଶିରୋନାମାରେ ‘ୟେଲୋଭ୍ ଆଗକୁ ଚାଲିଲା। ହ୍ବିସିଲ୍ପୋଡୁ’ ଲେଖିଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆଇପିଏଲ୍ ୟୁଏଇର ୩ ସହର ଦୁବାଇ, ଆବୁଧାବି ଓ ସାରଜାରେ ଖେଳାଯିବ। ସିଏସ୍କେ ତା’ର ପ୍ରଥମ ମ୍ୟାଚ୍ରେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାକୁ ଥିଲା ବେଳେ ଗତ ବର୍ଷ ଫାଇନାଲ୍ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ। ଧୋନି ଓ ରାଇନା ଗତ ୧୫ ତାରିଖରୁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇସାରିଥିବାରୁ ଆଇପିଏଲ୍ରେ ନିଜ ପ୍ରଶଂସକଙ୍କ ମନୋରଂଜନ କରିବାକୁ ଚେଷ୍ଟା କରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ୍ ସେମିଫାଇନାଲ୍ ପରାଜୟଠାରୁ ଧୋନି କ୍ରିକେଟ୍ଠୁ ଦୂରେଇ ରହିଥିଲେ।
ପତ୍ନୀ, ଝିଅ ସହ ଗଲେ ରୋହିତ
ନୂଆଦିଲ୍ଲୀ : ଚଳିତ ବର୍ଷ ଆଇପିଏଲ୍ ୟୁଏଇରେ ଆୟୋଜିତ ହେବ। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ସେଠାକୁ ଗସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ନିଜ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଅଧିନାୟକ ରୋହିତଙ୍କ ପରିବାରର ଏକ ଫଟୋକୁ ସେୟାର କରିଛି। ଯେଉଁଥିରେ ରୋହିତଙ୍କ ସହ ତାଙ୍କ ପତ୍ନୀ ରିତିକା ଓ ଝିଅ ସମାଇରାଙ୍କୁ ଦେଖିବାକୁ ମିଳିଛି। ଏହି ଫଟୋରୁ ସ୍ପଷ୍ଟ ହୋଇଛି ଯେ ରୋହିତ ତାଙ୍କ ପରିବାର ସହ ୟୁଏଇ ଗସ୍ତ କରିଛନ୍ତି। ଉଭୟ ରୋହିତ ଓ ରିତିକା ପିପିଇ କିଟ୍ ପିନ୍ଧିଥିବା ଏହି ଫଟୋରେ ଦେଖାଯାଇଛି। ମୁମ୍ବାଇ ଫଟୋର ଶିରୋନାମାରେ ଲେଖିଛି ‘ସମାଇରାଙ୍କ ଦ୍ବିତୀୟ ଆଇପିଏଲ୍ ପାଇଁ ସବୁ ପ୍ରସ୍ତୁତ’। ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିମାନେ ଆବୁଧାବିର ସେଣ୍ଟ ରେଗିସରେ ରହିବେ।