ମୁମ୍ବାଇ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରୋହିତ ଶର୍ମା, ବିରାଟ ‌କୋହଲି ଓ ଆର ଅଶ୍ବିନଙ୍କ ଅବସର ପରେ କିଏ ଭାରତୀୟ ଟେଷ୍ଟ୍ ଦଳର ପରବର୍ତ୍ତୀ ଅଧିନାୟକ ହେବ? ବହୁଦିନ ହେବ ଲାଗିରହିଥିବା ସେ ଅଙ୍କକଷାରେ ପୂର୍ଣ୍ଣଛେଦ ପଡ଼ିଛି। ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଜାତୀୟ ବରିଷ୍ଠ ଚୟନ ସମିତି ୨୫ ବର୍ଷୀୟ ପଞ୍ଜାବୀ ତାରକା ଶୁବମନ ଗିଲ୍‌ଙ୍କ ମୁଣ୍ଡରେ ସୁନାକଳସ ଢ଼ାଳିଛି। ଇଂଲଣ୍ଡ ଗସ୍ତ ଲାଗି ଗିଲ୍‌ଙ୍କୁ ଅଧିନାୟକ ଦାୟିତ୍ବ ମିଳିଛି। ଫଳରେ ଭାରତୀୟ କ୍ରିକେଟ୍‌ରେ ଏକ ନୂଆ ଯୁଗର ଶୁଭାରମ୍ଭ ହୋଇଛି। ଅଧିନାୟକ ନିଯୁକ୍ତ ହେବା ପରେ ତାଙ୍କ ଗୌରବମୟ ଯାତ୍ରାର ଶୁଭକାମନା କରି ବହୁ ପୂର୍ବତନ କ୍ରିକେଟର୍ ଶୁଭେଚ୍ଛାବାର୍ତ୍ତା ପଠାଇଛନ୍ତି। ସେହିଭଳି ଗିଲ୍‌ଙ୍କ ନେତୃତ୍ବରେ ଇଂଲଣ୍ଡରେ ଭାରତ ଭଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗିଲ୍‌ଙ୍କୁ ଏହି ଗୁରୁ ଦାୟିତ୍ବ ମିଳିବାରେ ଓଡ଼ିଆ ଛାପ ମଧ୍ୟ ରହିଛି। କାରଣ ମୁଖ୍ୟ ଚୟନକର୍ତ୍ତା ଅଗରକରଙ୍କ ସହ ସୁବ୍ରତ ବାନାର୍ଜୀ, ଅଜୟ ରାତ୍ରା, ଶ୍ରୀଧରନ୍ ଶରତ ଏବଂ ଓଡ଼ିଶାର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ଶିବ ସୁନ୍ଦର ଦାସ ବହୁ ବିଚାରବିମର୍ଷ ପରେ ଗିଲ୍‌ଙ୍କୁ ‌ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ବାଛିଛନ୍ତି।

