ଭୁବନେଶ୍ବର: ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାର ମଙ୍ଗଳବାର ମ୍ୟାଚ୍ରେ ଘରୋଇ ଜାମସେଦପୁର ଏଫ୍ସିକୁ ଭେଟିବ ପଡ଼ୋଶୀ ଓଡ଼ିଶା ଏଫ୍ସି। ଏହି ମ୍ୟାଚ୍ ଜାମସେଦପୁରସ୍ଥିତ ଜେଆର୍ଡି ଟାଟା ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯିବ। ଉଭୟ ଦଳ ସ୍ପେନିସ୍ ପ୍ରଶିକ୍ଷକଙ୍କ ନେତୃତ୍ବରେ ଖେଳିବାକୁ ଯାଉଛି। ପ୍ରଥମ ଥର ଲାଗି ଓଡ଼ିଶା ଏଫ୍ସି ଆଇଏସ୍ଏଲ୍ରେ ଖେଳିବାକୁ ଯାଉଥିବାରୁ ନୂଅ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବା ଲକ୍ଷ୍ୟରେ ରହିଛି। ଜୋସେପ ଗୋମ୍ବାଉଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଏହି ଦଳର ମଧ୍ୟଭାଗ ସିସ୍କୋ ହର୍ମାନ୍ଦେଜ, ମାର୍ଟିନ୍ ଗୁଏଜ୍, ପୂର୍ବତନ ବାର୍ସିଲୋନା ବି’ର ଡିଆୱାନଦୌ ଡିଆଗ୍ନେ, ମାର୍କୋସ ତେବାରାଣ୍ଡ ଏବଂ ଯୁବ ଭାରତୀୟ ତାରକା ଭିନିତ ରାଏଙ୍କୁ ନେଇଙ୍କୁ ଦୃଢ଼ ରହିଛି। ଆରିଦାନେ ସାନ୍ତାନା ପୂରଭାଗର ନେତୃତ୍ବ ନେବାକୁ ପ୍ରସ୍ତୁତ ଥିବା ବେଳେ ସାଇଡ୍ବ୍ୟାକ୍ରେ ନାରାୟଣ ଦାସ ଏବଂ ଓଡ଼ିଆ ପୁଅ ଶୁଭମ ଷଡ଼ଙ୍ଗୀ ପ୍ରତିପକ୍ଷକୁ ଅଟକାଇବାର କଳା ସ୍ପେନିସ୍ ପ୍ରଶିକ୍ଷକଙ୍କୁ ଶିଖି ନେଇଛନ୍ତି। ଫ୍ରାନ୍ସିସ୍କୋ ଡୋରୋନସୋରଙ୍କୁ ଗୋଲ୍ ରକ୍ଷକ ଦାୟିତ୍ବ ଦେବେ କି ତାଙ୍କ ବଦଳରେ ଜଣେ ବିଦେଶୀ ମଧ୍ୟଭାଗ ଖେଳାଳିଙ୍କୁ ଶେଷ ଏକାଦଶରେ ନେବେ ଚିନ୍ତାରେ ରହିଛନ୍ତି ଗୋମ୍ବାଉ। ଯଦି ଏପରି ହୁଏ ତେବେ ଦୁଇ ଭାରତୀୟ ଗୋଲ୍ ରକ୍ଷକ ଓଡ଼ିଆ ପୁଅ ଅଙ୍କିତ ଭୁୟାଁ କିମ୍ବା ଅର୍ଶଦୀପ ସିଂହଙ୍କୁ ପଦାର୍ପଣ ସୁଯୋଗ ମିଳିବାର ସମ୍ଭାବନା ରହିବ।
ଅନ୍ୟପକ୍ଷରେ ଜାମ୍ସେଦପୁର ସ୍ପେନିସ୍ ପ୍ରଶିକ୍ଷକ ଆଣ୍ଟୋନିଓ ଇରିଓଣ୍ଡୋ ଅଭିଜ୍ଞ ଖେଳାଳିଙ୍କୁ ନେଇ ଓଡ଼ିଶାକୁ ଟକ୍କର ଦେବା ଲକ୍ଷ୍ୟ ରହିଛନ୍ତି। ସ୍ପେନ୍ର ତିନି ଖେଳାଳି ନୋଏ କୋଷ୍ଟା, ପିଟି ଓ ସର୍ଜିଓ କାଷ୍ଟଲଙ୍କ ଗୋଲ୍ ଉପରେ ଘରୋଇ ଦଳ ଭରାସା କରିବ। ଦୁଇ ଅଭିଜ୍ଞ ସିକେ ଭିନିତ ଓ ସୁବ୍ରତ ପଲ୍ ଦଳରେ ଥିବାରୁ ଓଡ଼ିଶାକୁ ହରାଇବା ଏହି ଦଳ ପାଇଁ କଷ୍ଟକର ହେବନି।
ସାମ୍ଭାବ୍ୟ ଓଡ଼ିଶା ଦଳ: ଫ୍ରାନ୍ସିସ୍କୋ ଡୋରୋନସୋର (ଗୋଲ୍ ରକ୍ଷକ), ନାରାୟଣ ଦାସ, ଶୁଭମ ଷଡ଼ଙ୍ଗୀ, ଗୌରବ ବୋରା, କାର୍ଲୋସ ଡେଲ୍ଗାଡୋ, ଭିନିତ ରାଏ, ମାର୍କୋସ ତେବାର, ସିସ୍କୋ ହର୍ମାନ୍ଦେଜ, ନନ୍ଦକୁମାର ଶେକର, ଆରିଦାନ୍ ସାନ୍ତନା, ଜେରି ମାୱମିଙ୍ଗଥାଙ୍ଗେ।
ସାମ୍ଭାବ୍ୟ ଜାମସେଦପୁର ଦଳ: ସୁବ୍ରତ ପଲ୍ (ଗୋଲ୍ ରକ୍ଷକ), ତିରି, ଜୟନର ଲୌରେନ୍କୋ, କୀଗାନ ପେରିଇରା, ରବିନ ଗୁରୁଙ୍ଗ, ମେମୋ, ପିଟି, ନୋଏ କୋଷ୍ଟା, ଇସାକ ଭନମାଲସୱମା, ସିକେ ଭିନିତ, ସର୍ଜିଓ କାଷ୍ଟଲ।
ଭିନିତ ରାଏ ହେଉଛନ୍ତି ଭାରତର ନୂଆ ପିଢ଼ିର ପ୍ରତିଭାଶାଳୀ ମିଡ୍ଫିଲଡଙ୍କ ମଧ୍ୟରୁ ଜଣେ। ଗତ ଦୁଇ ଋତୁ ଧରି ସେ ଥିଲେ ହିରୋ ଇଣ୍ଡିଆନ ସୁପର ଲିଗ୍ରେ ଦିଲ୍ଲୀ ଡାଇନାମୋସ୍ ମିଡ୍ଫିଲଡ୍ ବିଭାଗର ମୁଖ୍ୟ ଖେଳାଳି। ଏବେ ସେ ଓଡ଼ିଶା ଏଫ୍ସିର ଅଂଶ ବିଶେଷ ହେବାକୁ ଯାଉଛନ୍ତି। ମାତ୍ର ୨୧ ବର୍ଷ ବୟସରେ ସେ ନାମ କମାଇ ପାରିଥିବାରୁ ତାଙ୍କ ଖେଳାଳି ଜୀବନ ବହୁତ ଲମ୍ବା ମନେହୁଏ। କିନ୍ତୁ ପ୍ରକୃତରେ ସେ ଏଇ ମାତ୍ର କ୍ୟାରିଅର ଆରମ୍ଭ କରିଛନ୍ତି ଏବଂ ବହୁତ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି। ପନ୍ଦର ବର୍ଷ ବୟସରୁ ଉଚ୍ଚସ୍ତରୀୟ ଫୁଟ୍ବଲ୍ ଖେଳୁଥିବାରୁ ସେ ଶୀଘ୍ର ସୁପରିଚିତ ହୋଇପାରିଛନ୍ତି।
ଆରମ୍ଭ ସମୟରେ ମୁଁ ଥିବା କ୍ଲବ୍ରେ ମ୍ୟାଚ୍ ଖେଳିବାକୁ ବେଶୀ ସୁଯୋଗ ପାଉନଥିଲି। କିନ୍ତୁ ଏବେ ମୁଁ ଓଡ଼ିଶା ଏଫ୍ସି ନିକଟରେ ଋଣୀ ଓ କୃତଜ୍ଞ। ଏହି କ୍ଲବରେ ମୁଁ ଜଣେ ଖେଳାଳି ଭାବେ ଅଗ୍ରଗତି କରିପାରିଛି। ମୋତେ ଭରସା କରିଥିବାରୁ ମୁଁ ପ୍ରଶିକ୍ଷକମାନଙ୍କୁ ଧନ୍ୟବାଦ ଦେଉଛି ଏବଂ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ ଦେବାକୁ ଆଶା କରୁଛି ବୋଲି କହନ୍ତି ଭିନିତ। ୨୦୧୪-୧୫ ଆଇ-ଲିଗ୍ ସଂସ୍କରଣରେ ଡେମ୍ପୋ ପକ୍ଷରୁ ଗୋଟେ ଯୋଡ଼େ ମ୍ୟାଚ୍ ଖେଳିବା ସହିତ ସବୁକିଛି ଆରମ୍ଭ ହୋଇଥିଲା ଭିନିତଙ୍କ ପାଇଁ। ୨୦୧୬ରେ ସେ କେରଳ ବ୍ଳାଷ୍ଟର୍ସ ଏଫ୍ସି ପକ୍ଷରୁ ପ୍ରଥମ ଥର ପାଇଁ ଆଇଏସ୍ଏଲ୍ ଖେଳିଥିଲେ। ଏହାପରେ ସେ ମିନେର୍ଭ ପଞ୍ଜାବ ଏବଂ ତା’ରେ ଦିଲ୍ଲୀ ଡାଇନାମୋଜକୁ କୁଦା ମାରିଥିଲେ। ଦିଲ୍ଲୀରେ ଯୋଗଦାନ ପରେ ସେ ନିୟମିତ ଭାବେ ଏହାର ପ୍ରଥମ ଦଳ ପାଇଁ ଖେଳି ପ୍ରିୟ ସ୍ଥାନ ମିଡ୍ଫିଲଡ୍ରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ପାସ୍ ଦେବାରେ ସେ ଲିଗ୍ରେ ଜଣେ ଓସ୍ତାଦ ଖେଳାଳି। ପ୍ରତି ମ୍ୟାଚ୍ରେ ସେ ହାରାହାରି ୪୦ରୁ ଅଧିକ ପାସ୍ ଦେଇଥାଆନ୍ତି। ତାଙ୍କର ନିର୍ଭୁଲ ପାସ ହାର ୮୨.୪୫ ପ୍ରତିଶତ। ଆଇଏସ୍ଏଲ୍ରେ ଏ ପର୍ଯ୍ୟନ୍ତ ଦୁଇ ହଜାର ମିନିଟ୍ ଖେଳ ପ୍ରଦର୍ଶନ କରି ସାରିଥିବା ଭିନିତ, ଓଡ଼ିଶା ଦଳରେ ତାଙ୍କର ଉନ୍ନତି ଜାରି ରଖିବାକୁ ଆଶାୟୀ ଅଛନ୍ତି।