ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ : ସଂଗରୋଧ ବେଳେ ଅଭ୍ୟାସ ପାଇଁ ଅନୁମତି

‌ପୋଷାକ ପ୍ରାୟୋଜକ ବିନା ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତ

ସିଡ୍‌ନି : ଭାରତୀୟ କ୍ରିକେଟ୍‌ ଦଳର ଅଷ୍ଟ୍ରେଲିଆ ଗସ୍ତ ବେଳେ ସଂଗରୋଧ ନିୟମ ଏବଂ ସେହି ଅବଧି ମଧ୍ୟରେ ପ୍ରଶିକ୍ଷଣ ନେବାକୁ କେନ୍ଦ୍ରକରି ଉପୁଜିଥିବା ଅନିଶ୍ଚିତତା ଦୂର ହୋଇଯାଇଛି। ଆଇପିଏଲ୍‌ ସାରି ସିଧାସଳଖ ୟୁଏଇରୁ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଥିବା ଭାରତୀୟ ଦଳ ସେଠାକାର କରୋନା ନିୟମ ଅନୁଯାୟୀ ବାଧ୍ୟତାମୂଳକ ୧୪ ଦିନିଆ ସଂଗରୋଧରେ ରହିବ। ତେବେ ଭାରତୀୟ ଦଳର ଏହି ଗସ୍ତ କେଉଁଠାରୁ ଆରମ୍ଭ ହେବ ସେନେଇ ନିଷ୍ପତ୍ତି ନିଆଯାଇପାରୁନଥିବାରୁ ସୂଚୀ ମଧ୍ୟ ଚୂଡାନ୍ତ ହୋଇପାରୁନି।

କ୍ରିକେଟ୍‌ ଅଷ୍ଟ୍ରେଲିଆ ଏହି ଗସ୍ତ ବ୍ରିସ୍‌ବନ୍‌ରୁ ଆରମ୍ଭ କରିବାକୁ ଚାହିଁଥିଲା। ଭାରତୀୟ ଦଳ ୟୁଏଇରୁ ଆସି ବ୍ରିସ୍‌ବନ୍‌ରେ ଓହ୍ଲାଇବାର ଥିଲା। ହେଲେ କୁଇନ୍‌ସଲାଣ୍ଡ୍‌ ରାଜ୍ୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ସଂଗରୋଧ ନିୟମରେ କୋହଳ କରିବାକୁ ରାଜି ହୋଇନଥିଲେ। ଫଳରେ ଭାରତୀୟ ଦଳର ପ୍ରଶିକ୍ଷଣ ସମ୍ଭବ ହେବନାହିଁ। ତେଣୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏନେଇ ନ୍ୟୁ ସାଉଥ୍‌ ୱେଲ୍‌ସ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲା। ସେଠା ରାଜ୍ୟ ସରକାର ଅନୁମତି ଦେଲେ ଗସ୍ତ ସୂଚୀ ସିଡ୍‌ନି ଓ କାନ୍‌ବେରାରୁ ହିଁ ଆରମ୍ଭ କରିବାକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଯୋଜନା କରିଥିଲା। ଶେଷରେ ନ୍ୟୁ ସାଉଥ୍‌ୱେଲ୍‌ସ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଭାରତୀୟ ଦଳକୁ ବାଧ୍ୟତାମୂଳକ ସଂଗରୋଧ ଅବଧି ମଧ୍ୟରେ ପ୍ରଶିକ୍ଷଣ ନେବାକୁ ଅନୁମତି ଦେଇଥିଲା ବେଳେ ଅଷ୍ଟ୍ରେଲିଆ ଗସ୍ତରେ ସୀମିତ ଓଭର (ଧଳା ବଲ୍‌) ଶୃଙ୍ଖଳା ଆୟୋଜନ କରିବାକୁ ପ୍ରସ୍ତୁତ ବୋଲି ଗୁରୁବାର ଜଣାଇଦେଇଛନ୍ତି।

ଏହି ଗସ୍ତରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ୩ ଲେଖାଏଁ ଦିନିକିଆ ଏବଂ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବେ। ପ୍ରଥମ ଦୁଇଟି ଦିନିକିଆ ନଭେମ୍ବର ୨୭ ଓ ୨୯ରେ ସିଡ୍‌ନି କ୍ରିକେଟ୍‌ ପଡ଼ିଆରେ ଖେଳାଯିବା ସ୍ଥିର ହୋଇଥିଲା ବେଳେ ଶେଷ ଦିନିକିଆ ଏବଂ ପ୍ରଥମ ଟି-୨୦ କାନ୍‌ବେରାର ମନୁକା ଓଭାଲ ପଡ଼ିଆରେ ଖେଳାଯିବ। ଏହାପରେ ଶେଷ ଦୁଇଟି ଟି-୨୦ ମ୍ୟାଚ୍‌ ସିଡ୍‌ନି ଆୟୋଜନ କରିବ। ସୀମିତ ଓଭର ଶୃଙ୍ଖଳା ପରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଆଡିଲେଡ୍‌ରେ ଡିସେମ୍ବର ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଦିବାରାତ୍ର ଖେଳାଯିବ। ଏହାପରେ ବକ୍ସିଂ ଡେ’ ଟେଷ୍ଟ୍‌ ଡିସେମ୍ବର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଆଡିଲେଡ୍ କିମ୍ବା ମେଲ୍‌ବର୍ନ‌ରେ ଖେଳାଯାଇପାରେ। ତେବେ ନୂଆବର୍ଷ ଟେଷ୍ଟ ସିଡ୍‌ନିରେ ଜାନୁଆରି ୭ରୁ ୧୧ ଏବଂ ଶେଷ ଟେଷ୍ଟ୍‌ ବ୍ରିସ୍‌ବନ୍‌ରେ ଜାନୁଆରି ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ନ୍ୟୁ ସାଉଥ୍‌ୱେଲ୍‌ସ ସରକାରଙ୍କ ଅନୁମତି ପରେ ଏବେ ଗସ୍ତ ସୂଚୀରେ ପରିବର୍ତନ ହେବ। ଆଉ ଏହାକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଘୋଷଣା କରିବା ପୂର୍ବରୁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ନିକଟକୁ ଅନୁମୋଦନ ପାଇଁ ପଠାଇବ ବୋଲି କହିଛି।

‌ପୋଷାକ ପ୍ରାୟୋଜକ ବିନା ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତ
ମୁମ୍ବାଇ : ପୋଷାକ ପ୍ରାୟୋଜକ ବିନା ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବାର ସମ୍ଭାବନା ରହିଛି। କାରଣ ନାଇକ୍‌ ସହ ଥିବା ଦଳର ପୋଷାକ ପ୍ରାୟୋଜନ ଚୁକ୍ତି ଗତ ମାସରୁ ସରିଯାଇଛି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ‌ବୋର୍ଡ (ବିସିସିଆଇ) ନୂଆ ପ୍ରାୟୋଜକ ଲାଗି ଟେଣ୍ଡର ଆହ୍ବାନ କରିଥିଲେ ମଧ୍ୟ କୌଣସି କମ୍ପାନି ଆଗ୍ରହ ଦେଖାଇନାହାନ୍ତି। ଆଇପିଏଲ୍‌ ସରିବା ମାତ୍ରେ ଭାରତୀୟ ଦଳ ୟୁଏଇରୁ ସିଧାସଳଖ ଅଷ୍ଟ୍ରେଲିଆ ଗସ୍ତ କରିବ। ବିସିସିଆଇ ପାଖରେ ମାତ୍ର ୩ ସପ୍ତାହ ଥିବାରୁ ଏହି ସମୟ ମଧ୍ୟରେ ନୂଆ ପ୍ରାୟୋଜକ ଯୋଗାଡ଼ କରିବା କଷ୍ଟକର ହୋଇପାରେ। ଏଥିପାଇଁ ବିସିସିଆଇ ନୂଆ ଟେଣ୍ଡର ଆହ୍ବାନ କରିବାର ଯୋଜନା କରିଛି। କୋହଳ ବୁଝାମଣା ସହ ନୂଆ ପ୍ରାୟୋଜକ ନିଶ୍ଚିତ କରିବାକୁ ଆଗ୍ରହ ଦେଖାଇଛି। ନାଇକ୍‌ ୧୫ ବର୍ଷ ଧରି ଭାରତୀୟ ଦଳର ପ୍ରାୟୋଜକ ଥିଲା। ପ୍ରତି ମ୍ୟାଚ୍‌ ପିଛା ୮୮ ଲକ୍ଷ ଟଙ୍କା ସହ ବାର୍ଷିକ ଅତିକମ୍‌ରେ ୬ କୋଟି ଟଙ୍କା ପ୍ରଦାନ ଲାଗି ଚୁକ୍ତି କରିଥିଲା। କିନ୍ତୁ ନୂଆ ଟେଣ୍ଡର ଲାଗି ମ୍ୟାଚ୍‌ ପ୍ରତି ୬୧ ଲକ୍ଷ ଟଙ୍କା ରହିଛି ଯାହା ପୂର୍ବାପେକ୍ଷା ୩୧ ପ୍ରତିଶତ କମ୍‌।

ସମ୍ବନ୍ଧିତ ଖବର