Advertisment

ଗିଲ୍ ଭାରତର ପଞ୍ଚମ ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ହୋଇଥିଲା ବେଳେ ୱିକେଟ୍ ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ଉପଅଧିନାୟକ ପଦ ପାଇଛନ୍ତି। ଚୟନକର୍ତ୍ତାମାନେ କରୁଣ ନାୟରଙ୍କ ‌ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ନୂଆ ଜୀବନ ଭରି ତାଙ୍କୁ ୭ବର୍ଷ ପରେ ଭାରତୀୟ ଟେଷ୍ଟ୍ ଦଳରେ ସାମିଲ କରିଛନ୍ତି। ସେ ସର୍ଫରାଜ ଖାନଙ୍କ ସ୍ଥାନ ନେଇଛନ୍ତି। ଶେଷ ଥର ପାଇଁ ୨୦୧୭ ମସିହା ମାର୍ଚ୍ଚ ମାସରେ ନାୟର ଧର୍ମଶାଳାଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ସେହିଭଳି ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଗୁଜରାଟ ଟାଇଟନ୍ସ ଓପନର ସାଇ ସୁଦର୍ଶନ ଏବଂ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ପ୍ରଥମ ଥର ଲାଗି ଟେଷ୍ଟ୍‌ ଦଳକୁ ଡାକରା ପାଇଛନ୍ତି। ହର୍ଷିତ ରାଣାଙ୍କ ସ୍ଥାନ ନେଇଛନ୍ତି ଅର୍ଶଦୀପ। ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ କିନ୍ତୁ ଅସ୍ଥିର ପ୍ରଦର୍ଶନ ସହ ବାରମ୍ବାର ଆହତ ହେବାର କୁପରିଣାମ ଭୋଗିବାକୁ ପଡ଼ିଛି। ଚୟନକର୍ତ୍ତାମାନେ ଜୁନ୍ ୨୦ରୁ ଆରମ୍ଭ ହେଉଥିବା ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳାରୁ ବାଦ୍ ଦେଇଛନ୍ତି। କେଏଲ୍ ରାହୁଲ, ଅଭିମନ୍ୟୁ ଈଶ୍ବରନ୍ ମଧ୍ୟ୍ୟ ଇଂଲଣ୍ଡ ଗସ୍ତ ଟିକେଟ ପାଇଛନ୍ତି। ଧ୍ରୁବ ଜୁରେଲ ଦ୍ବିତୀୟ ୱିକେଟ୍ ରକ୍ଷକ ଭାବେ ଦଳରେ ଅଛନ୍ତି। ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜାଙ୍କୁ ନେଇ ସୃଷ୍ଟି ହୋଇଥିବା ସଂଶୟକୁ ଦୂର କରି ଚୟନକର୍ତ୍ତାମାନେ ତାଙ୍କୁ ୧୮ଜଣିଆ ଦଳରେ ରଖିଛନ୍ତି। ଅନ୍ୟତମ ଅଲରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ଓ ଜାଡ଼େଜାଙ୍କ ସହ ଏକମାତ୍ର ବିଶେଷଜ୍ଞ ସ୍ପିନର୍ ଭାବେ କୁଲଦୀପ ୟାଦବ ନିଜ ସ୍ଥାନ ବଜାୟ ରଖିଛନ୍ତି। 

ଭାରତୀୟ ଦଳ: ଶୁବମନ ଗିଲ୍‌ (ଅଧିନାୟକ), ଋଷବ ପନ୍ତ (ୱିକେଟ୍ ରକ୍ଷକ, ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ୍, କେଏଲ୍ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ବରନ୍, କରୁଣ ନାୟର, ନୀତୀଶ ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ (ଦ୍ବିତୀୟ ୱିକେଟ୍ ରକ୍ଷକ), ୱାସିଂଟନ୍ ସୁନ୍ଦର, ଶାର୍ଦୁଳ ଠାକୁର, ଯଶପ୍ରୀତ୍ ବୁମ୍‌ରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂହ, କୁଲଦୀପ ୟାଦବ। 

ଗିଲ୍ ୩୭ତମ, ପଞ୍ଚମ ସର୍ବକନିଷ୍ଠ
ଶୁବମନ୍ ଗିଲ୍ ଭାରତର ୩୭ତମ ଟେଷ୍ଟ୍ ଅଧିନାୟକ ହୋଇଛନ୍ତି। ତା’ସହିତ ସୁନୀଲ ଗାଭାସ୍କର୍, କପିଳ ଦେବ, ମହେନ୍ଦ୍ର ସିଂହ ଧୋନି, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ଅନିଲ କୁମ୍ବଲେ, ସୌରଭ ଗାଙ୍ଗୁଲି, ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଭାରତର ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ହେବାର ରେକର୍ଡ କିନ୍ତୁ ଏବେବି ମନସୁର ଅଲୀ ଖାନ୍ ପଟୌଦି (୨୧ ବର୍ଷ ୭୭ ଦିନ, ବନାମ ୱେଷ୍ଟଇଣ୍ଡିଜ୍ ବ୍ରିଜ୍‌ଟାଉନ୍, ମାର୍ଚ୍ଚ ୨୩ ୧୯୬୨)ଙ୍କ ନାଁରେ ରହିଛି। ଏହିକ୍ରମରେ ଦ୍ବିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି ସଚିନ ତେନ୍ଦୁଲକର (୨୩ ବର୍ଷ ୧୬୯ ଦିନ ବନାମ ଅଷ୍ଟ୍ରେଲିଆ, ଦିଲ୍ଲୀ, ଅକ୍ଟୋବର ୧୦, ୧୯୯୬ ), କପିଳ ଦେବ (୨୪ ବର୍ଷ ୪୮ ଦିନ, ବନାମ ୱେଷ୍ଟଇଣ୍ଡିଜ୍, କିଙ୍ଗ୍‌ସଟନ୍, ଫେବ୍ରୁଆରି ୨୩, ୧୯୮୩), ରବି ଶାସ୍ତ୍ରୀ (୨୫ ବର୍ଷ ୨୨୯ ଦିନ, ବନାମ ୱେଷ୍ଟଇଣ୍ଡିଜ୍, ଚେନ୍ନାଇ , ଜାନୁଆରି ୧୧, ୧୯୮୮)

ବୁମ୍‌ରା ପୂରା ଶୃଙ୍ଖଳା ପାଇଁ ଉପଲବ୍ଧ ହେବେନି
ଶନିବାର ଅପରାହ୍‌ଣରେ ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଜାତୀୟ ବରିଷ୍ଠ ଚୟନ ସମିତିର ବୈଠକ ପରେ ବରିଷ୍ଠ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଫିଟ୍‌ନେସ୍ ତଥା କାର୍ଯ୍ୟଭାର ସନ୍ତୁଳନ ପାଇଁ ସେ ଇଂଲଣ୍ଡ ବିପକ୍ଷ ସବୁ ମ୍ୟାଚ୍ ଅର୍ଥାତ୍ ପାଞ୍ଚଟି ଯାକ ମ୍ୟାଚ୍ ପାଇଁ ଉପଲବ୍ଧ ହେବେନି ବୋଲି ସ୍ପଷ୍ଟ କରି ଦେଇଥିଲେ। ଏହି ଲମ୍ବା ଶୃଙ୍ଖଳାର ଅନ୍ୟୂନ ଗୋଟିଏ ମ୍ୟାଚ୍‌ରେ ବୁମ୍‌ରାଙ୍କୁ ବିଶ୍ରାମ ଦେବାକୁ ଫିଜିଓ ପରାମର୍ଶ ଦେଇଥିଲେ। ଏହି କାରଣରୁ ବୁମ୍‌ରାଙ୍କ ନାମକୁ ଅଧିନାୟକ ପଦ ପାଇଁ ବିଚାରକୁ ନିଆଯାଇ ନଥିଲା ବୋଲି ଅଗରକର ସଙ୍କେତ ଦେଇଥିଲେ। ସେ କହିଥି‌ଲେ, ଫିଜିଓ ଓ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ଭାବୁନି ସେ ପୂରା ‌ଶୃଙ୍ଖଳା ଖେଳିବେ। ଏଣୁ ବୁମ୍‌ରା ଚାରିଟି କିମ୍ବା ତିନିଟି ମ୍ୟାଚ୍ ଖେଳିବେ, ସେ ନିଷ୍ପତ୍ତି ପ୍ରଥମ କିଛି ମ୍ୟାଚ୍‌ର ଫଳାଫଳକୁ ଦେଖି ଆମେ ନେବୁ। ତାଙ୍କ ଶରୀର କିଭଳି ଭାବେ କାର୍ଯ୍ୟଭାର ନେଇ ପାରୁଛି, ତାକୁ ଆମେ ଅତି ନିକଟରୁ ଅନୁସରଣ କରିବୁ। ପ୍ରକାଶ ଯୋଗ୍ୟ ଯେ ବର୍ଡର ଗାଭାସ୍କର ଶୃଙ୍ଖଳାରେ ବୁମ୍‌ରା ଶେଷ ଟେଷ୍ଟ୍‌ (ସିଡ୍‌ନି)ର ଅନ୍ତିମ ପାଳିରେ ବୋଲିଂ କରି ନପାରିବା ସତ୍ତ୍ବେ ସର୍ବାଧିକ ୩୨ ୱିକେଟ୍ ନେଇଥିଲେ। ଯାହା ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କଠାରୁ ୭ଟି ୱିକେଟ୍ ଅଧିକ ଥିଲା। ଏଣୁ ଇଂଲଣ୍ଡ ଶୃଙ୍ଖଳାରେ ଭାରତର ସଫଳତା ପ୍ରାୟତଃ ତାଙ୍କ ଉପରେ ନିର୍ଭର କରିବ।