ଲଣ୍ଡନ: ଇଂଲଣ୍ଡ ବିପକ୍ଷ ବହୁ ପ୍ରତୀକ୍ଷିତ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବାକୁ ଶନିବାର ଭାରତୀୟ କ୍ରିକେଟ୍ ଦଳ ପହଞ୍ଚିଛି। ଭାରତୀୟ ଖେଳାଳିମାନେ ଲଣ୍ଡନର ହିଥ୍ରୋ ବିମାନ ବନ୍ଦରରେ ପହଞ୍ଚୁଥିବାର ଭିଡିଓ ବିସିସିଆଇ ନିଜ ‘ଏକ୍ସ’ ପୃଷ୍ଠାରେ ପ୍ରକାଶ କରିଛି। ଭିଡିଓରେ ଭାରତୀୟ ଖେଳାଳି ଖୁସି ଓ ଆତ୍ମବିଶ୍ବାସରେ ଭରପୂର ଥିବା ଦେଖିବାକୁ ମିଳୁଛି। ଭାରତୀୟ କ୍ରିକେଟ୍ ଦଳ ଏହି ଶୃଙ୍ଖଳାରୁ ୨୦୨୫-୨୭ ଚକ୍ରର ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଅଭିଯାନ ଆରମ୍ଭ କରିବ। ପୁଣି ନୂଆ ଅଧିନାୟକ ଶୁବମନ ଗିଲ୍ ଏହି ଶୃଙ୍ଖଳାରୁ ନିଜ ଅଧିନାୟକ ଜୀବନ ଆରମ୍ଭ କରିବେ। ୱିକେଟ୍ ରକ୍ଷକ ଋଷଭ ପନ୍ତ ଉପଅଧିନାୟକ ଦାୟିତ୍ବ ତୁଲାଇବେ। ଭାରତୀୟ କ୍ରିକେଟ୍ରେ ମଧ୍ୟ ନୂଆ ଯୁଗର ଶୁଭାରମ୍ଭ ହେବ। ଶନିବାର ଲଣ୍ଡନ ପହଞ୍ଚିଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଗିଲ୍, ପନ୍ତ, ଅର୍ଶଦୀପ ସିଂହ, ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ଓ ସାଇ ସୁଦର୍ଶନ ପ୍ରମୁଖ। ଅନ୍ୟଖେଳାଳିମାନେ ଇଂଲଣ୍ଡରେ ରହି ଭାରତ-ଏ’ ଦଳରୁ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଦ୍ବିତୀୟ ଅନୌପଚାରିକ ଟେଷ୍ଟ୍ ଖେଳୁଛନ୍ତି। ଏହି ମ୍ୟାଚ୍ ସରିବା ପରେ ସେମାନେ ଭାରତୀୟ ଦଳ ସହ ଯୋଗଦେବେ। ୨୦ ତାରିଖରୁ ପ୍ରଥମ ଟେଷ୍ଟ୍ ଲିଡ୍ସରେ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର ଏକ ୧୦ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ଏହି ଅବସରରେ ସେମାନଙ୍କ ମଧ୍ୟରେ ଏକ ଅନ୍ତଃଦଳୀୟ ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳାଯିବ।
ରୋହିତ, କୋହଲିଙ୍କ ଅନୁପସ୍ଥିତିର ପ୍ରଭାବ
ଅତୀତରେ ଭାରତୀୟ ଦଳ ଯେବେବି ଇଂଲଣ୍ଡ ଗସ୍ତ କରିଛି ହିଥ୍ରୋ ବିମାନ ବନ୍ଦରରେ ସେମାନଙ୍କୁ ସ୍ବାଗତ କରିବା ଲାଗି ଶହଶହ ପ୍ରଶଂସକ ଅପେକ୍ଷା କରି ରହିଥା’ନ୍ତି। ରାତି ହେଉ କି ଦିନ ଭାରତୀୟ ଖେଳାଳିଙ୍କ ପାଇଁ ସେମାନେ ବିମାନ ବନ୍ଦର ବାହାରେ ଅପେକ୍ଷା କରି ରହିଥା’ନ୍ତି। ଶନିବାର ଏହି ଧାରାରେ କିନ୍ତୁ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଭାରତୀୟ ଖେଳାଳିମାନେ ଲଣ୍ଡନ ହିଥ୍ରୋ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରିବା ଲାଗି ସେଠାରେ ଜଣେ ହେଲେ ବି ପ୍ରଶଂସକ ନରହିବା ଅନେକଙ୍କୁ ବିସ୍ମିତ କରିଛି। ଦୁଇ ଲୋକପ୍ରିୟ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅନୁପସ୍ଥିତି ପାଇଁ ପ୍ରଶଂସକମାନେ ଭାରତୀୟ ଦଳ ପ୍ରତି ବିମୁଖ ହେଉଥିବା ଅନୁମାନ କରାଯାଉଛି। ସେମାନଙ୍କ ଅନୁପସ୍ଥିତି ପାଇଁ ହିଁ ପ୍ରଶଂସକମାନେ ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରିବାକୁ ଆସି ନଥିବା ବିଶ୍ବାସ ହେଉଛି।
ଗିଲ୍ଙ୍କୁ ଟ୍ରୋଲ୍ କଲେ ବୁମ୍ରା
ଲଣ୍ଡନ: ଭାରତୀୟ ଖେଳାଳିମାନେ ଶନିବାର ଇଂଲଣ୍ଡ ପହଞ୍ଚିବା ବେଳକୁ ନୂଆ ଅଧିନାୟକ ଶୁବମନ ଗିଲ୍ କଳା ଚଷମା ପିନ୍ଧିଥିଲେ। ଏଥିଲାଗି ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ତାଙ୍କୁ ଚିଡ଼ାଉଥିବା ଦେଖିବାକୁ ମିଳିଥିଲା। ବିସିସିଆଇ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ରେ ପୋଷ୍ଟ କରିଥିବା ଭିଡିଓରେ ‘ରାତିରେ ଟୋକା ସନଗ୍ଲାସ୍ ପିନ୍ଧିଛି’ କହି କଟାକ୍ଷ କରୁଥିବା ଶୁଣିବାକୁ ମିଳୁଛି। ସେପଟେ ପ୍ରଥମ ଥର ଟେଷ୍ଟ୍ ଦଳରେ ସ୍ଥାନ ପାଇଥିବା ସାଇ ସୁଦର୍ଶନ ବରିଷ୍ଠ ଦଳ ସହ ଏକ ପୂର୍ଣ୍ଣକାଳୀନ ଶୃଙ୍ଖଳା ଖେଳିବାକୁ ଯାଉଥିବାରୁ ବେଶ୍ ଉତ୍ସାହିତ ଥିବା ଭିଡିଓରେ କହୁଛନ୍ତି। ଏକ ବଡ଼ ଟେଷ୍ଟ୍ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ସ୍ଥାନ ପାଇ ମୁଁ ବେଶ୍ ରୋମାଞ୍ଚିତ। ଇଂଲଣ୍ଡରେ ଆମେ କିଛି ନୂଆ ମୁହଁ, ନୂଆ ନେତୃତ୍ବ ତଥା ଉଚ୍ଚ ଆଶା ନେଇ ଖେଳିବୁ। ଯାହା ଏହି ଶୃଙ୍ଖଳାକୁ ଆହୁରି ମଜାଦାର ଓ ସଂଘର୍ଷପୂର୍ଣ୍ଣ କରିବ ବୋଲି ସେ କହୁଥିବା ଶୁଣିବାକୁ ମିଳୁଛି।