ଚେସ୍ ବୋର୍ଡରେ ଭାରତୀୟଙ୍କ ବିପ୍ଳବ: ପ୍ରତିବର୍ଷ ସୃଷ୍ଟି ହେଉଛନ୍ତି ୪ରୁ ଅଧିକ ଗ୍ରାଣ୍ଡମାଷ୍ଟର୍‌

ତାମିଲନାଡ଼ୁରେ ସର୍ବାଧିକ ୨୫, ଓଡ଼ିଶାରେ ୨

ଭୁବନେଶ୍ବର,: ବିଶ୍ବ ଚେସ୍‌ର ତାରକା ଖଚିତ ମଞ୍ଚରେ ଭାରତୀୟମାନେ ଧୀରେଧୀରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ଚାଲିଛନ୍ତି। ୬୪ ବର୍ଗକ୍ଷେତ୍ରର କଳାଧଳା ବୋର୍ଡରେ ଅସାଧାରଣ ପ୍ରତିଭାର ପରିଚୟ ଦେଇ ରୁଷ୍‌, ଚୀନ, ଜର୍ମାନୀ ଓ ଆମେରିକା ଭଳି ଦେଶକୁ କଡ଼ା ଟକ୍କର ଦେଉଛନ୍ତି। ଯାହା ଗତ ଅଢ଼େଇ ଦଶନ୍ଧି ମଧ୍ୟରେ ଭାରତରୁ ସୃଷ୍ଟି ହୋଇଥିବା ଗ୍ରାଣ୍ଡମାଷ୍ଟର୍ ସଂଖ୍ୟାରୁ ସ୍ପଷ୍ଟ ହୋଇଥାଏ। ଗ୍ରାଣ୍ଡମାଷ୍ଟର୍ ଟାଇଟଲ୍‌ ହାସଲ କରିବାରେ ମଧ୍ୟ ଭାରତୀୟମାନେ ବିଶ୍ବର ଦ୍ରୁତତମ ଆଖ୍ୟା ଅର୍ଜନ କରିଛନ୍ତି।

୧୯୬୧ ମସିହାରେ ମାନୁଏଲ ଆରୋନ୍ ଦେଶର ପ୍ରଥମ ଆଇଏମ୍ ହେବା ପରଠାରୁ ଚେସ୍ ଜଗତରେ ଭାରତ ଅନେକ ମାଇଲଖୁଣ୍ଟ ଛୁଇଁ ସାରିଲାଣି। ଭାରତୀୟ ଚେସ୍ ବିପ୍ଳବର ଏହି ସ୍ବର୍ଣ୍ଣିମ ଇତିହାସକୁ ତର୍ଜମା କଲେ ଜଣାପଡ଼େ ଯେ ୧୯୮୭ ମସିହାରେ ବିଶ୍ବନାଥନ ଆନନ୍ଦଙ୍କ ରୂପରେ ଭାରତରେ ମାତ୍ର ଜଣେ ଚେସ୍ ଗ୍ରାଣ୍ଡମାଷ୍ଟର୍ ଥିଲେ। ଯାହା ଏବେ ୮୫ରେ ପହଞ୍ଚିଛି। ଏପରିକି ୧୯୮୭ରୁ ୧୯୯୯ ମସିହାର ୧୨ ବର୍ଷୀୟ ଅବଧିରେ ଭାରତରେ ଥିବା ଗ୍ରାଣ୍ଡମାଷ୍ଟର୍‌ ସଂଖ୍ୟା ୧ରୁ ମାତ୍ର ୩କୁ ବୃଦ୍ଧି ପାଇଥିଲା। ଏବେ କିନ୍ତୁ ଗ୍ରାଣ୍ଡମାଷ୍ଟର୍ ସଂଖ୍ୟାରେ ଭାରତ, ରୁଷିଆ, ଜର୍ମାନୀ, ୟୁକ୍ରେନ୍ ଓ ଆମେରିକା ପରେ ବିଶ୍ବର ପଞ୍ଚମ ସ୍ଥାନରେ ରହିଛି। ଆଗାମୀ ସମୟରେ ଭାରତ ଏହି କ୍ରମରେ ଶ୍ରେଷ୍ଠ ୩ରେ ପ୍ରବେଶ କରିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ୨୦୦୦ରୁ ୨୦୨୪ ମସିହା ମେ ମାସ ସୁଦ୍ଧା ଭାରତରେ ଅବିଶ୍ବସନୀୟ ଭାବେ ୮୨ଜଣ ଗ୍ରାଣ୍ଡମାଷ୍ଟର୍ ସୃଷ୍ଟି ହୋଇଛନ୍ତି। ୨୦୨୩ ଡିସେମ୍ବର ସୁଦ୍ଧା ଭାରତରେ ୧୩୬ ଆଇଏମ୍ ଓ ୩୩,୦୨୮ ରେଟିଂ ପ୍ରାପ୍ତ ଖେଳାଳି ଥିଲେ। ସଂପ୍ରତି ଫିଡେ ବିଶ୍ବମାନ୍ୟତାର ଓପନ ବର୍ଗର ଶ୍ରେଷ୍ଠ ୨୦ରେ ୪ଜଣ ଭାରତୀୟ ରହିଛନ୍ତି। ମହିଳା ବର୍ଗରେ ଏହି ସଂଖ୍ୟା ହେଉଛି ୩। ଓଡ଼ିଶା କଥା ବିଚାରକୁ ନେଲେ, ୨୦୧୩ ମସିହାରେ ଦେବାଶିଷ ଦାସ ଗ୍ରାଣ୍ଡମାଷ୍ଟର୍ ଟାଇଟଲ୍ ପାଇବାରେ ପ୍ରଥମ ଓଡ଼ିଆ ହୋଇଥିଲେ। ୬ ବର୍ଷ ପରେ ସ୍ବୟମ୍ସ ମିଶ୍ର ରାଜ୍ୟର ଦ୍ବିତୀୟ ଗ୍ରାଣ୍ଡମାଷ୍ଟର୍ ‌ହୋଇଥିଲେ। ସେବେଠୁ ଆଉ ଓଡ଼ିଶାରେ ଗ୍ରାଣ୍ଡମାଷ୍ଟର୍ ସୃଷ୍ଟି ହୋଇନାହାନ୍ତି।

