ମୁମ୍ବାଇ: ଭାରତୀୟ ୧୯ବର୍ଷରୁ କମ୍ ଦଳର ଇଂଲଣ୍ଡ ଗସ୍ତ ଲାଗି କନିଷ୍ଠ ଚୟନ ସମିତି ଗୁରୁବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ମୁମ୍ବାଇର ୧୭ ବର୍ଷୀୟ ଓପନର୍ ଆୟୁଷ ମହାତ୍ରେ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍‌ସର ପ୍ରତିନିଧିତ୍ବ କରି ପ୍ରଭାବୀ ପ୍ରଦର୍ଶନ କରିଥିବା ବିହାରର ବିସ୍ମୟ ବାଳକ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ କନିଷ୍ଠ ଦଳରେ ସୁଯୋଗ ମିଳିଛି। ରାଜସ୍ଥାନ ପକ୍ଷରୁ ୭ ମ୍ୟାଚ୍ ଖେଳି ସୂର୍ଯ୍ୟବଂଶୀ ୨୦୬.୫୬ ଷ୍ଟ୍ରାଇକ୍ ରେଟ୍‌ରେ ୨୫୨ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ଏକ ବିସ୍ଫୋରକ ଶତକ ଏବଂ ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକ। ମହାତ୍ରେ ମଧ୍ୟ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ୬ ମ୍ୟାଚ୍ ଖେଳି ୨୦୬ ରନ୍ କରିଛନ୍ତି।

Advertisment

 ଆର୍‌ସିବି ବିପକ୍ଷରେ କେବଳ ୪୮ ବଲ୍‌ରୁ ୯୪ ରନ୍ କରି ଉଚ୍ଚପ୍ରଶଂସିତ ହୋଇଥିଲେ ସେ। ଭାରତୀୟ ୧୯ବର୍ଷରୁ କମ୍ ଦଳର ଲଫବର୍ଗ ବିଶ୍ବବିଦ୍ୟାଳୟଠାରେ ଏକ ୫୦ ଓଭରିଆ ଅଭ୍ୟାସ ମ୍ୟାଚ୍ ଖେଳିବା ପରେ ହୋଭ୍, ନର୍ଥଆମ୍ପଟନ୍, ୱର୍ସେଷ୍ଟରରେ ଇଂଲଣ୍ଡ ୧୯ ବର୍ଷରୁ କମ୍ ଦଳ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳା ଖେଳିବ। ଏହା ପରେ ବେକେନହାମ ଓ ଚେମ୍‌ସଫୋର୍ଡଠାରେ ଦୁଇଟି ଚାରିଦିନିଆ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବ। ଅଭ୍ୟାସ ମ୍ୟାଚ୍ ଜୁନ୍ ୨୪ ଏବଂ ଶୃଙ୍ଖଳା ଜୁନ୍ ୨୭ରୁ ଖେଳାଯିବ।
ଭାରତୀୟ ଦଳ: ଆୟୁଷ ମହାତ୍ରେ (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବିହାନ ମାଲହୋତ୍ରା, ମୂଲ୍ୟରଜନୀଶ ଚଭଡ଼ା, ରାହୁଲ କୁମାର, ଅଭିଜ୍ଞାନ କୁଣ୍ଡୁ (ଉପଅଧିନାୟକ, ୱିକେଟ୍‌ରକ୍ଷକ), ହର୍ବଂଶ ସିଂହ, ଆର୍‌ଏସ୍ ଅମ୍ବ୍ରିସ, କନିଷ୍କ ଚୌହ୍ବାନ, ଖିଲନ ପଟେଲ, ଯୁଦ୍ଧାଦିତ୍ୟ ଗୁହା, ପ୍ରଣବ ରାଘବେନ୍ଦ୍ର, ମହମ୍ମଦ ଇନାନ, ଆଦିତ୍ୟ ରାଣା, ଅନମୋଲଜିତ ସିଂହ।