ନାଗପୁରରେ ଭାରତୀୟ ଦଳର ଅଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ : ଫେବ୍ରୁଆରି ୯ ତାରିଖରୁ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଲାଗି ଭାରତୀୟ ଦଳ ଶୁକ୍ରବାରଠାରୁ ନାଗପୁରର ଭିସିଏ ଷ୍ଟାଡିୟମ୍‌ରେ ଅଭ୍ୟାସ ଆରମ୍ଭ କରିଛି। ପ୍ରଥମ ଦିବସରେ ଚେତେଶ୍ବର ପୂଜାରା, ବିରାଟ କୋହଲି, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ ପ୍ରମୁଖ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି। ରବୀନ୍ଦ୍ର ଜାଦେଜା ତାମିଲନାଡୁ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳି ନିଜ ଫିଟନେସ୍ ପ୍ରମାଣ ଦେଇଥିବାରୁ ଦଳ ସହ ସାମିଲ‌ ହୋଇଛନ୍ତି। ନାଗପୁରରେ ପ୍ରଥମ ଟେଷ୍ଟ୍‌ ଖେଳିବାକୁ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଛି‌ ବୋଲି ଲେଖି ବିସିସିଆଇ ମଧ୍ୟ ଶୁକ୍ରବାର ଟ୍ବିଟ୍ କରିଛି।

ଅନ୍ୟପକ୍ଷରେ ବେଙ୍ଗାଲୁରୁର ଆଲୁରସ୍ଥିତ କେଏସସିଏ କ୍ରିକେଟ୍ ଷ୍ଟାଡିୟମ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଅଭ୍ୟାସ ଜାରି ରଖିଛି। ଆଇସିସି ଟେଷ୍ଟ୍ ମାନ୍ୟତାରେ ଅଷ୍ଟ୍ରେଲିଆ ଓ ଭାରତ ଯଥାକ୍ରମେ ଏକ ଓ ଦୁଇ ନମ୍ବରରେ ଥିବାରୁ ନାଗପୁର, ନୂଆଦିଲ୍ଲୀ, ଧର୍ମଶାଳା ଓ ଅହମଦାବାଦରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ଶୃଙ୍ଖଳା କଡ଼ା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ ବୋଲି ବିଶ୍ବାସ କରାଯାଉଛି। ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍‌ ଯୋଗ୍ୟତା ଲାଗି ଭାରତ ୪-୦ରେ ଟେଷ୍ଟ୍ ଜିତିବା ଆବଶ୍ୟକ ରହିଛି। ଭାରତ ଏବେ ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ପାଖରେ ରଖିଛି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୩ ଶୃଙ୍ଖଳା ୨୦୧୭, ୨୦୧୮-୧୯ ଓ ୨୦୨୦-୨୧ରେ ଭାରତ ଜିତିଥିଲା। ଭାରତ ମାଟିରେ ଅଷ୍ଟ୍ରେଲିଆ ୧୫ ଥର ଟେଷ୍ଟ୍ ଶୃଙ୍ଖଳା ଖେଳିଥିବା ବେଳେ ଘରୋଇ ଦଳ ୯-୪ରେ ଆଗୁଆ ରହିଛି। ୨ଟି ଶୃଙ୍ଖଳା ଡ୍ର’ ରହିଛି।

ଆଲେକ୍ସ କ୍ୟାରିଙ୍କ ଭିନ୍ନ ମତ
ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାରେ ସ୍ପିନରଙ୍କ ପ୍ରାଧାନ୍ୟ ରହିଛି ଓ ରହିବ ବୋଲି କୁହାଯାଉଥିଲେ ମଧ୍ୟ ଭ୍ରମଣକାରୀ ଦଳର ୱିକେଟରକ୍ଷକ ଆଲେକ୍ସ କ୍ୟାରି ଭିନ୍ନ ମତ ଦେଇଛନ୍ତି। ସ୍ପିନ୍‌ ପ୍ରାଧାନ୍ୟ ପିଚ୍ ନୁହେଁ ରିଭର୍ସ ସୁଇଙ୍ଗ ଖେଳିବା କଷ୍ଟସାଧ୍ୟ ବୋଲି ୩୧ ବର୍ଷୀୟ ଆଲେକ୍ସ ଆଶଙ୍କା ପ୍ରକଟ କରିଛନ୍ତି। ପାକିସ୍ତାନ ଗସ୍ତରେ ଯିବାବେଳେ ମଧ୍ୟ ସ୍ପିନ ନେଇ ଢେର ଚର୍ଚ୍ଚା ହୁଏ କିନ୍ତୁ ରିଭର୍ସ ସୁଇଙ୍ଗ ଅଧିକ ଅସୁବିଧାରେ ପକାଇଥାଏ ବୋଲି ଭାରତରେ ନିଜ ପ୍ରଥମ ଟେଷ୍ଟ୍ ଖେଳିବାକୁ ଯାଉଥିବା କ୍ୟାରି କହିଛନ୍ତି। ଆମ ଦଳରେ ବହୁ ଖେଳାଳି ଅଛନ୍ତି ଯେଉଁମାନେ ବହୁବାର ଭାରତ ଆସିଛନ୍ତି। ନବାଗତମାନଙ୍କୁ ସେମାନେ ନିଶ୍ଚିତ ସହାୟକ ହେବେ। ମୁଁ ଭାବୁଛି ଉପଭୋଗ କରିବା ସହ ଆସୁଥିବା ଆହ୍ବାନକୁ ଗ୍ରହଣ କରିବୁ। ଏହା ନିଶ୍ଚିତ ଏକ ବଡ଼ ଶୃଙ୍ଖଳା’ ବୋଲି କ୍ୟାରି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର