ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିବା ୧୫ ଜଣିଆ ଭାରତୀୟ ବନ୍ଧୁକଚାଳକ ଦଳ ତାଲିମ ନେବା ଲାଗି ମଙ୍ଗଳବାର କ୍ରୋଏସିଆ ଗସ୍ତ କରିଛନ୍ତି। ‘‘ଭାରତ ମାତା କି ଜୟ, ଆମେ କ୍ରୋଏସିଆ ଯିବା ଲାଗି ପ୍ରସ୍ତୁତ, ସେଠାରୁ ସିଧା ଟୋକିଓ ଅଲିମ୍ପିକ୍ସ। ମୋଟ ୮୦ ଦିନ। ଭାରତୀୟ ବନ୍ଧୁକଚାଳକ ଦଳ ଆପଣମାନଙ୍କ ଆଶୀର୍ବାଦ ଚାହୁଁଛି’’ ବୋଲି ଦଳ ସହ କ୍ରୋଏସିଆ ଗସ୍ତ କରିଥିବା ଉଚ୍ଚଗୁଣବତ୍ତା ସ୍ବତନ୍ତ୍ର ପ୍ରଶିକ୍ଷକ ଶୋମା ଶିରୁର ଟ୍ବିଟର୍ରେ ପ୍ରକାଶ କରିଛନ୍ତି। ଏହି ଦଳ କ୍ରୋଏସିଆର ଓସିଜେକ୍ରେ ମେ’ ୨୦ରୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ୟୁରୋପୀୟ ଚାମ୍ପିଅନ୍ସିପ୍ରେ ଖେଳିବ। ଏହା ପରେ ସେହି ସହରରେ ଆଇଏସ୍ଏସ୍ଏଫ୍ ବିଶ୍ବକପ୍ରେ ଜୁନ୍ ୨୨ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ପ୍ରତିଦ୍ବନ୍ଦ୍ବିତା କରିବ।
ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ଗସ୍ତ କରିଥିବା ଭାରତୀୟ ଦଳକୁ ମଧ୍ୟ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଶୁଭେଚ୍ଛା ଜଣାଇଛନ୍ତି। ‘‘ଆମ ପାଇଁ ଏବେ ଭାରତରେ ତାଲିମ ନେବା ଉପଯୁକ୍ତ ନୁହେଁ। ୫୦ ମିଟର ରାଇଫଲ ଥ୍ରି ପୋଜିସନ୍ର ଘରୋଇ ତାଲିମ ନେବା ମୋ ପାଇଁ ସମ୍ଭବ ନୁହେଁ। ଏଥିପାଇଁ ମୋତେ ଦିଲ୍ଲୀ କିମ୍ବା ପୁଣେ ଗସ୍ତ କରିବାକୁ ପଡ଼ିଥା’ନ୍ତା। ଯାହା ମହାମାରୀ ସମୟରେ ସୁରକ୍ଷିତ ନୁହେଁ। ଏବର ସ୍ଥିତି ଅନୁଯାୟୀ ଭାରତ ଅପେକ୍ଷା କ୍ରୋଏସିଆ ତାଲିମ ପାଇଁ ଶ୍ରେଷ୍ଠ ସ୍ଥାନ। ଦଳ ସହ ଗୋଟିଏ ସ୍ଥାନରେ ତାଲିମ ନେବା ଅଧିକ ଆତ୍ମବିଶ୍ବାସ ମିଳିଥାଏ। ଘରଠୁ ୩ ମାସ ଦୂରରେ ରହିବା ମୋ ପାଇଁ ଅସୁବିଧା ହେବନାହିଁ’’ ବୋଲି ଗସ୍ତ ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଦ୍ବାରା ଆୟୋଜିତ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ରାଇଫଲ ସୁଟର ଅଞ୍ଜୁମ ମୁଦଗିଲ କହିଛନ୍ତି।
ଟୋକିଓ ଯାଇନପାରନ୍ତି ଭାରତୀୟ ପିସ୍ତଲ୍ ପ୍ରଶିକ୍ଷକ
ପୁଣେ: ଭାରତୀୟ ପିସ୍ତଲ୍ ଦଳର ପ୍ରଶିକ୍ଷକ ଯଶପାଲ୍ ରାଣା, ରୋନକ ପଣ୍ଡିତ ଏବଂ ସମରେଶ ଜଙ୍ଗ ତାଲିମ ଶିବିରରୁ ଓହରିଥିବାରୁ ଟୋକିଓ ଅଲିମ୍ପିକ୍ସ ପାଇଁ ଗସ୍ତ କରିନପାରନ୍ତି। ଜାଗ୍ରେବ୍ ତାଲିମ ଶିବିର ମେ’ ୧୧ ତାରିଖରୁ ଆରମ୍ଭ ହେବ। ଭାରତୀୟ ନ୍ୟାସନାଲ୍ ରାଇଫଲ୍ ସଂଘ ଏଥି ଲାଗି ସମ୍ପ୍ରସାରିତ ଦଳ ଘୋଷଣା କରିଛି। ତେବେ ସାମ୍ପ୍ରତିକ କୋଭିଡ୍ ପରିସ୍ଥିତି କାରଣରୁ ଏହି ୩ ଖ୍ୟାତନାମା ବଂଧୁକଚାଳନା ପ୍ରଶିକ୍ଷକ ଉପରୋକ୍ତ ୨ ମାସିଆ ଶିବିରରୁ ଓହରିଯାଇଥିଲେ। ଆସନ୍ତା ସପ୍ତାହ ସୁଦ୍ଧା ପ୍ରଶିକ୍ଷକଙ୍କ ସ୍ବୀକୃତି ଲାଗି ନାମ ପଠାଇବାକୁ ଥିବାରୁ ଏହି ୩ ଜଣଙ୍କ ଟୋକିଓ ଗସ୍ତ ନେଇ ଆଶଙ୍କା ରହିଛି। ତେବେ ପ୍ରଶିକ୍ଷକଙ୍କ ନିଷ୍ପତ୍ତିକୁ ଏନଆରଏଆଇ ବୁଝିଛି ଓ ସମ୍ମାନ ଜଣାଉଛି ବୋଲି ସଭାପତି ରଣିନ୍ଦର ସିଂହ ପ୍ରକାଶ କରିଛନ୍ତି। ପ୍ରଶିକ୍ଷକମାନେ ମନ ପରିବର୍ତନ କଲେ ସେମାନଙ୍କ ସାମିଲ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। କ୍ରୋଏସିଆ ଗସ୍ତ କିନ୍ତୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ସେଠାରେ ଭାରତୀୟ ବଂଧୁକଚାଳକମାନେ ୟୁରୋପୀୟ ପ୍ରତିଯୋଗିତା ଏବଂ ଆଇଏସଏସ୍ଏଫ୍ ବିଶ୍ବକପ୍ରେ ବି ଭାଗନେବେ। ଅନ୍ୟପକ୍ଷରେ ତାରକା ବଂଧୁକଚାଳିକା ମନୁ ଭାକର ଏଣିକି ଯଶପାଲ୍ ରାଣାଙ୍କ ବଦଳରେ ରୋନକ ପଣ୍ଡିତଙ୍କ ନିକଟରେ ପ୍ରଶିକ୍ଷଣ ନେବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ସେହିଭଳି ରାଣାଙ୍କ ଅଧିନରେ ଅଭିଷେକ ବର୍ମା ରହିବେ। ତେବେ ଭାରତୀୟ ଦଳର ପିସ୍ତଲ୍ ସୁଟରମାନେ ଜାତୀୟ ପ୍ରଶିକ୍ଷକ ବେଦ ପ୍ରକାଶ ପିଲାନିଆ ଓ ବିଦେଶ ପ୍ରଶିକ୍ଷକ ପାଭେଲ୍ ସ୍ମିର୍ଣ୍ଣୋଭ୍ଙ୍କ ଅଧିନରେ ତାଲିମ ନେବେ।