ପ୍ୟାରିସ୍‌: ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଭଳି ପାରାଲିମ୍ପିକ୍ସରେ ମଧ୍ୟ ଭାରତକୁ ପ୍ରଥମ ପଦକ ବନ୍ଧୁକଚାଳନାରୁ ଆସିଛି। କେବଳ ଏତିକି ନୁହେଁ ଏଥର ପ୍ରଥମ ପଦକ ଜଣେ ମହିଳା ଜିତିଛନ୍ତି। ୧୦ ମିଟର ଏୟାର ରାଇଫଲ୍‌ (ଏସ୍‌ଏଚ୍‌୧)ରେ ଅବନୀ ଲେଖାର ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ମୋନା ଅଗରୱାଲ୍‌ କାଂସ୍ୟ ପଦକ ପାଇଛନ୍ତି। ବନ୍ଧୁକଚାଳନାରୁ ତୃତୀୟ ପଦକ ମନୀଷ ନରୱାଲ ଜିତିଛନ୍ତି। ପୁରୁଷ ୧୦ ମିଟର ଏୟାର ପିସ୍ତଲ (ଏଚ୍‌ଏଚ୍‌୧)ରେ ମନୀଷ ରୌପ୍ୟ ପଦକ ପାଇଛନ୍ତି। ଟୋକିଓରେ ୨୪୯.୬ ପଏଣ୍ଟ ସ୍କୋର୍‌ରେ ରେକର୍ଡ କରି ସ୍ବର୍ଣ୍ଣ ପଦକ ଜିତିଥିବା ଅବନୀ, ପ୍ୟାରିସ୍‌ରେ ଏହାକୁ ଅତିକ୍ରମ କରିବା ସହ ୨୪୯.୭ ପଏଣ୍ଟ୍‌ ସ୍କୋରରେ ନୂଆ ପାରାଲିମ୍ପିକ୍ସ କୀର୍ତ୍ତିମାନ ରଚିଛନ୍ତି।

Advertisment

ପୂର୍ବରୁ ସଟ୍‌ପୁଟ୍‌, ଶକ୍ତିଉତ୍ତୋଳନ ଓ ହ୍ବିଲ୍‌ଚେୟାର ଭଲିବଲ୍‌ ଖେଳିସାରିଥିବା ମୋନା ଏଥର ସୁଟିଂରେ ଭାଗ୍ୟ ପରୀକ୍ଷା କରିଥିଲା ବେଳେ ୨୨୮.୭ ପଏଣ୍ଟ ସ୍କୋର କରି କାଂସ୍ୟ ପାଇଛନ୍ତି। ଗୋଟିଏ ଇଭେଣ୍ଟରେ ଭାରତରୁ ଦୁଇଜଣ ସୁଟର୍‌ ପୋଡିୟମ୍‌ ଫିନିସ କରିବାରେ ଏହା ମଧ୍ୟ ଭାରତର ପାରାଲିମ୍ପିକ୍ସ କୀର୍ତ୍ତିମାନ ହୋଇପାରିଛି। ଫାଇନାଲ୍‌କୁ ଯିବା ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ଅବନୀ ଦ୍ବିତୀୟ ଓ ମୋନା ପଞ୍ଚମ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିଥିଲେ। ଏହି ପର୍ଯ୍ୟାୟରେ ୟୁକ୍ରେନ୍‌ର ଇରିନା ସଚେତନିକ୍‌ ୬୨୭.୫ ସ୍କୋର ପଛକୁ ଅବନୀ ୬୨୫.୮ ସ୍କୋର କରିଥିଲେ। ଦୁଇଥରର ବିଶ୍ବକପ୍‌ ସ୍ବର୍ଣ୍ଣ ପଦକ ବିଜେତା ମୋନା ୬୨୩.୧ ପଏଣ୍ଟ ସ୍କୋର କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ଅବନୀ ଆଗକୁ ୫୦ ମିଟର ରାଇଫଲ୍‌ ୩ ପୋଜିସନ୍‌ରେ ମଧ୍ୟ ଭାଗ ନେବେ। ଏହି ଇଭେଣ୍ଟରେ ସେ ପଦକ ଦାବିଦାର ଅଛନ୍ତି। 

ସେହିପରି ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିବା ମନୀଷଙ୍କୁ ଏଥର ପ୍ୟାରିସ୍‌ରେ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। କୋରିଆର ଜେଙ୍ଗୁଡୁ ଜୋ ୨୩୭.୪ ପଏଣ୍ଟ ସ୍କୋର କରି ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ମନୀଷ ୨୩୪.୯ ସ୍କୋର କରିଥିଲେ। ଚୀନ୍‌ର ଚାଓ ୟାଙ୍ଗ୍‌ ୨୧୪.୩ ପଏଣ୍ଟ ସ୍କୋର କରି କାଂସ୍ୟ ପଦକ ଜିତିଛନ୍ତି। ପଞ୍ଚମ ରାଉଣ୍ଡ ପର୍ଯ୍ୟନ୍ତ ମନୀଷ ଆଗରେ ଥିଲେ ମଧ୍ୟ ଷଷ୍ଠ ରାଉଣ୍ଡଠୁ ଜେଙ୍ଗୁଡୁ ଆଗେଇ ଯାଇଥିଲେ। 

ପ୍ରଥମ ଦିନ ୪ ପଦକ: ବନ୍ଧୁକଚାଳନାରେ ଅବନୀଙ୍କୁ ସ୍ବର୍ଣ୍ଣ, ମନୀଷଙ୍କୁ ରୌପ୍ୟ, ମୋନାଙ୍କୁ କାଂସ୍ୟ

ମହିଳା: ଇଭେଣ୍ଟ୍‌ରେ ଭାରତର ପ୍ରୀତି ପାଲ୍‌ କାଂସ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟ୍‌ରେ ସେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୧୪.୨୧ ସେକେଣ୍ଡ) ଦେଇ ଏହି ସଫଳତା ପାଇଛନ୍ତି। ଫଳରେ ପ୍ୟାରିସ୍‌ ପାରା ଦୌଡ଼କୁଦରୁ ଏହା ଭାରତର ପ୍ରଥମ ପଦକ ହୋଇପାରିଛି। ଚୀନ୍‌ର ଝୌ ସିଆ (୧୩.୫୮‌ ସେକେଣ୍ଡ) ଋତୁର ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ବର୍ଣ୍ଣ ଓ ଗୁଓ କ୍ବିଅନକ୍ବିଅନ (୧୩.୭୪ ସେକେଣ୍ଡ) ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ରୌପ୍ୟ ପଦକ ଜିତିଛନ୍ତି।