ନିକଟରେ ସମ୍ମାନଜନକ କ୍ୟାଣ୍ଡିଡେଟ୍ସ ଚେସ୍ ଜିତିବାରେ ବିଶ୍ବର ସର୍ବକନିଷ୍ଠ ଖେଳାଳି ‌ହୋଇ ଡି. ଗୁକେଶ ଭାରତୀୟ ଚେସ୍‌କୁ ଆହୁରି ସମୃଦ୍ଧ ଓ ଋଦ୍ଧିମନ୍ତ କରିଛନ୍ତି। କେବଳ ସେତିକି ନୁହେଁ, ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଦୁଇ ଜଣ ମହିଳାଙ୍କ ସହ ୫ଜଣ ଭାରତୀୟ ଯୁବ ଗ୍ରାଣ୍ଡମାଷ୍ଟର୍ ଅଂଶଗ୍ରହଣ କରିବା ମଧ୍ୟ ଚେସ୍ ବୋର୍ଡରେ ଭାରତର ବର୍ଦ୍ଧିତ ଶକ୍ତିର ବଳିଷ୍ଠ ପ୍ରମାଣ ହୋଇଛି। ଭାରତରେ ସୃଷ୍ଟି ହୋଇଥିବା ଚେସ୍ ସଂସ୍କୃତି, ବଡ଼ଠୁ ଆରମ୍ଭ କରି ଛୋଟ ସହରରେ ଗଢ଼ି ଉଠିଥିବା ହଜାର ହଜାର ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ତଥା ଅବିଭାବକଙ୍କ ମଧ୍ୟରେ ଚେସ୍‌କୁ ନେଇ ସୃଷ୍ଟି ହୋଇଥିବା ଭଲପାଇବା ଓ ସଚେତନତା ଏହାର ମୂଳ କାରଣ ବୋଲି କୁହାଯାଉଛି।

