ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳ: ରଜତ ପଟିଦାର, ମୁକେଶ କୁମାର ନୂଆ ମୁହଁ

ନୂଆଦିଲ୍ଲୀ: ଅକ୍ଟୋବର ୬ ତାରିଖରୁ ଖେଳାଯିବାକୁ ଥିବା ଦକ୍ଷିଣ ଅଫ୍ରିକା ବିପକ୍ଷ ୩ ମ୍ୟାଚ୍ ଦିନିକିଆ ଶୃଙ୍ଖଳା ଲାଗି ବିସିସିଆଇ ଚୟନକର୍ତା ରବିବାର ୧୬ ଜଣିଆ ଦଳ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ଦୁଇ ଯୁବ ତାରକା ରଜତ ପଟିଦାର ଓ ମୁକେଶ କୁମାରଙ୍କୁ ଦଳରେ ସାମିଲ କରାଯାଇଛି। ଆଇସିସି ବିଶ୍ବକପ୍‌ ଲାଗି ଭାରତୀୟ ଦଳର ଷ୍ଟାଣ୍ଡ୍ ବାଇ ତାଲିକାରେ ଥିବା ୩ ଖେଳାଳି ଶ୍ରେୟସ ଆୟର୍‌, ରବି ବିଷ୍ଣୋଇ, ଦୀପକ ଚହର ମଧ୍ୟ ଏହି ଦଳରେ ସାମିଲ ଅଛନ୍ତି। ଶିଖର ଧାୱନଙ୍କୁ ପୂର୍ବ ଭଳି ଦିନିକିଆ ଦଳର ନେତୃତ୍ବ ଅର୍ପଣ କରାଯାଇଛି। ଶ୍ରେୟସ ଆୟରଙ୍କୁ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି। ଗତ ଜିମ୍ବାୱେ ବିପକ୍ଷ ଶୃଙ୍ଖଳାରେ ଆହତ ୱାସିଂଟନ୍ ସୁନ୍ଦରଙ୍କ ବଦଳରେ ସାମିଲ ସାହାବାଜ ଅହମଦ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନଥିଲେ। ଅହମଦଙ୍କୁ ଏହି ଶୃଙ୍ଖଳା ଲାଗି ମଧ୍ୟ ଦଳରେ ନିଆଯାଇଛି। ଗତ ଆଇପିଏଲ୍‌ ଓ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ‘ଏ’ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିବା ମଧ୍ୟପ୍ରଦେଶ ବ୍ୟାଟର୍‌ ରଜତ ପଟିଦାର ଏବଂ ବେଙ୍ଗଲ୍ ଦ୍ରୁତ ବୋଲର୍‌ ମୁକେଶ କୁମାର ଏବେ ଅନ୍ତର୍ଜାତୀୟ ପଦାର୍ପଣର ସୁଯୋଗ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳା ଅକ୍ଟୋବର ୬, ୯, ୧୧ ତାରିଖରେ ଯଥାକ୍ରମେ ଲକ୍ଷ୍ନୌ, ରାଞ୍ଚି ଓ ଦିଲ୍ଲୀରେ ଖେଳାଯିବ।

ଭାରତୀୟ ଦିନିକିଆ ଦଳ: ଶିଖର ଧାୱନ (ଅଧିନାୟକ), ଋତୁରାଜ ଗାଏକ୍ବାଡ୍‌, ଶୁବମନ୍‌ ଗିଲ୍‌, ଶ୍ରେୟସ ଆୟର୍ (ଉପଅଧିନାୟକ), ରଜତ ପଟିଦାର, ରାହୁଲ ତ୍ରିପାଠୀ, ଈଶାନ କିଶନ (ୱିକେଟରକ୍ଷକ), ସଂଜୁ ସାମସନ୍‌ (ୱିକେଟରକ୍ଷକ), ସାହାବାଜ ଅହମ୍ମଦ, ଶାର୍ଦୁଳ ଠାକୁର, କୁଲଦୀପ ୟାଦବ, ରବି ବିଷ୍ଣୋଇ, ମୁକେଶ କୁମାର, ଅୱେସ୍ ଖାନ, ମହମ୍ମଦ ସିରାଜ, ଦୀପକ ଚହର।

ସମ୍ବନ୍ଧିତ ଖବର