ଇ˚ଲଣ୍ଡ୍ ପରିବେଶରେ ଭାରତୀୟ ସ୍ପିନର ସଫଳ ହେବେ: ରଶ୍ମି

କଟକ: ଇ˚ଲଣ୍ଡ୍‌ରେ ବିଶ୍ବକପ୍‌ ହେବା ସବୁବେଳେ ଉତ୍ସାହଜନକ। ନିଜ ଘରେ ଇ˚ଲଣ୍ଡ୍‌‌ ଖେଳୁଥିବାରୁ ଏହି ଦଳ ପ୍ରଥମ ପସନ୍ଦିତା ରହିବ। ବର୍ତ୍ତମାନର ପ୍ରଦର୍ଶନକୁ ନଜରରେ ରଖିଲେ ସେମାନେ ଅନ୍ୟମାନଙ୍କ ଅପେକ୍ଷା ଭଲ ଖେଳୁଛନ୍ତି। ଏହାପଛକୁ ଭାରତ ଓ ଅଷ୍ଟ୍ରେଲିଆ ଆସିବେ। ମଝିରେ କିଛି ସମୟ ପାଇଁ ଅଷ୍ଟ୍ରେଲିଆ ସାମାନ୍ୟ ଦୁର୍ବଳ ହୋଇପଡ଼ିଥିଲା। ହେଲେ ଡେଭିଡ୍‌ ଵାର୍ନର ଓ ଷ୍ଟିଭେନ୍‌ ସ୍ମିଥ୍‌ ଫେରିବା ପରେ ଅଷ୍ଟ୍ରେଲିଆ ଆହୁରି ମଜବୁତ ହୋଇଛି। ଚତୁର୍ଥ ଦଳ ଭାବେ ପାକିସ୍ଥାନ ରହିବ। ଏମାନେ ସେମିଫାଇନାଲ୍‌ ପର୍ଯ୍ୟନ୍ତ ଯିବେ ବୋଲି ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ତଥା ପୂର୍ବତନ ରଣଜୀ କ୍ରିକେଟର୍‌ ରଶ୍ମିର˚ଜନ ପରିଡ଼ା କହିଛନ୍ତି। ହେଲେ ଫାଇନାଲ୍‌କୁ କିଏ ଯିବ ତାହା ଆକଳନ କରିବା ଅସମ୍ଭବ। କାରଣ ପ୍ରତ୍ୟେକ ଦଳ ନିଜନିଜ କ୍ଷେତ୍ରରେ ଶକ୍ତିଶାଳୀ ବୋଲି ସେ କହିଛନ୍ତି।

ଭାରତୀୟ ଖେଳାଳିଙ୍କ ଉପରେ ସେ କହିଛନ୍ତି ଯେ, ଆମର ପ୍ରତ୍ୟେକ ଖେଳାଳି ଏବେ ଆଇପିଏଲ୍‌ ଅଭିଜ୍ଞତା ନେଇ ଆସିଛନ୍ତି। ତେଣୁ ଏମାନଙ୍କ ପ୍ରଦର୍ଶନ ଉପରେ କୌଣସି ପ୍ରଶ୍ନ ଉଠିବା ଉଚିତ୍‌ ନୁହେଁ। ଏପରିକି ଯେଉଁ ଅଭ୍ୟାସ ଶିବିର କଥା ଉଠୁଛି, ତାହାର ସେତେଟା ଆବଶ୍ୟକ ହେବନି। କାରଣ ଆଇପିଏଲ୍‌ ହିଁ ସେମାନଙ୍କ ପାଇଁ ଗୋଟିଏ ଅଭ୍ୟାସ ସମୟ ଥିଲା। ଦଳର ସବୁ ଖେଳାଳିମାନେ ଯଥେଷ୍ଟ ପରିପକ୍ବ ଅଛନ୍ତି। କେବଳ ଇ˚ଲଣ୍ଡ୍‌ ପରିବେଶରେ ସମସ୍ତେ ଶୀଘ୍ର ନିଜକୁ ସୁହାଇ ପାରିଲେ ତାହା ଦଳକୁ ଫାଇଦାରେ ରଖିବ। ଆରମ୍ଭରୁ ଯଦିଓ ଏହି ପରିବେଶରେ ଖେଳିବା କେତେକଙ୍କ ପାଇଁ ଟିକେ ସମସ୍ୟା ହେବ। କିନ୍ତୁ ଦୁଇଟି ଅଭ୍ୟାସ ମ୍ୟାଚ୍‌ ପରେ ସେମାନେ ପ୍ରାୟତଃ ଫିଟ୍‌ ହୋଇଯାଇଥିବେ। ଭାରତୀୟ ସ୍ପିନରମାନେ ଇ˚ଲଣ୍ଡ୍‌ ପରିବେଶରେ ଭଲ ପ୍ରଦର୍ଶନ କରିବେ। ପିଚ୍‌ ଅନୁଯାୟୀ କାହାକୁ ସୁଯୋଗ ମିଳିବ ତାହାକୁ ଅପେକ୍ଷା କରିବାକୁ ହେବ। ଏମାନଙ୍କ ଉପରେ ମ୍ୟାଚ୍‌ର ଗତି ନିର୍ଭର କରିବ ବୋଲି ରଶ୍ମି କହିଛନ୍ତି।

ଧୋନିଙ୍କ ପାଇଁ ଶେଷ ବିଶ୍ବକପ୍‌ ବୋଲି ଯେଉଁମାନେ କହୁଛନ୍ତି, ସେମାନଙ୍କୁ ଏପରି ଚିନ୍ତା କରିବାରୁ ନିବୃତ୍ତ ରହିବାକୁ ରଶ୍ମି ପରାମର୍ଶ ଦେଇଛନ୍ତି। ତାଙ୍କର ଶାରୀରିକ ଦକ୍ଷତା ଓ ମ୍ୟାଚ‌୍ ପ୍ରଦର୍ଶନକୁ ନେଇ କେହି ବି ସନ୍ଦେହ କରିପାରିବେନି। ଏବେ ବି ସେ ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିବା ଭଳି ଦକ୍ଷତା ରଖୁଥିବା ନିକଟରେ ଆଇପିଏଲ୍‌ରେ ଦେଖିବାକୁ ମିଳିଛି। ତେଣୁ ସେ କେବେ ଅବସର ନେବେ, ତାହା ତାଙ୍କ ଉପରେ ଛାଡ଼ି ଦିଆଯାଉ। ତଥାପି ବିରାଟ କୋହଲି ଓ ଧୋନି ମଧ୍ୟରେ ତୁଳନା କରିବା ଅନୁଚିତ୍‌। କୋହଲି ଆରମ୍ଭରୁ ଉତ୍ତେଜିତ ସ୍ବଭାବର। କିନ୍ତୁ ଧୋନି ଶାନ୍ତ ସ୍ବଭାବୀ। ଏହାସତ୍ତ୍ବେ ଉଭୟ ନିଜ ନିଜର ଦାୟିତ୍ବ ଜାଣିଛନ୍ତି। ଆବଶ୍ୟକ ହେଲେ ଧୋନି, କୋହଲିଙ୍କ ଉପରୁ ଚାପ ହଟାଇବା କୌଶଳ ମଧ୍ୟ ଜାଣିଛନ୍ତି। ତେଣୁ ମ୍ୟାଚ୍‌ ବେଳେ କୌଣସି ନିଷ୍ପତ୍ତି ନିଆଯିବାରେ ସମସ୍ୟା ହେବ ନାହିଁ ବୋଲି ରଶ୍ମି ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର