ନୂଆଦିଲ୍ଲୀ: ଅଲିମ୍ପିକ ବିଜେତା ଜାଭେଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ଦଳର ନେତୃତ୍ବ ନେବେ। ଏହି ପ୍ରତିଯୋଗିତା ଆସନ୍ତା ୧୯ ତାରିଖରୁ ବୁଦାପେଷ୍ଟରେ ଆୟୋଜିତ ହେବ। ବିଶ୍ବ ପ୍ରତିଯୋଗିତାକୁ ଭାରତର ୨୮ ଜଣିଆ ଦଳ ଯାଉଛି। ହେଲେ ଦଳ ବିଷୟରେ ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ) ପରିବର୍ତ୍ତେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା କରିଥିବାରୁ କେତେକ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଦଳରୁ ଗତ ଜୁଲାଇରେ ଏସୀୟ ଚାମ୍ପିଅନ୍‌ସିପ୍‌ ବେଳେ ଆହତ ହୋଇଥିବା ସଟ୍‌ପୁଟ ଖେଳାଳି ତାଜିନ୍ଦରପାଲ୍‌ ସିଂହଙ୍କୁ ବାଦ୍‌ ଦିଆଯାଇଛି। ସେହିପରି ହାଇଜମ୍ପ୍‌ରେ ଜାତୀୟ କୀର୍ତ୍ତିମାନ କରିଥିବା ତେଜଶ୍ବିନ ଶଙ୍କର, ୮୦୦ ମିଟର ଧାବକ କେଏମ୍‌ ଚନ୍ଦା ଓ ୨୦ କି‌ଲୋମିଟର ଚାଲିବାରେ ଜାତୀୟ କୀର୍ତ୍ତିମାନ କରିଥିବା ପ୍ରିୟଙ୍କା ଗୋସ୍ବାମୀ ଏସୀୟ କ୍ରୀଡ଼ା ପ୍ରସ୍ତୁତି ପାଇଁ ବିଶ୍ବ ଚାମ୍ପିଅନ୍‌ସିପ୍‌ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଭାରତୀୟ ଦଳକୁ କ୍ରୀଡା ମନ୍ତ୍ରାଳୟ ସଂପୂର୍ଣ୍ଣ ଭାବେ ଆର୍ଥିକ ସହଯୋଗ ଯୋଗାଇ ଦେବ। ଏହି ସହାୟତା ମଧ୍ୟରେ ଦଳର ପ୍ରଶିକ୍ଷଣ, ଯିବା ଆସିବା, ଭିସା ଓ ଅନ୍ୟାନ୍ୟ ଭତ୍ତାକୁ ସାମିଲ କରାଯାଇଛି। ଖେଳାଳିମାନଙ୍କ ସହ ପ୍ରଶିକ୍ଷକ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀମାନେ ଏହି ସୁବିଧା ପାଇପାରିବେ। ୨୮ ଜଣ ଖେଳାଳିଙ୍କ ସହିତ ମୋଟ୍‌ ୪୨ ଜଣିଆ ଦଳ ହଙ୍ଗେରି ଗସ୍ତ କରିବ ବୋଲି ସୂଚନା ଦିଆଯାଇଛି। ଘୋ‌ଷଣା ହୋଇଥିବା ୨୮ ଜଣିଆ ଖେଳାଳିଙ୍କ ମଧ୍ୟରୁ ୧୩ ଜଣ ଟାର୍ଗେଟ୍‌ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍ସ) ଅଧିନରେ ପ୍ରସ୍ତୁତି କରିଥିଲା ବେଳେ ଅନ୍ୟ ୧୩ ଜଣ ପ୍ରଥମ ଥର ପାଇଁ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବେ। ଗତ ସଂସ୍କରଣରେ ୬ ଜଣ ବିଭିନ୍ନ ବ୍ୟକ୍ତିଗତ ଇଭେଣ୍ଟର ଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଶୀର୍ଷ ୮ ଜଣଙ୍କ ମଧ୍ୟରେ ରହିପାରିଥିଲେ। ଅଲମ୍ପିଆନ୍‌ ନୀରଜ ରୌପ୍ୟ ପଦକ ଜିତିଥିଲେ। ଉକ୍ତ ପ୍ରତିଯୋଗିତାରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା।

ଭାରତୀୟ ପୁରୁଷ ଦଳ: କ୍ରିଷ୍ଣନ୍‌ କୁମାର (୮୦୦ ମିଟର), ଅଜୟ କୁମାର ସରୋଜ (୧୫୦୦ ମିଟର), ସନ୍ତୋଷ କୁମାର ତାମିଲାର୍ନସନ (୪୦୦ ମିଟର ବାଧାଦୌଡ଼), ଅବିନାଶ ମହାକୁଡ ସାବଲେ (୩୦୦୦ ମିଟର ଷ୍ଟିପଲ୍‌ଚେସ୍‌), ସର୍ବେଶ ଅନୀଲ କୁଶାରେ (ହାଇ ଜମ୍ପ), ଜେଶ୍ବିନ୍‌ ଅଲଦ୍ରିନ୍‌ (ଲଙ୍ଗ ଜମ୍ପ), ଏମ୍‌ ଶ୍ରୀଶଙ୍କର (ଲଙ୍ଗ ଜମ୍ପ), ପ୍ରବୀଣ ଚିତ୍ରାଭେଲ୍‌ (ଟ୍ରିପଲ୍‌ ଜମ୍ପ), ଅବଦୁଲ୍ଲା ଅବୁବାକର (ଟ୍ରିପଲ୍‌ ଜମ୍ପ), ଏଲ୍‌ଢୋସ୍‌ ପଲ୍‌ (ଟ୍ରିପଲ୍‌ ଜମ୍ପ), ନୀରଜ ଚୋପ୍ରା (ଜାଭେଲିନ୍‌), ଡିପି ମନୁ (ଜାଭେଲିନ୍‌), କିଶୋର କୁମାର ଜେନା (ଜାଭେଲିନ୍‌), ଆକାଶଦୀପ ସିଂହ (୨୦ କିମି ଚାଲି), ବିକାଶ ସିଂହ (୨୦ କିମି ଚାଲି), ପରମଜୀତ ସିଂହ (୨୦ କିମ ଚାଲି), ରାମ ବାବୁ (୩୫ କିମି ଚାଲି), ଅମୋଜ ଜାକବ, ମହମ୍ମଦ ଅଜମଲ, ମହମ୍ମଦ ଆନସ, ରାଜେଶ ରମେଶ, ଅନୀଲ ରାଜାଲିଙ୍ଗମ୍‌, ମିଜୋ ଚାକୋ କୁରିଆନ୍‌ (ପୁରୁଷ ୪ଗୁଣା ୪୦୦ ମିଟର ରିଲେ)। ଭାରତୀୟ ମହିଳା ଦଳ: ଜ୍ୟୋତି ୟାରାଜି (୧୦୦ ମିଟର ବାଧାଦୌଡ଼), ପାରୁଲ ଚୌଧୁରୀ (୩୦୦୦ ମିଟର ଷ୍ଟିପଲ୍‌ଚେସ୍‌), ‌ଶୈଲୀ ସିଂହ (ଲଙ୍ଗ ଜମ୍ପ), ଅନୁ ରାଣୀ (ଜାଭେଲିନ୍‌), ଭାୱନା ଜାଟ୍‌ (୨୦ କିମି ଚାଲି)।