ମୁମ୍ବାଇ: ଇଂଲଣ୍ଡ୍ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଶନିବାର ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ସୂର୍ଯ୍ୟକୁମାର ୟାଦବଙ୍କ ନେତୃତ୍ବାଧୀନ ଏହି ଦଳକୁ ୧୪ ମାସ ପରେ ଫେରିଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି। ସାମି ଶେଷ ଥର ପାଇଁ ୨୦୨୩ ଦିନିକିଆ ବିଶ୍ବକପ୍ ଫାଇନାଲ୍ ଖେଳିବା ପରଠାରୁ ଆହତ କାରଣରୁ ଦଳଠାରୁ ଦୂରେଇ ରହିଥିଲେ। ଆହତ କାରଣରୁ ଯଶପ୍ରୀତ ବୁମ୍ରାଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ। ଗତବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା ଦଳର ୱିକେଟ୍ରକ୍ଷକ ଋଷଭ ପନ୍ତ୍ଙ୍କୁ ସ୍ଥାନ ମିଳିନଥିବାବେଳେ ଏହି ଦାୟିତ୍ବ ସଂଜୁ ସାମସନ୍ ଓ ଧ୍ରୁବ ଜୁରେଲଙ୍କୁ ଦିଆଯାଇଛି। ଗତ ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୧ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଥିବା ଦଳରୁ ରମଣଦୀପ ସିଂହ, ଜିତେଶ ଶର୍ମା, ଆୱେସ ଖାନ୍, ୟାଶ ଦୟାଲ ଓ ବିଜୟ କୁମାର ବୈଶାକ ବାଦ୍ ପଡ଼ିଛନ୍ତି। ସାମି ଗତ ନଭେମ୍ବର ମାସରେ ଘରୋଇ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରି ବେଙ୍ଗଲ ପାଇଁ ସୟଦ ମୁସ୍ତାକ ଅଲୀ ଓ ବିଜୟ ହଜାର ଟ୍ରଫିରେ ଖେଳିଥିଲେ।
ଭାରତୀୟ ଦଳ ଚଳିତ ଜାନୁଆରି ୨୨ରେ କୋଲକାତାରେ ପ୍ରଥମ ମ୍ୟାଚ୍ ଖେଳିବା ପରେ ଚେନ୍ନାଇ (ଜାନୁଆରି ୨୫), ରାଜକୋଟ (ଜାନୁଆରି ୨୮), ପୁନେ (ଜାନୁଆରି ୩୧) ଏବଂ ମୁମ୍ବାଇ (ଫେବ୍ରୁଆରି ୨)ରେ ପରବର୍ତ୍ତୀ ୪ ମ୍ୟାଚ୍ ଖେଳିବ। ଏହା ପରେ ଇଂଲଣ୍ଡ ଦଳ ନାଗପୁର (ଫେବ୍ରୁଆରି ୬), କଟକ (ଫେବ୍ରୁଆରି ୯), ଅହମଦାବାଦ (ଫେବ୍ରୁଆରି ୧୨)ରେ ୩ଟି ଦିନିକିଆ ଖେଳି ଚାମ୍ପିଅନ୍ସ ଟ୍ରଫି ପ୍ରସ୍ତୁତିରେ ଶେଷ ସ୍ପର୍ଶ ଦେବ। ଫେବ୍ରୁଆରି ୨୫ରୁ ପାକିସ୍ତାନ ଓ ଦୁବାଇରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ୍ ମଡେଲରେ ଖେଳାଯିବ। ଚଳିତ ଜାନୁଆରି ୧୨ ତାରିଖ ଭିତରେ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣାର ଶେଷ ତାରିଖ ଥିଲେ ମଧ୍ୟ ଏହା କରାଯାଇନାହିଁ।
ଭାରତୀୟ ଟ୍ବେଣ୍ଟି-୨୦ ଦଳ: ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ସଂଜୁ ସାମ୍ସନ୍ (ୱିକେଟରକ୍ଷକ), ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ୍ (ଉପଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାସିଂଟନ୍ ସୁନ୍ଦର, ଧ୍ରୁବ ଜୁରେଲ (ୱିକେଟ୍ରକ୍ଷକ)।
ଜାଡ଼େଜାଙ୍କ ଅବସର ଚର୍ଚ୍ଚା
ବଡ଼ୋଦରା: ଭାରତୀୟ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଇନଷ୍ଟାଗ୍ରାମରେ ନିଜ ଭାରତୀୟ ‘ଟେଷ୍ଟ୍’ ଜର୍ସିର ଏକ ଫଟୋ ପ୍ରକାଶ କରିବା ପରେ ଏହା ଘଣ୍ଟାକ ଭିତରେ ଭାଇରାଲ୍ ହୋଇଛି। ଏଥି ସହ ତାଙ୍କ ଅବସର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଛି ପ୍ରଶଂସକ ଥଟ୍ଟାମଜା କରିବାକୁ ଯାଇ ଅବସର ଜୀବନ ପାଇଁ ଆଗୁଆ ଜାଡ଼େଜାଙ୍କୁ ଶୁଭକାମନା ଜଣାଇଥିଲା ବେଳେ ଆଉ କେତେକ ତାଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଗତବର୍ଷ ଟ୍ବେଣ୍ଟି-୨୦ରୁ ଅବସର ଘୋଷଣା କରି ସାରିଥିବା ଜାଡ଼େଜା ବିଗତ କିଛି ବର୍ଷ ହେବ ଭାରତୀୟ ଟେଷ୍ଟ୍ ଓ ଦିନିକିଆ ଦଳର ନିୟମିତ ସଦସ୍ୟ ରହିଆସିଛନ୍ତି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଗସ୍ତରେ ଆଶାଜନକ ପ୍ରଦର୍ଶନ କରି ନପାରି ୩ ଟେଷ୍ଟ୍ରୁ ମାତ୍ର ୧୩୫ ରନ୍ କରିବା ସହ କେବଳ ୪ଟି ୱିକେଟ୍ କରାୟତ୍ତ କରିଥିଲେ। ସୂଚନା ଅନୁସାରେ ଅଜିତ ଅଗରକରଙ୍କ ନେତତ୍ବାଧୀନ ଚୟନ ସମିତି ତାଙ୍କ ପ୍ରଦର୍ଶନ ନେଇ ଖୁସି ନାହିଁ। ବରଂ ଜାଡ଼େଜାଙ୍କ ସ୍ଥାନରେ ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚିନ୍ତା କରୁଛି। ଚାମ୍ପିଅନ୍ସ ଟ୍ରଫି ଦଳରୁ ଜାଡ଼େଜା ବାଦ୍ ପଡ଼ୁଛନ୍ତି କି ରହୁଛନ୍ତି, ତା’ ଉପରେ ତାଙ୍କ ଭବିଷ୍ୟତ ଆପାତତଃ ନିର୍ଭର କରିବ।