ବ୍ରିସ୍ବେନ୍: ବର୍ଡର-ଗାଭାସ୍କର ଟ୍ରଫି ଏବେ ୧-୧ରେ ସ୍ଥିତିରେ ରହିଛି। ତୃତୀୟ ମ୍ୟାଚ୍ ୧୪ ତାରିଖରୁ ଗାବାରେ ଆରମ୍ଭ ହେବ। ଏଥିପାଇଁ ଭାରତୀୟ କ୍ରିକେଟ୍ ଦଳ ବୁଧବାର ବ୍ରିସ୍ବେନ୍ରେ ପହଞ୍ଚିଛି। ପ୍ରଥମ ମ୍ୟାଚ୍କୁ ଭାରତ ଜିତିବା ପରେ ପିଙ୍କ୍ ବଲ୍ ଟେଷ୍ଟ୍ରେ ୧୦ ୱିକେଟ୍ରେ ପରାଜିତ ହୋଇଥିଲା। ତେଣୁ ଶୃଙ୍ଖଳାରେ ଆଗୁଆ ରହିବା ପାଇଁ ତଥା ଡବ୍ଲ୍ୟୁଟିସି ଦୌଡ଼ରେ ସ୍ଥିତିକୁ ଅଧିକ ଦୃଢ଼ କରିବାକୁ ଭାରତ ପାଇଁ ଏହି ମ୍ୟାଚ୍ ବହୁତ ଗୁରୁତ୍ବବହନ କରୁଛି। ଭାରତ ସହିତ ଅଷ୍ଟ୍ରେଲିଆର ଶୀର୍ଷ କ୍ରମ ବ୍ୟାଟର୍ଙ୍କ ପାଇଁ ଗାବା ପିଚ୍ ଅନେକ ଆହ୍ବାନ ଆଣୁଛି। ଅଧିକ ବାଉନ୍ସ ହେଉଥିବା ଏହି ପିଚ୍ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଶତପ୍ରତିଶତ ରେକର୍ଡ ଥିଲେ ମଧ୍ୟ ଗତ ୨୦୨୦-୨୧ ଗସ୍ତ ବେଳେ ଭାରତ, ଗାବାର ଗର୍ବକୁ ଭାଙ୍ଗିବାରେ ସଫଳ ହୋଇଥିଲା। ଋଷଭ ପନ୍ତଙ୍କ ଆକର୍ଷଣୀୟ ଧମାକା ସହିତ ଚେତେଶ୍ବର ପୂଜାରାଙ୍କ ରକ୍ଷଣାତ୍ମକ ଖେଳ ଯୋଗୁଁ ଭାରତ ଏହି ମ୍ୟାଚ୍କୁ ଜିତିବାରେ ସଫଳ ହୋଇଥିଲା। ତେବେ ୨୦୨୧ରେ ଖେଳାଯାଇଥିବା ମ୍ୟାଚ୍ ଓ ୨୦୨୪ରେ ଖେଳାଯିବାକୁ ଥିବା ମ୍ୟାଚ୍ ଭିତରେ ଗୋଟିଏ ଫରକ ରହିଛି। ପୂର୍ବ ମ୍ୟାଚ୍ଟି ଜାନୁଆରିରେ ଖେଳାଯାଇଥିଲା ବେଳେ ଆସନ୍ତା ମ୍ୟାଚ୍ ଅଷ୍ଟ୍ରେଲୀୟ ଗ୍ରୀଷ୍ମ ପ୍ରବାହର ଟିକେ ପୂର୍ବରୁ ଆୟୋଜିତ ହେବାକୁ ଯାଉଛି। ତେଣୁ ପିଚ୍ର ବ୍ୟବହାର ଉପରେ ଏହା କିଛିଟା ପ୍ରଭାବ ପକାଇପାରେ।
ଅଭ୍ୟାସ ଶୈଳୀ ବଦଳାଇଲେ କୋହଲି
ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଗୋଟିଏ ଶତକ ଛଡ଼ା ଅନ୍ୟ ସବୁ ପାଳିରେ ସଂଘର୍ଷ କରିଆସୁଛନ୍ତି କିଂବଦନ୍ତି ବିରାଟ କୋହଲି। ବ୍ରିସବେନ୍ରେ ଏହି ଧାରାକୁ ବଦଳାଇବାକୁ କୋହଲି ଲକ୍ଷ୍ୟ ରଖିଛନ୍ତି। ଏଣୁ ନିଜ ଅଭ୍ୟାସ ଶୈଳୀରେ ସାମାନ୍ୟ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ଦ୍ବିତୀୟ ଟେଷ୍ଟ୍ ମାତ୍ର ଅଢ଼େଇ ଦିନରେ ଶେଷ ହେବା ପରେ ପରବର୍ତ୍ତୀ ଦୁଇ ଦିନ କୋହଲି ଆଡିଲେଡ୍ ଓଭାଲରେ ନୂଆ ଶୈଳୀରେ ଅଭ୍ୟାସ କରିଥିଲେ। ବ୍ୟାକ୍ଫୁଟ୍ ସଟ୍ ଖେଳିବା ଉପରେ ବିଶେଷ ଧ୍ୟାନ ଦେଇଥିଲେ। ବ୍ରିସବନ୍ରେ ବି ଏଭଳି ଅଭ୍ୟାସ କରିବେ ବୋଲି ସଙ୍କେତ ଦେଇଛନ୍ତି କୋହଲି। ତାଙ୍କର ଏଭଳି ଅଭ୍ୟାସ ପୂର୍ବତନ ସାଥୀ ତଥା ଟର୍ବାନେଟର ହରଭଜନ ସିଂହଙ୍କୁ ବେଶ୍ ପ୍ରଭାବିତ କରିଛି। ଭଜି କହିଛନ୍ତି, କୋହଲି ଜଣେ ଫ୍ରଣ୍ଟଫୁଟ୍ ଖେଳାଳି। ଏହା ଭାରତୀୟ ପରିବେଶ ପାଇଁ ଭଲ। ହେଲେ ଅଷ୍ଟ୍ରେଲିଆର ବାଉନ୍ସିଂ ପିଚ୍ରେ ସଫଳ ହେବାକୁ ହେଲେ ଆପଣଙ୍କୁ ବ୍ୟାକ୍ଫୁଟ୍ରେ ମଧ୍ୟ ଦୃଢ଼ ହେବାକୁ ପଡ଼ିବ। କୋହଲି ଏକଥା ବୁଝିଥିବାରୁ ମୁଁ ବହୁତ ଖୁସି। ବ୍ରିସବେନ୍ରେ ତାଙ୍କ ବ୍ୟାଟ୍ରୁ ଏକ ବଡ଼ ପାଳି ଦେଖିବାର ଆଶା ରହିଛି।
ପାରମ୍ପରିକ ପିଚ୍
କ୍ୟୁରେଟର୍ ଡେଭିଡ୍ ସାନ୍ଦୁର୍ସ୍କିଙ୍କ ମତରେ, ଜାନୁଆରି ତୁଳନାରେ ଯେତେବେଳେ ଖ୍ରୀଷ୍ଟମାସ ପୂର୍ବରୁ ପିଚ୍କୁ ପ୍ରସ୍ତୁତ କରାଯାଇଥାଏ ସେତେବେଳେ ଏହା ସତେଜ ଥାଏ। ବିଭିନ୍ନ ସମୟରେ ଖେଳ ବେଳେ ପିଚ୍ ମଧ୍ୟ ଭିନ୍ନଭିନ୍ନ ବ୍ୟବହାର ଦେଖାଇଥାଏ। ପିଚ୍ ଯେତେ ପୁରୁଣା ହେବ ଏଥିରେ ଫାଟ ଆସିବ। କିନ୍ତୁ ଏହି ପିଚ୍ରେ ସେଭଳି ସ୍ଥିତି ଆସିବନି। ଯେଉଁ ବାଉନ୍ସ ପାଇଁ ଗାବା ସବୁବେଳେ ଜଣାଶୁଣା ଥାଏ, ଏଥର ସେଭଳି ପିଚ୍କୁ ପ୍ରସ୍ତୁତ କରାଯାଇଥିବା ଡେଭିଡ୍ କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଗାବାରେ ଖ୍ରୀଷ୍ଟମାସ ପରେ କେବଳ ୫ ଟେଷ୍ଟ୍ ଖେଳାଯାଇଛି। ସେଥିମଧ୍ୟରୁ ଅଷ୍ଟ୍ରେଲିଆ ତିନିଟିରେ ପରାଜିତ ହୋଇଛି। ଭାରତ ଓ ୱେଷ୍ଟଇଣ୍ଡିଜ୍ ସହିତ ଜାନୁଆରିରେ ଖେଳିଥିବା ଶେଷ ଦୁଇଟି ମ୍ୟାଚ୍ରେ ଅଷ୍ଟ୍ରେଲିଆ ପରାସ୍ତ ହୋଇଥିଲା। କିନ୍ତୁ ଖ୍ରୀଷ୍ଟମାସ ପୂର୍ବରୁ ଏଠାରେ ୬୧ ଟେଷ୍ଟ୍ ଖେଳାଯାଇଛି, ଯେଉଁଥିରେ ଅଷ୍ଟ୍ରେଲିଆ ମାତ୍ର ୭ଥର ହାରିଛି।
ଶୀର୍ଷ ୩୦ରୁ ବାଦ୍ ପଡ଼ିଲେ ରୋହିତ
ନୂଆଦିଲ୍ଲୀ: ଆଇସିସି ଟେଷ୍ଟ୍ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବ୍ୟାଟର୍ ବିରାଟ କୋହଲିଙ୍କ ବଡ଼ ଧରଣର ଅବନତି ହୋଇଛି। ଆଡିଲେଡ୍ ପିଙ୍କ୍ ବଲ୍ ଟେଷ୍ଟ୍ରେ ଭାରତ ୧୦ ୱିକେଟ୍ରେ ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। କୋହଲି ୬ଟି ସ୍ଥାନ ତଳକୁ ଖସି ୨୦ରେ ଓ ରୋହିତ ଶୀର୍ଷ ୩୦ ଜଣଙ୍କ ବାହାରକୁ ଚାଲିଯାଇଛନ୍ତି। ରୋହିତ ୫ ସ୍ଥାନରେ ଅବନତି ଦେଖାଇ ୩୧ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ବାମହାତୀ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ୍ ଚତୁର୍ଥ ସ୍ଥାନରେ ଥିବା ବେଳେ ପନ୍ତ ତିନିଟି ସ୍ଥାନ ତଳକୁ ଖସି ନବମ ସ୍ଥାନରେ ଅଛନ୍ତି। ଏମାନଙ୍କ ପଛକୁ ଶ୍ରେଷ୍ଠ ମାନ୍ୟତା ପାଇଥିବା ଭାରତୀୟ ବ୍ୟାଟର୍ ହେଉଛନ୍ତି ଶୁବମନ ଗିଲ୍। ସେ ଏବେ ସପ୍ତଦଶ ସ୍ଥାନରେ ଅଛନ୍ତି। ବ୍ୟାଟିଂ ମାନ୍ୟତାରେ ଜୋ ରୁଟ୍ଙ୍କୁ ଶୀର୍ଷରୁ ହଟାଇ ହାରି ବ୍ରୁକ୍ ଏହି ସ୍ଥାନ ଦଖଲ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ଓ ସ୍ପିନର ରବୀନ୍ଦ୍ର ଜାଡ଼େଜା ଯଥାକ୍ରମେ ବୋଲର୍ ଓ ଅଲ୍ରାଉଣ୍ଡର ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।