ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ପାଇଁ ପେସ୍‌ ଫେରିଲେ

ନୂଆଦିଲ୍ଲୀ : ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ମୁକାବିଲା ପାଇଁ ଗୁରୁବାର ସର୍ବଭାରତୀୟ ଟେନିସ୍‌ ସଂଘ (ଏଆଇଟିଏ) ତା’ର ଦଳ ଘୋଷଣା କରିଛି। ଘୋଷିତ ୮ ଜଣିଆ ଦଳକୁ ପୁରୁଖା ଲିଆଣ୍ଡର ପେସ୍‌ଙ୍କ ସହିତ ଅନ୍ୟ ପ୍ରମୁଖ ଖେଳାଳିମାନେ ଫେରିଛନ୍ତି। ଏପରିକି ପୂର୍ବରୁ ପାକିସ୍ତାନ ଯିବା ପାଇଁ ଅମଙ୍ଗ ହୋଇ କିଛି ପ୍ରମୁଖ ଖେଳାଳି ଓହରିଯିବା ପରେ ସେଠାକୁ ଯିବାକୁ ରାଜି ହୋଇଥିବା ଖେଳାଳିଙ୍କୁ ମଧ୍ୟ ପୁରସ୍କାର ସ୍ବରୂପ ଦଳରେ ସ୍ଥାନ ଦିଆଯାଇଛି। ପ୍ରାୟ ଗୋଟିଏ ବର୍ଷରୁ ଅଧିକ ସମୟ ପରେ ପେସ୍‌ ଦଳକୁ ପ୍ରତ୍ୟାବର୍ତନ କରିଥିଲା ବେ‌ଳେ ପାକିସ୍ତାନରେ ଖେଳିବାକୁ ରାଜିନଥିବା ସୁମିତ ନଗଲ, ରାମକୁମାର ରାମନାଥନ, ଶଶି କୁମାର ମୁକୁନ୍ଦ ଏବଂ ରୋହନ ବୋପାନ୍ନା ମଧ୍ୟ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଜୀବନ ନେଦୁଚେଝିଆନ୍‌, ସାକେତ ମିନେନି ଓ ସିଦ୍ଧାର୍ଥ ରାୱତ ଦଳରେ ସ୍ଥାନ ଅକ୍ତିଆର କରିଛନ୍ତି। ଡେଭିସ୍‌ କପ୍‌ ମୁକାବିଲା ଚଳିତ ମାସ ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବ। ଆନ୍ତର୍ଜାତିକ ଟେନିସ୍‌ ସଂଘ (ଆଇଟିଏଫ୍‌) ଏହାକୁ ଇସ୍‌ଲାମାବାଦରୁ ସ୍ଥାନାନ୍ତର କରିବା ପରେ ପାକିସ୍ତାନ ସଂଘ ଏହା ବିରୋଧରେ ଆବେଦନ କରିଛି। ଏହାସତ୍ତ୍ବେ ନିରପେକ୍ଷ ସ୍ଥାନରେ ଖେଳିବା ପାଇଁ ଭାରତୀୟ ସଂଘ ଗୁରୁବାର ଦଳ ଘୋଷଣା କରିଛି। ପ୍ରଜ୍ଞେଶ ଗୁଣେସ୍ବରନଙ୍କ ଅନୁପସ୍ଥିତିରେ ସୁମିତ ଓ ରାମକୁମାର ଏକକ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବେ। ସେମାନଙ୍କ ବ୍ୟତୀତ ଏକକ ବର୍ଗରେ ମୁକୁନ୍ଦ ଓ ମିନେନିଙ୍କୁ ରିଜର୍ଭ ଭାବେ ରଖାଯାଇଛି। ତେବେ ପ୍ରଥମ ଥର ପାଇଁ ଦଳରେ ୩ ଜଣ ଯୁଗଳ ବିଶେଷଜ୍ଞ (ବୋପାନ୍ନା, ପେସ୍‌ ଓ ନେଦୁଚେଝିଆନ୍‌)ଙ୍କୁ ସାମିଲ କରାଯାଇଛି। ଭାରତୀୟ ଦଳ ସହ ରୋହିତ ରାଜ୍‌ପଲଙ୍କୁ ଅଧିନାୟକ, ଜୀସାନ ଅଲ୍ଲୀଙ୍କୁ ପ୍ରଶିକ୍ଷକ, ସୁନ୍ଦର ଆୟରଙ୍କୁ ପ୍ରବନ୍ଧକ ଏବଂ ଆନନ୍ଦ କୁମାରଙ୍କୁ ଫିଜିଓ ଭାବେ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର