ଭୁବନେଶ୍ବର: ଓଡ଼ିଶାକୁ ଜାତୀୟସ୍ତରରେ ଗୌରବାନ୍ୱିତ କରିଛନ୍ତି ଭୁବନେଶ୍ୱରର ମିଧାଂଶୁ ଦାସ (ଅର୍ଣ୍ଣବ)। ସେ ୧୪ ବର୍ଷରୁ କମ୍ କ୍ରିକେଟରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଭାରତୀୟ ସ୍କୁଲ କ୍ରୀଡ଼ା ମହାସଂଘ (ଏସ୍ଜିଏଫ୍ଆଇ) ଘୋଷଣା କରିଥିବା ୧୬ ଜଣିଆ ଦଳରେ ଅର୍ଣ୍ଣବ ସ୍ଥାନ ପାଇଛନ୍ତି। ସିଆଇଏସ୍ସିଇ ଜାତୀୟ କ୍ରିକେଟ୍ ପ୍ରତିଯୋଗିତାର ପ୍ରଦର୍ଶନ ଆଧାରରେ ଏହି ଦଳ ଏସଜିଏଫଆଇ ଚୟନ କରିଛି। ଚୟନ ପ୍ରକ୍ରିୟା ଗୁଜରାଟର ଅହମଦାବାଦରେ ହୋଇଥିଲା। ଏଥିରେ ଭୁବନେଶ୍ୱରର ଲୟଲା ସ୍କୁଲ ପକ୍ଷରୁ ଅର୍ଣ୍ଣବ ଓଡ଼ିଶା ଦଳରେ ରହିଥିଲେ। ଅହମଦାବାଦରେ ଓଡ଼ିଶା ଦଳ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଅର୍ଣ୍ଣବଙ୍କ ପ୍ରଦର୍ଶନ ଦମ୍ଦାର ରହିଥିଲା। ଉକ୍ତ ପ୍ରଦର୍ଶନ ଆଧାରରେ ତାଙ୍କୁ ଭାରତୀୟ ସ୍କୁଲ୍ କ୍ରିକେଟ ଦଳରେ ଅଲରାଉଣ୍ଡର ଭାବେ ସୁଯୋଗ ମିଳିଛି। ନୟାପଲ୍ଲୀରେ ଥିବା ଲାଇଭ ଲିଜେଣ୍ଟ କ୍ରିକେଟ କ୍ଲବ (ଏଲ୍ଏଲ୍ସିସି)ରେ ପ୍ରଶିକ୍ଷକ ଭାରତ କେଶରୀ ଦାସ ଓ ଅଜୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପ୍ରାୟ ୨ ବର୍ଷ ହେଲା ସେ ଅଭ୍ୟାସ କରୁଛନ୍ତି। ଦୈନିକ ୬ରୁ ୭ ଘଣ୍ଟା ସେ ଅଭ୍ୟାସ କରୁଥିଲେ।
ଭାରତୀୟ ଦଳ
ବିଧାନ ଲୋୟାଲକା (ଅଧିନାୟକ), ଆର୍ଯ୍ୟନ ଥାପ୍ପା (ଉପଅଧିନାୟକ), କାର୍ତ୍ତିକ ରବୀନ୍ଦ୍ରନ, କେ ସାଇ ସମରନ ରେଡ୍ଡୀ, ଯୁବରାଜ ଶର୍ମା, ମିଧାଂଶୁ ଦାସ, ସୁହାନ ବି, ବିଭାନ ସିଂହ, ନିର୍ମୟ ପି, ରେନିଶ ଚୌଧୁରୀ, ଆୟୁରଦ ଦାସ, ଏ ଯୋଗେଶ ରାଠୀ, ଦେବ ମନୋଜ କୁମାର, ଅନୟମ ମାଥ୍ରେ, ଭବ୍ୟ ଧନାନି ଓ ଏ ତରୁଣ କୁମାର।