ଭାରତୀୟ ଦଳ ଘୋ‌ଷିତ: ରାହୁଲ, ଶ୍ରେୟସ ଫେରିଲେ

କୌଣସି ଖେଳାଳିଙ୍କ ପାଇଁ ବିଶ୍ବକପ୍‌ ଦ୍ବାର ବନ୍ଦ ହୋଇନାହିଁ: ରୋହିତ

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ପାଇଁ ବିସିସିଆଇ ୧୭ ଜଣିଆ ଭାରତୀୟ ଦଳ ଘୋ‌ଷଣା କରିଛି। ଆହତ ପାଇଁ କିଛି ମାସ ହେବ କ୍ରିକେଟ୍‌ଠୁ ଦୂରରେ ଥିବା କେଏଲ୍‌ ରାହୁଲ ଓ ଶ୍ରେୟସ ଆୟର ଏହି ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲା ବେଳେ ‌ଆୟର୍ଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଫିଟ୍‌ନେସ୍‌ ପ୍ରମାଣ ଦେଇଥିବା ଯଶପ୍ରୀତ୍‌ ବୁମ୍‌ରା, ପ୍ରସିଦ୍ଧ କୃଷ୍ଣ ଦିନିକିଆ ଦଳକୁ ଫେରିଛନ୍ତି। ଦିନିକିଆ ବିଶ୍ବକପ୍‌ ପ୍ରସ୍ତୁତିକୁ ନଜରରେ ରଖି ଏହି ଦଳ ଘୋଷଣା କରାଯାଇଥିବା ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କୁ ଦିନିକିଆ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ଭାରତୀୟ ଦଳରେ ଯୁବ ଖେଳାଳି ତିଳକ ବର୍ମା ଓ ପ୍ରସିଦ୍ଧ କୃଷ୍ଣଙ୍କୁ ସାମିଲ କରାଯାଇଥିଲା ବେଳେ ସଞ୍ଜୁ ସାମସନ୍‌ ସଂରକ୍ଷିତ ଖେଳାଳି ଭାବେ ଦଳ ସହିତ ଶ୍ରୀଲଙ୍କା ଯାତ୍ରା କରିବେ।

ଏସିଆ କପ୍‌ରେ ପାକିସ୍ତାନ ଓ ନେପାଳ ମଧ୍ୟରେ ମୁଲତାନରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଶ୍ରୀଲଙ୍କା ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବା ପରେ ସେପ୍ଟେମ୍ବର ୨ ତାରିଖରେ କାଣ୍ଡିରେ ପାକିସ୍ତାନକୁ ଭେଟିବ। ଗ୍ରୁପ୍‌ ଏ’ରେ ଭାରତ, ପାକିସ୍ତାନ ଓ ନେପାଳ ରହିଥିଲା ବେଳେ ଗ୍ରୁପ୍‌ ବି’ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଅଛନ୍ତି। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସୁପର ୪କୁ ଯୋଗ୍ୟତା ଅଜର୍ନ କରିବ। ଏହି ପର୍ଯ୍ୟାୟର ଶ୍ରେଷ୍ଠ ଦୁଇ ଦଳ ସେପ୍ଟେମ୍ବର ୧୭ତାରିଖରେ ଫାଇନାଲ୍‌ ଖେଳିବେ। ପ୍ରତିଯୋଗିତାରେ ମୋଟ ୧୩ ମ୍ୟାଚ୍‌ ଖେଳାଯିବ। ସେଥିମଧ୍ୟରୁ ୪ ମ୍ୟାଚ୍‌ ପାକିସ୍ତାନରେ ଆୟୋଜିତ ହେବ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ହାର୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ରବୀନ୍ଦ୍ର ଜାଦେଜା, ଯଶପ୍ରୀତ ବୁମ୍‌ରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି, ଈଶାନ କିଶନ, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ପ୍ରସିଦ୍ଧ କୃଷ୍ଣ।

‘ଯେକୌଣସି ସ୍ଥାନରେ ବ୍ୟାଟିଂ କରିପାରୁଥିବା ଖେଳାଳି ଚାହୁଛୁ’

ଏସିଆ କପ୍‌ ପାଇଁ ଘୋଷିତ ଭାରତୀୟ ଦଳରେ ଲେଗ୍‌ ସ୍ପିନର ୟୁଝବେନ୍ଦ୍ର ଚହଲ ସ୍ଥାନ ପାଇପାରିନାହାନ୍ତି। ହେଲେ ଯଦି ବିଶ୍ବକପ୍‌ ପ୍ରସ୍ତୁତି ପୂର୍ବରୁ ଜଣେ ଲେଗ୍‌ ସ୍ପିନରଙ୍କ ଆବଶ୍ୟକତା ଅନୁଭବ ହୁଏ, ତାହେଲେ ଚହଲଙ୍କୁ ନିଶ୍ଚିତ ଦଳରେ ସ୍ଥାନ ମିଳିବ ବୋଲି ରୋହିତ ଶର୍ମା ପ୍ରତିକ୍ରିୟା ରଖିଛନ୍ତି। ନୂଆଦିଲ୍ଲୀରେ ଭାରତର ଏସିଆ କପ୍‌ ଦଳ ଘୋଷଣା ଅବସରରେ ସେ କହିଛନ୍ତି ଯେ, ଏଭଳି ସମୟରେ ଆମେ ଏପରି ବୋଲର ଚାହୁଛୁ, ଯିଏକି ଅଷ୍ଟମ କିମ୍ବା ନବମ ସ୍ଥାନରେ ବ୍ୟାଟିଂ କରିପାରୁଥିବ। ଅକ୍ଷର ପଟେଲ୍‌ ସମସ୍ତ ତିନି ଫର୍ମାଟ୍‌ରେ ରନ୍‌ ବାହାର କରିପାରୁଛନ୍ତି। ତେଣୁ ଅକ୍ଷର ରହିଲେ ଦଳକୁ ବ୍ୟାଟିଂ ଗଭୀରତା ମିଳିବ। ଜଣେ ବାମହାତୀ ବ୍ୟାଟର ବିକଳ୍ପ ଭାବେ ସେ ରହିଥିଲା ବେଳେ ସ୍ପିନ୍‌କୁ ଠିକ୍‌ ଭାବେ ଖେଳିବାର ଦକ୍ଷତା ରଖୁଛନ୍ତି। କେବଳ ଏତିକି ନୁହେଁ, ରବିଚନ୍ଦ୍ରନ ଅଶ୍ବିନ ଓ ୱାସିଂଟନ୍‌ ସୁନ୍ଦରଙ୍କ ବିଷୟରେ ମଧ୍ୟ ଚୟନ ସମିତି ବୈଠକରେ ଆଲୋଚନା ହୋଇଥିଲା। ଯଦି ଜଣେ ଦ୍ରୁତ ବୋଲର କମ୍‌ ହୋଇପାରନ୍ତା, ତାହେଲେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ନିଆଯାଇପାରିଥାନ୍ତା। କିନ୍ତୁ ଆସନ୍ତା ଦୁଇ ମାସ ଦ୍ରୁତ ବୋଲରଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ରୋହିତ କହିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ରୋହିତଙ୍କ ମନ୍ତବ୍ୟକୁ ସମର୍ଥନ କରିଥିଲେ। ଏସିଆ କପ୍‌ ଲାଗି ଦଳ ଘୋଷିତ ହେବା ପରେ ବିଶ୍ବକପ୍‌ ପାଇଁ ଏହା ଚୂଡ଼ାନ୍ତ ଦଳ ମଣିବା ଉଚିତ ନୁହେଁ। କାରଣ କୌଣସି ଖେଳାଳିଙ୍କ ପାଇଁ ବିଶ୍ବକପ୍‌ ଦ୍ବାର ବନ୍ଦ ହୋଇନାହିଁ। ଅଶ୍ବିନ, ୱାସିଂଟନ୍‌, ଚହଲଙ୍କ ଭଳି ଖେଳାଳିଙ୍କ ପାଇଁ ମଧ୍ୟ ଦ୍ବାର ଖୋଲା ରହିଛି। ତଥାପି ଏସିଆ କପ୍‌ ପାଇଁ ଦୁଇ ଜଣ ସ୍ପିନରଙ୍କ ମଝିରେ ଚହଲଙ୍କୁ ସ୍ଥାନ ଦେବା କଷ୍ଟକର ହୋଇପଡ଼ୁଥିଲା। ଚହଲଙ୍କ ଅପେକ୍ଷା କୁଲଦୀପ ସବୁକ୍ଷେତ୍ରରେ ଆଗରେ ରହୁଛନ୍ତି। ଅକ୍ଷର ମଧ୍ୟ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ପ୍ରଦର୍ଶନ ଦେଇପାରୁଛନ୍ତି। ତେଣୁ ଚହଲଙ୍କୁ ବାଦ୍‌ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ଅଗରକର କହିଛନ୍ତି।

