ମୁମ୍ବାଇ: ଚଳିତ ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଲାଗି ବୁଧବାର ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ୱିକେଟ୍‌ ରକ୍ଷକ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ସାମିଲ ଅଛନ୍ତି। ଇଂଲଣ୍ଡ ଗସ୍ତର ଚତୁର୍ଥ ଟେଷ୍ଟ୍‌ରେ ପାଦ‌ରେ ଆଘାତ ଲାଗିବା ପରେ ଭାରତୀୟ ଦଳରୁ ଦୂରେଇ ରହିଥିଲେ ସେ। ତେବେ ନିକଟରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷ ଅନୌପଚାରିକ ଟେଷ୍ଟ୍‌ରେ ଭାରତୀୟ ‘ଏ’ ଦଳର ନେତୃତ୍ବ ନେଇ ନିଜ ଫିଟ୍‌ନେସ୍‌ର ପ୍ରମାଣ ଦେଇଥିଲେ। ଦ୍ବିତୀୟ ପାଳିରେ ତାଙ୍କ ୯୬ ରନ୍‌ର ପାଳି ଯୋଗୁଁ ଭାରତ ‘ଏ’ ମଧ୍ୟ ଏହି ମ୍ୟାଚ୍‌କୁ ଜିତି ନେଇଥିଲା। ତାମିଲନାଡ଼ୁ ୱିକେଟ୍‌ରକ୍ଷକ ଏନ୍. ଜଗଦୀଶନଙ୍କ ସ୍ଥାନ ନେଇଥିବା ପନ୍ତ କେବଳ ଭାରତୀୟ ଟେଷ୍ଟ୍ ଦଳକୁ ଫେରି ନାହାନ୍ତି, ବରଂ ଉପଅଧିନାୟକ ପଦ ବି ପାଇଛନ୍ତି। ସେହିଭଳି କାନ୍ଧ ଆଘାତରୁ ମୁକୁଳିବା ପରେ ବେଙ୍ଗଲ ଦ୍ରୁତ ବୋଲର ଆକାଶ ଦୀପ ମଧ୍ୟ ଭାରତୀୟ ଦଳକୁ ଫେରିଛନ୍ତି। ବେଙ୍ଗଲ ପକ୍ଷରୁ ଈରାନୀ ଟ୍ରଫି ଓ ରଣଜୀ ଟ୍ରଫି ଖେଳି ସେ ନିଜ ଫିଟ୍‌ନେସ୍‌ର ପ୍ରମାଣ ଦେଇଥିଲେ। ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ସେ ମଧ୍ୟ ଭାରତୀୟ ‘ଏ’ ଦଳର ପ୍ରତିନିଧିତ୍ବ କରିଥିଲେ। 

Advertisment

ସେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନ ନେଇଛନ୍ତି। ଭାରତୀୟ ଦ୍ରୁତ ବୋଲିଂ ବାହିନୀରେ ଆକାଶ ଦୀପଙ୍କ ସହ ଅଭିଜ୍ଞ ଯଶପ୍ରୀତ୍ ବୁମ୍‌ରା ଓ ମହମ୍ମଦ ସିରାଜ ରହିଛନ୍ତି। ସ୍ପିନ୍ ବିଭାଗରେ ତିନି ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ,  ୱାସିଂଟନ୍ ସୁନ୍ଦରଙ୍କ ସହ କଚଟି ସ୍ପିନର୍‌ କୁଲଦୀପ ଯାଦବ ରହିଛନ୍ତି। ଆଶାଜନକ ଭାବେ ଶୁବମନ୍ ଗିଲ୍ ଅଧିନାୟକ ପଦ ବଜାୟ ରଖିଛନ୍ତି। ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିବା ସତ୍ତ୍ବେ ବରି‌‌ଷ୍ଠ ବୋଲର ମହମ୍ମଦ ସାମି ଏବଂ ଶୀର୍ଷକ୍ରମ ବ୍ୟାଟର୍‌ କରୁଣ ନାୟରଙ୍କୁ ଚୟନକର୍ତ୍ତା ବିଚାରକୁ ନେଇ ନାହାନ୍ତି। ସୂଚନଯୋଗ୍ୟ ଯେ ଏହି ଶୃଙ୍ଖଳାର ପ୍ରଥମ ଟେଷ୍ଟ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ୧୪ରୁ ଏବଂ ଦ୍ବିତୀୟ ୨୨ରୁ ଆସାମର ଗୁଆହାଟୀଠାରେ ଖେଳାଯିବ। ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଜାତୀୟ ଚୟନ ସମିତି ମଧ୍ୟ ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ଭାରତୀୟ ‘ଏ’ ଦଳ ବାଛିଛନ୍ତି। ତିଳକ ବର୍ମା, ଭାରତୀୟ ‘ଏ’ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲା ବେଳେ ଋତୁରାଜ ଗାଏକ୍ବାଡ୍‌ଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି।

ଭାରତୀୟ ଟେଷ୍ଟ୍ ଦଳ: ଶୁବମନ୍ ଗିଲ୍ (ଅଧିନାୟକ), ଋଷଭ ପନ୍ତ (ଉପଅଧିନାୟକ, ୱିକେଟ୍‌ରକ୍ଷକ), ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପଡ଼ିକଲ, ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡ଼େଜା, ୱାସିଂଟନ୍ ସୁନ୍ଦର, ଯଶପ୍ରୀତ୍ ବୁମ୍‌ରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଆକାଶ ଦୀପ। 

ଭାରତୀୟ ‘ଏ’ ଦଳ: ତିଳକ ବର୍ମା (ଅଧିନାୟକ), ଋତୁରାଜ ଗାଏକ୍ବାଡ୍ (ଉପଅଧିନାୟକ), ଅଭିଷେକ ଶର୍ମା, ରିୟାନ ପରାଗ, ଈଶାନ କିଶନ (ୱିକେଟ୍‌ରକ୍ଷକ), ପ୍ରଭସିମରନ୍ ସିଂହ (ୱିକେଟ୍‌ରକ୍ଷକ), ଆୟୁଷ ବଦୋନୀ, ନିଶାନ୍ତ ସାନ୍ଧୁ, ବିପ୍ରଜ ନିଗମ, ମାନବ ସୂତାର, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ଖଲିଲ ଅହମଦ।