ଭାରତୀୟ ସୁଟରଙ୍କ ପାଇଁ ସଂଗରୋଧର ଆବଶ୍ୟକତା ନାହିଁ ୧୯ରୁ ଅଭ୍ୟାସ ଆରମ୍ଭ କରିବେ

ଟୋକିଓ ଅଭିମୁଖେ ବାହାରିଲେ ଭାରତୀୟ ତୀରନ୍ଦାଜି ଦଳ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ବନ୍ଧୁକଚାଳକମାନେ ଶନିବାର ସକାଳେ କ୍ରୀଡ଼ାଗ୍ରାମରେ ପହଞ୍ଚିସାରିଛନ୍ତି। ପହଞ୍ଚିବା ମାତ୍ରେ ସମସ୍ତଙ୍କୁ ମଧ୍ୟ ନିଜ ନିଜ କୋଠରୀ ମିଳିଯାଇଛି। ସେମାନେ କ୍ରୋଏସିଆରୁ ସିଧାସଳଖ ଜାପାନ ଯାଇଥିବାରୁ ଅଲିମ୍ପିକ୍ସ ପୂର୍ବରୁ ସେମାନଙ୍କ ପାଇଁ ସେଠାରେ କୌଣସି ସଂଗରୋଧ କିମ୍ବା ଏକାନ୍ତବାସର ଆବଶ୍ୟକତା ନାହିଁ। ତେଣୁ ଭାରତୀୟ ବନ୍ଧୁକଚାଳକମାନେ ଆସନ୍ତା ୧୯ ତାରିଖରୁ କ୍ରୀଡ଼ାସ୍ଥଳରେ ହିଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ଭାରତୀୟ ଜାତୀୟ ରାଇଫଲ ସଂଘ ସଂପାଦକ ରାଜୀବ ଭାଟିଆ କହିଛନ୍ତି।

ସୋମବାର ସୁଟରମାନେ ସୁଟିଂ ରେଞ୍ଚ୍‌ ପରିଦର୍ଶନ କରିପାରିବେ ବୋଲି ସେ କହିଛନ୍ତି। ସୁଟିଂ ଇଭେଣ୍ଟ ଉତ୍ତର-ପୂର୍ବ ଟୋକିଓର ସୈତମା ପ୍ରିଫେକ୍ଚରସ୍ଥିତ ଅସାକା ସୁଟିଂ ରେଞ୍ଜ୍‌ରେ ଆୟୋଜିତ ହେବ। ଏହି ଭେନ୍ୟୁରେ ୧୯୬୪ ଅଲିମ୍ପିକ୍ସ ସୁଟିଂ ପ୍ରତିଯୋଗିତା ମଧ୍ୟ ହୋଇଥିଲା। ଏଥର ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେଉଥିଲା ବେଳେ ଏହାର ପରଦିନଠୁ ବନ୍ଧୁକଚାଳନା ପ୍ରତିଯୋଗିତା ଆରମ୍ଭ ହୋଇଯିବ। ବିନା ଦର୍ଶକରେ ପ୍ରତିଯୋଗିତା ହେବ। ଏଥି‌ରେ ଭାରତର ୧୫ ଜଣିଆ ସୁଟିଂ ଦଳ ଭାଗ ନେଉଛି। ସେମାନଙ୍କ ମଧ୍ୟରେ ୮ ରାଇଫଲ, ୫ ପିସ୍ତଲ ଓ ୨ ଜଣ ସ୍କିଟ୍‌ ସୁଟର ରହିଛନ୍ତି।

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଅଭିଜ୍ଞ ଦୀପିକା କୁମାରୀ, ଅତନୁ ଦାସ ଓ ତରୁଣଦୀପ ରାୟଙ୍କ ସମେତ ଭାରତୀୟ ତୀରନ୍ଦାଜି ଦଳ ଶୁକ୍ରବାର ଏଠାରୁ ଟୋକିଓ ଅଭିମୁଖେ ଯାତ୍ରା କରିଛି। ପୁଣେସ୍ଥିତ ଆର୍ମି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ସ୍ପୋର୍ଟସଠାରେ ଚୂଡାନ୍ତ ମନୋନୟନ ଟ୍ରାଏଲ୍‌ ପରେ ୬ ଜଣିଆ ତୀରନ୍ଦାଜ (ପୁରୁଷ ୩ ଓ ମହିଳା ୩)ଙ୍କୁ ଟୋକିଓ ଅଲିମ୍ପିକ୍ସ ପାଇଁ ମନୋନୀତ କରାଯାଇଥିଲା। ପୁରୁଷ ବିଭାଗରେ ଅତନୁ ଓ ତରୁଣଦୀପଙ୍କ ବ୍ୟତୀତ ପ୍ରବୀଣ ଯାଦବ ଦଳରେ ରହିଥିଲା ବେଳେ ମହିଳାରେ ଦୀପିକାଙ୍କ ବ୍ୟତୀତ ଅଙ୍କିତା ଭକତ ଓ କୋମୋଲିକା ବାରି ଟୋକିଓ ଯାଇଛନ୍ତି। ଟୋକିଓରେ ଭାରତୀୟ ତୀରନ୍ଦାଜି ଦଳ ଇତିହାସ ରଚିବ ବୋଲି ଦଳର ଯାତ୍ରା ପୂର୍ବରୁ ବିଶ୍ବାସ ପ୍ରକଟ କରିଛନ୍ତି ଭାରତୀୟ ତୀରନ୍ଦାଜି ସଂଘର ସଭାପତି ଅର୍ଜୁନ ମୁଣ୍ଡା।

ସମ୍ବନ୍ଧିତ ଖବର