ମନ୍ଥର ବୋଲି ପାଇଁ ଭାରତୀୟ ଦଳ ଦଣ୍ଡିତ

ୱେଲିଂଟନ୍‌: ଶନିବାର ଏଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ମନ୍ଥର ବୋଲିଂ ପାଇଁ ଭାରତୀୟ ଦଳ ଦଣ୍ଡିତ ହୋଇଛି। ନିର୍ଧାରିତ ସମୟ ମଧ୍ୟରେ ୨ ଓଭର କମ୍‌ ବୋଲିଂ କରିଥିବା ବିଚାରକୁ ନିଆଯିବା ପରେ ଆଇସିସି ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରଡ୍‌ ଖେଳାଳିମାନଙ୍କ ମ୍ୟାଚ୍‌ ଫି’ର ୪୦ ପ୍ରତିଶତ ଜରିମାନା ଦଣ୍ଡ ଲାଗୁ କରିଛନ୍ତି। ପଡ଼ିଆ ଭିତର ଅମ୍ପାୟାର କ୍ରିସ୍‌ ବ୍ରାଉନ୍‌ ଓ ସନ୍‌ ହେଗ୍‌ଙ୍କ ସହିତ ତୃତୀୟ ଅମ୍ପାୟାର ଆସ୍‌ଲେ ମାଲହୋତ୍ରା ଭାରତୀୟ ଦଳ ବିରୋଧରେ ଏହି ଅଭିଯୋଗ ଆଣିବା ପରେ ମ୍ୟାଚ୍‌ ରେଫରି ଆଇସିସି ନିୟମ ଅନୁଯାୟୀ ଦଣ୍ଡାଦେଶ ଶୁଣାଇଥିଲେ। ଅଧିନାୟକ ବିରାଟ କୋହଲି ଦୋଷ ସ୍ବୀକାର କରିବା ସାଙ୍ଗକୁ ଦଣ୍ଡା‌ଦେଶକୁ ମାନି ନେଇଥିବାରୁ ଆଉ ବିଦ୍ଧିବଦ୍ଧ ଶୁଣାଣିର ଆବଶ୍ୟକତା ପଡ଼ିନଥିଲା।

ଟେଷ୍ଟ୍‌ ଶୃଙ୍ଖଳାରୁ ହାର୍ଦିକ ବାଦ୍
ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟେଷ୍ଟ୍‌ ଶୃଙ୍ଖଳାରୁ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ବାଦ୍ ପଡ଼ିଛନ୍ତି। ପିଠି ଯନ୍ତ୍ରଣାରୁ ସଂପୂର୍ଣ୍ଣ ମୁକୁଳି ନଥିବାରୁ ତାଙ୍କୁ ଟେଷ୍ଟ୍‌ ଦଳ ଘୋଷଣା ବେଳେ ବିଚାରକୁ ନିଆଯିବ ନାହିଁ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଏହି ସମୟରେ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ଅଭ୍ୟାସ କରିବା ଜାରି ରଖିବେ। ପାଣ୍ଡ୍ୟା ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ତାଙ୍କୁ ନ୍ୟୁଜିଲାଣ୍ଡ ଟେଷ୍ଟ୍‌ ଶୃଙ୍ଖଳାରୁ ବାଦ୍ ଦିଆଗଲା ବୋଲି ବିସିସିଆଇ ଶନିବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି। ତେବେ ଟେଷ୍ଟ୍‌ ଦଳ କେବେ ଘୋଷଣା କରାଯିବ, ସେ ବିଷୟରେ ଏଥିରେ କୌଣସି ସୂଚନା ଦିଆଯାଇନାହିଁ। ସୂଚନାଯୋଗ୍ୟ ଯେ ପାଣ୍ଡ୍ୟା ନିକଟରେ ଲଣ୍ଡନ ଯାଇ ତାଙ୍କର ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ଦେଖା କରିଥିଲେ। ପୂରା ସୁସ୍ଥ ହେବା ଲାଗି ଆଉ କିଛି ସମୟ ଲାଗିବ ବୋଲି ତାଙ୍କୁ ଡାକ୍ତର କହିଥିବା ଜଣାପଡ଼ିଛି। ପୂର୍ବରୁ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ି ସାରିଛନ୍ତି।

ସମ୍ବନ୍ଧିତ ଖବର