ଭାରତର ବର୍ଦ୍ଧିତ ଚେସ୍ ଶକ୍ତି ପାଇଁ ଇଣ୍ଟରନେଟ୍‌ର ଅଭ୍ୟୁଦୟକୁ ଏକ ପ୍ରମୁଖ କାରଣ ଭାବେ ଦର୍ଶାଇଛନ୍ତି ଜିଏମ୍ ଆର୍‌ବି ରମେଶ। ଉନ୍ନତ ପ୍ରଶିକ୍ଷଣ ବ୍ୟବସ୍ଥା, ଆଧୁନିକ ଚେସ୍‌ ସଫ୍ଟୱେର୍‌, ତଥା ତଥ୍ୟ ଭିତ୍ତିକ ପୁସ୍ତକ ପାଇଁ ଯୁବ ଖେଳାଳିମାନେ ବି କିଂବଦନ୍ତିମାନେ ଆପଣାଉଥିବା ରଣନୀତି ଓ ଚାଲ୍‌କୁ ବୁଝିପାରୁଛନ୍ତି ଏବଂ ଚେସ୍ ବୋର୍ଡରେ ବିନିଯୋଗ କରୁଛନ୍ତି। ଜାତୀୟ ସ୍ତରରେ ସରକାରୀ ଓ ବେସରକାରୀ ସହାୟତା ବି ଚେସ୍‌କୁ ପୂର୍ବାପେକ୍ଷା ଅଧିକ ମିଳୁଛି। ଏଥିପାଇଁ ହିଁ ଭାରତରୁ ଅଧିକରୁ ଅଧିକ ଗ୍ରାଣ୍ଡମାଷ୍ଟର ସୃଷ୍ଟି ହୋଇପାରୁଛନ୍ତି ବୋଲି ସେ ମତ ଦେଇଛନ୍ତି। ଏହା ଧାରାକୁ ଆହୁରି ଆଗକୁ ନେବାକୁ ସ୍ବତନ୍ତ୍ର ଯୋଜନା କରାଯାଉଥିବା ମଧ୍ୟ ସର୍ବଭାରତୀୟ ଚେସ୍ ମହାସଂଘ ସଭାପତି ନିତିନ ନାରଙ୍ଗ ଏକ ସାକ୍ଷାତକାରରେ କହିଛନ୍ତି। ତେବେ ଚେସ୍ କ୍ରମଶଃ ବ୍ୟୟବହୁଳ ହେବାରେ ଲାଗିଛି। ଏହା ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତରେ ଚେସ୍ ଅଭିବୃଦ୍ଧିରେ ବ୍ରେକ୍ ଲଗାଇପାରେ ବୋଲି ଆଶଙ୍କା କରାଯାଉଛି।

ଦୁର୍ଭାଗ୍ୟଜନକ ଭାବେ ସର୍ବଭାରତୀୟ ସ୍ତରର ଏହି ଐତିହାସିକ ସଫଳତା ସହ ଓଡ଼ିଶା କିନ୍ତୁ ତାଳ ଦେଇପାରୁନି। ସେଥିପାଇଁ ରାଜ୍ୟରେ ଗ୍ରାଣ୍ଡମା‌ଷ୍ଟର୍ ସଂଖ୍ୟା ମାତ୍ର ୨ରେ ସୀମିତ ରହିଛି। ଏହାର ସମ୍ଭାବ୍ୟ କାରଣ ଉପରେ ଆଲୋକପାତ କରି ବିଜୁ ପଟ୍ଟନାୟକ ପୁରସ୍କାରପ୍ରାପ୍ତ ଚେସ୍ ପ୍ରଶିକ୍ଷକ ସତ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ଚେସ୍ ଭିତ୍ତିଭୂମି ସହ ଅନ୍ୟାନ୍ୟ ସୁବିଧାସୁଯୋଗ ବଢ଼ିଛି। ହେଲେ ଆମ ପିଲାଙ୍କ ଭିତରେ ଆଉ ଆଗଭଳି ଏକାଗ୍ରତା ଓ ଶୃଙ୍ଖଳା ଭାବ ରହୁନି। ଗ୍ରାଣ୍ଡମାଷ୍ଟର୍ ହେବାକୁ ସେମାନେ ଲକ୍ଷ୍ୟ କରୁନାହାନ୍ତି। ବରଂ ଅଧିକାଂଶ ଅନଲାଇନ୍‌ରେ ପ୍ରଶିକ୍ଷଣ ଦେବାରେ ମାତିଛନ୍ତି। ରାଜ୍ୟସଂଘ ମଧ୍ୟ ଏ ଦିଗରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଉନି। ସରକାରୀସ୍ତରରେ ଆୟୋଜିତ ହେଉଥିବା ଗ୍ରାଣ୍ଡମାଷ୍ଟର୍ ଚେସ୍ ପ୍ରଶିକ୍ଷଣରୁ ପିଲାଙ୍କୁ ବିଶେଷ କିଛି ଲାଭ ମିଳୁନି। ତାମିଳନାଡ଼ୁ ଭଳି ରାଜ୍ୟର ଖେଳାଳିମାନେ ସଂଗଠିତ ପ୍ରଶିକ୍ଷଣ ଉପରେ ଜୋର୍ ଦେଉଛନ୍ତି। ଯାହା ଓଡ଼ିଶାରେ ହେଉନି। ତଥାପି ସମ୍ବିତ ପଣ୍ଡା, ପଦ୍ମିନୀ ରାଉତ, ସିଦ୍ଧାନ୍ତ ମହାପାତ୍ର, ରାକେଶ ଜେନାଙ୍କ ଭଳି ଖେଳାଳିଙ୍କ ପାଖରେ ଜିଏମ୍ ହେବାର ସମ୍ଭାବନା ରହିଛି। ଏଥିଲାଗି କିନ୍ତୁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର