ନୂଆଦିଲ୍ଲୀ : ଭାରତୀୟ ଯୁବ ସନ୍ତରକ ଆର୍ଯ୍ୟନ ସିଂହ ଦାଦିଆଲା ଶୁକ୍ରବାର ଏକ ବିଶ୍ବ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ନିଜର ପ୍ରଥମ ପ୍ରୟାସରେ ଗାଲିଲେ ସାଗର ପହଁରିବାରେ ଏହି ୨୧ ବର୍ଷ ବୟସ୍କ ଭାରତୀୟ ଦ୍ରୁତତମ ପୁରୁଷ ସନ୍ତରକର ବିଶ୍ବ କୀର୍ତ୍ତିମାନ ସମକକ୍ଷ ହୋଇଛନ୍ତି। ଶୁକ୍ରବାର ପୂର୍ବାହ୍ଣ ୫.୧୮ରେ ପହଁରା ଆରମ୍ଭ କରିଥିବା ଆର୍ଯ୍ୟନ ପୂର୍ବାହ୍ଣ ୧୧.୩୩ ମିନିଟ୍ରେ ଶେଷ କରିଥିଲେ। ଅନ୍ଧାର ଏବଂ ପ୍ରବଳ ଥଣ୍ଡା ମଧ୍ୟରେ ଆର୍ଯ୍ୟନ ଗାଲିଲେ ସମୁଦ୍ରରେ ପହଁରିବାର ଦୁଃସାହସ ଦେଖାଇଥିଲେ। ପ୍ରତିକୂଳ ପାଗ ମଧ୍ୟରେ ପହଁରି ସେ ବିଶ୍ବର ଦ୍ବିତୀୟ ଗଭୀର ଜଳରାଶି (ଆପାତତଃ ସମୁଦ୍ର ସ୍ତରରୁ ୨୧୪ ମିଟର ତଳେ) ଥିବା ଗାଲିଲେ ସମୁଦ୍ରରେ ଏକାଧିକ ଆହ୍ବାନକୁ ସାମ୍ନା କରିଥିଲେ। ଝଡ଼ ଏବଂ ପ୍ରବଳ ଥଣ୍ଡା ଅନୁଭବ କରିଥିଲେ ମଧ୍ୟ ଆର୍ଯ୍ୟନ୍ ୨୦.୫ କିମି ଦୂରତାକୁ ୬ ଘଣ୍ଟା ୧୫ ମିନିଟ୍ରେ ଅତିକ୍ରମ କରିଥିଲେ।
ଏଥି ସହିତ ୨୦୧୭ରେ ନିଜର ସପ୍ତମ ପ୍ରୟାସରେ ଦ୍ରୁତତମ ପୁରୁଷ ସନ୍ତରକ ଭାବେ ବିଶ୍ବ କୀର୍ତ୍ତିମାନ ନିଜ ନାମରେ ରଖିଥିବା ଗୟ କୋହେନଙ୍କ ସମକକ୍ଷ ହୋଇଥିଲେ। ଏହି ଇଭେଣ୍ଟକୁ ଇସ୍ରାଏଲ୍ର ଗାଲିଲେ ମାରାଥନ୍ ସୁଇମିଂ ଆସୋସିଏସନ୍ ସ୍ବୀକୃତି ପ୍ରଦାନ କରିବା ସହ ତଦାରଖ ଦାୟିତ୍ବ ମଧ୍ୟ ନେଇଥିଲା। ଏହି ଇଭେଣ୍ଟକୁ ତେଲ୍ ଆଭିଭ୍ସ୍ଥିତ ଭାରତୀୟ ଦୂତାବାସର କୁଟନୈତିକ ଡିଭିଜନ୍ ମୁଖ୍ୟ ତଥା ଭାରତୀୟ କୁଟନୀତିଜ୍ଞ ପୱନ ପାଲ୍ ଶୁଭାରମ୍ଭ କରିଥିଲେ। ଶେଷରେ ଆର୍ଯ୍ୟନ୍ଙ୍କ ବିଶ୍ବ କୀର୍ତ୍ତିମାନ ସମକକ୍ଷକୁ ପୱନ୍ ପାଲ ହିଁ ଟ୍ବିଟ୍ କରିଥିଲେ। ସେ ମଧ୍ୟ ଏଭଳି ସଫଳତା ପାଇଁ ଆର୍ଯ୍ୟନ୍ଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନ୍ୟପକ୍ଷରେ ଭାରତ ଓ ଇସ୍ରାଏଲ୍ ସଂପର୍କକୁ ଦୃଢ଼ କରିବା ଲକ୍ଷ୍ୟରେ ସେ ଏଭଳି ଆହ୍ବାନକୁ ଆଦରି ନେଇଥିଲେ ବୋଲି କହିଛନ୍ତି ଆର୍ଯ୍ୟନ୍।
ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ୨୦୧୭ରେ ଇସ୍ରାଏଲ୍ ଗସ୍ତ କରିଥିବା ନରେନ୍ଦ୍ର ମୋଦିଙ୍କଠୁ ସେ ପ୍ରଭାବିତ ହୋଇଥିଲେ ବୋଲି କହିଛନ୍ତି। ଏହି ଅବସରରେ ଆର୍ଯ୍ୟନଙ୍କ ପୂରା ପରିବାର, କୋଚ୍ ରାହୁଲ ଚିପ୍ଲୁଙ୍କର, ଗାଇଡ୍ ସୁବୋଧ ସୁଲେ ଏବଂ କ୍ରିଉ ପବିତ୍ର ପୋଇଲକର ଉପସ୍ଥିତ ଥିଲେ। ଏହା ପୂର୍ବରୁ ଆର୍ଯ୍ୟନ ୨୦୨୨ ନଭେମ୍ବରରେ ଗୋଆରେ ବିଶ୍ବ କୀର୍ତ୍ତିମାନ ରଚିଥିଲେ। ସେ ଓପନ୍ ୱାଟର ସମୁଦ୍ରରେ ୩୨ କିମି ଦୂରତାକୁ ୫ ଘଣ୍ଟା ୩୬ ମିନିଟ୍ରେ ପହଁରିଥିଲେ। ଏବେ ଗାଲିଲେ ସମୁଦ୍ର ପହଁରିବାରେ ସେ ପ୍ରଥମ ଏସୀୟ ସନ୍ତରଣ ହୋଇଛନ୍ତି।