ମୁମ୍ବାଇ: ୟୁଏଇରେ ଅକ୍ଟୋବର ୩ରୁ ୨୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ମଙ୍ଗଳବାର ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ଅଗ୍ରାଧିକାର ଦିଆଯାଇଛି। ବିସ୍ଫୋରକ ବ୍ୟାଟର୍ ହର୍ମନପ୍ରୀତ କୌର ଦଳର ଅଧିନାୟିକା ନିଯୁକ୍ତ ହୋଇଥିଲା ବେଳେ ନିର୍ଭରଯୋଗ୍ୟ ସ୍ମୃତି ମନ୍ଧାନା ଉପଅଧିନାୟିକା ପଦ ବଜାୟ ରଖିଛନ୍ତି। ଶୀର୍ଷକ୍ରମରେ ଖେଳୁଥିବା ୟାସ୍ତିକା ଭାଟିଆ ଏବଂ ସ୍ପିନ୍ ଅଲରାଉଣ୍ଡର୍ ଶ୍ରେୟଙ୍କା ପାଟିଲଙ୍କ ଉପରେ ମଧ୍ୟ ଚୟନକର୍ତ୍ତା ଆସ୍ଥା ପ୍ରକଟ କରିଛନ୍ତି। ତେବେ ସେମାନଙ୍କ ବିଶ୍ବକପ୍ ଅଂଶଗ୍ରହଣ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଉପରେ ନିର୍ଭର କରିବ। ସେହିଭଳି ଟ୍ରାଭେଲିଂ ରିଜର୍ଭ ଭାବେ ଭାବେ ୱିକେଟ୍ରକ୍ଷକ ଊମା ଛେତ୍ରୀ, ତନୁଜା କନୱର ଓ ସାଇମା ଠକର ଦଳ ସହ ୟୁଏଇ ଯାତ୍ରା କରିବେ। ଅନ୍ୟପକ୍ଷରେ ରାଘବୀ ବିଷ୍ଟ ଓ ପ୍ରିୟା ମିଶ୍ର ନନ୍ ଟ୍ରାଭଲିଂ ରିଜର୍ଭ ଭାବେ ଦଳରେ ରହିଛନ୍ତି। ଭାରତୀୟ ଦଳ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ସହ ଗ୍ରୁପ୍-ଏରେ ରହିଛି। ଭାରତୀୟ ଦଳ ପ୍ରଥମ ବିଶ୍ବକପ୍ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି। ତେବେ ଏହି ଐତିହାସିକ ସଫଳତା ଲାଗି ଭାରତକୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପଛରେ ପକାଇବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ବାଂଲାଦେଶରେ ଆୟୋଜିତ ହେବାର ଥିଲା। ତେବେ ବାଂଲାଦେଶରେ ଲାଗି ରହିଥିବା ରାଜନୈତିକ ହିଂସା ଲାଗି ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି। ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଗତ ସଂସ୍କରଣରେ ଦକ୍ଷିଣ ଆଫ୍ରିକାକୁ ୧୯ ରନ୍ରେ ହରାଇ ଷଷ୍ଠ ଥର ପାଇଁ ବିଶ୍ବବିଜେତା ହୋଇଥିଲା। ଭାରତ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ ମଧ୍ୟ ସେଠାରେ ଅଷ୍ଟ୍ରେଲିଆଠାରୁ ହାରି ବିଦାୟ ନେଇଥିଲା।
ଭାରତୀୟ ଦଳ: ହର୍ମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଶେଫାଳି ବର୍ମା, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍ବେଜ୍, ରିଚା ଘୋଷ, ୟାସ୍ତିକା ଭାଟିଆ, ପୂଜା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଠାକୁର, ଦୟାଲନ ହେମଲତା, ଆଶା ଶୋଭନା, ରାଧା ୟାଦବ, ଶ୍ରେୟଙ୍କା ପାଟିଲ, ସଂଜନା ସଂଜୀବନ। ଟ୍ରାଭେଲିଂ ରିଜର୍ଭ: ଊମା ଛେତ୍ରୀ, ତନୁଜା କନୱର, ସାଇମା ଠକର। ନନ୍ ଟ୍ରାଭେଲିଂ ରିଜର୍ଭ: ରାଘବୀ ବିଷ୍ଟ, ପ୍ରିୟା ମିଶ୍ର।
ଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବ ଭାରତ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଅଭ୍ୟାସ ସୂଚୀ ଘୋଷଣା କରିଛି। ତଦନୁଯାୟୀ ଭାରତ ଆନୁଷ୍ଠାନିକ ଭାବେ ତା’ର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ। କେବଳ ଭାରତ ନୁହେଁ ଅଂଶଗ୍ରହଣକାରୀ ୧୦ଟି ଯାକ ଦଳ ପ୍ରତ୍ୟେକ ଦୁଇଟି ଲେଖାଏଁ ଅଭ୍ୟାସ ମ୍ୟାଚ୍ ଖେଳି ବିଶ୍ବକପ୍ ଲାଗି ପ୍ରସ୍ତୁତି କରିବେ। ଏହି ମ୍ୟାଚ୍ଗୁଡ଼ିକ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ପହିଲା ମଧ୍ୟରେ ଖେଳାଯିବ। ଭାରତ ସେପ୍ଟେମ୍ବର ୨୯ ତାରିଖରେ ୱେଷ୍ଟଇଣ୍ଡିଜ୍କୁ ଭେଟିବା ପରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍ ଅକ୍ଟୋବର ୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଦୁଇଟି ଯାକ ମ୍ୟାଚ୍ ଦୁବାଇରେ ଆୟୋଜିତ ହେବ।