ସେହିପରି ରାହୁଲ ଦଳକୁ ଆସିବା ପରେ ବିଶ୍ବକପ୍‌ରେ ୪ ନମ୍ବର ସ୍ଥାନର ସମସ୍ୟା ଦୂର ହୋଇଯିବ କି ବୋଲି ପ୍ରଶ୍ନରେ ରୋହିତ ଏକ ସକରାତ୍ମକ ଜବାବ ରଖିଛନ୍ତି। ତାଙ୍କ ଅନୁସାରେ, କେହି ଜଣେ ଖେଳାଳିଙ୍କ ଉପରେ କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ପାଇଁ ଖେଳାଳି ନିର୍ଦ୍ଧାରଣ କରିବା ଅପେକ୍ଷା, ଆମେ ଏଭଳି ଖେଳାଳି ଚାହୁଁଛୁ, ଯିଏକି ଯେକୌଣସି ସ୍ଥାନରେ ବ୍ୟାଟିଂ କରିପାରୁଥିବେ। ଏଭଳି ସମସ୍ୟା ଦୀର୍ଘ ବର୍ଷ ଧରି ଭାରତୀୟ ଦଳ ସହିତ ହୋଇଆସୁଛି। କିନ୍ତୁ ଏହାର ମୁକାବିଲା ପାଇଁ ସକରାତ୍ମକ ପଦକ୍ଷେପ ନିଆଯାଉଛି। ଏହା କୌଣସି କ୍ଲବ୍‌ କ୍ରିକେଟ୍‌ ନୁହେଁ, ବରଂ ଆନ୍ତର୍ଜାତିକ କ୍ରିକେଟ୍‌। ତେଣୁ ଦଳରେ କେହି ବି ନିଜକୁ ଗୋଟିଏ ସ୍ଥାନର ପାରଙ୍ଗମ ଖେଳାଳି ଭାବେ ଦାବି କରିବା ଠିକ୍‌ ନୁହେଁ। ଯେଉଁ ସ୍ଥାନରେ ଯେତେବେଳେ ବି କାହାର ଆବଶ୍ୟକତା ହୁଏ, ସେ ସମୟରେ ସଂପୃକ୍ତ ଖେଳାଳି ପ୍ରସ୍ତୁତ ରହିବା ଦରକାର ବୋଲି ରୋହିତ ସ୍ପଷ୍ଟ କରିଛନ୍ତି।

ଖେଳାଳିଙ୍କ ଭିତରୁ ଶ୍ରେଷ୍ଠ ପ୍ରଦର୍ଶନ ବାହାର କରିବା ଆମ ଦାୟିତ୍ବ। ପ୍ରତି ମ୍ୟାଚ୍‌ରେ ଆମକୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ। ବିଶ୍ବକପ୍‌ରେ ସବୁ ଦଳ ଜିତିବା ପାଇଁ ଆସୁଛନ୍ତି। କିନ୍ତୁ ଭାରତ ଘରୋଇ ପରିବେଶରେ ଖେଳିବାକୁ ଯାଉଥିବାରୁ ଏହା ଆମକୁ ସୁବିଧାଜନକ ସ୍ଥିତିରେ ରଖିବ। ତେଣୁ ବିଶ୍ବକପ୍‌ ପୂର୍ବରୁ ଏସିଆ କପ୍‌ ଆମ ପାଇଁ ଭଲ ପ୍ରସ୍ତୁତି ହୋଇପାରିବ ବୋଲି ରୋହିତ କହିଛନ୍ତି।

ପ୍ରଥମ କିଛି ମ୍ୟାଚ୍‌ରୁ ବଞ୍ଚିତ ହୋଇପାରନ୍ତି ରାହୁଲ
ଏସିଆ କପ୍‌ ପାଇଁ ଭାରତୀୟ ଦିନିକିଆ ଦଳକୁ ଫେରିଛନ୍ତି କେଏଲ୍‌ ରାହୁଲ। ହେଲେ ଏହି ଖବର ବାହାରକୁ ଯେତେ ଭଲ ଜଣାପଡୁଥିଲେ ବି ରାହୁଲଙ୍କ ପାଇଁ ସେତିକି ଭଲ ନୁହେଁ। କାରଣ ରାହୁଲ ସଂପୂର୍ଣ୍ଣ ଭାବେ ଆହତରୁ ମୁକୁଳିନାହାନ୍ତି। ଏହାକୁ ଖୋଦ୍‌ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ସ୍ବୀକାର କରିଛନ୍ତି। ତଥାପି ତାଙ୍କର ଯେତିକି ପରିମାଣର ଆଘାତ ରହିଛି, ତାହା ସାମାନ୍ୟ ବୋଲି ଅଗରକର କହିଛନ୍ତି। ତେଣୁ ପ୍ରଥମରୁ କିଛି ମ୍ୟାଚ୍‌ରୁ ସେ ବଞ୍ଚିତ ହେବା ନିଶ୍ଚିତ ରହିଛି। ଏଥିପାଇଁ ସଞ୍ଜୁ ସାମସନ୍‌ଙ୍କୁ ସଂରକ୍ଷିତ ଖେଳାଳି ଭାବେ ଶ୍ରୀଲଙ୍କା ପଠାଯାଉଛି। ଯଦି ରାହୁଲ ସମସ୍ତ ମ୍ୟାଚ୍‌ ଖେଳିବାରେ ଅସମର୍ଥ ହୁଅନ୍ତି, ତାହେଲେ ବି ଦିନିକିଆ ବିଶ୍ବକପ୍‌ ବେଳକୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥି‌ବେ ବୋଲି କୁହାଯାଇଛି। ରାହୁଲଙ୍କ ସହିତ ଶ୍ରେୟସ ଆୟର ମଧ୍ୟ ଦୀର୍ଘ ଦିନ ପରେ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି। କିନ୍ତୁ ଶ୍ରେୟସ ସଂପୂର୍ଣ୍ଣ ସୁସ୍ଥ ଥିବା କୁହାଯାଇଛି।

ସମ୍ବନ୍ଧିତ ଖବର