କଳିଙ୍ଗରେ ପୁଣି ଭାରତ-ପାକିସ୍ତାନ!

ପ୍ରୋ ହକି ଲିଗ୍ ସୂଚୀ ପ୍ରକାଶିତ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ହକି ଦଳ ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି। ଅକ୍ଟୋବର ଶେଷ ଆଡ଼କୁ ଖେଳାଯିବାକୁ ଥିବା‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଅନ୍ତର୍ଗତ ‌ଏହି ମ୍ୟାଚ୍ ଖେଳାଯାଇପାରେ। ତେବେ ଆସନ୍ତା ୯ ତାରିଖରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଏହି ପ୍ରତିଯୋଗିତାର ଡ୍ର’ ତାଲିକା ପ୍ରକାଶ କରିବା ପରେ ଚିତ୍ର ସ୍ପଷ୍ଟ ହେବ। ସେପଟେ କ୍ରୀଡ଼ା ନିର୍ଦେଶକ ଆର ଭିନିଲକ୍ରିଷ୍ଣାଙ୍କ ଟ୍ବିଟ୍ ଏହି ଆଶାକୁ ଦ୍ବିଗୁଣିତ କରିଛି। ବୁଧବାର କରିଥିବା ଏକ ଟ୍ବିଟ୍‌ରେ ଶ୍ରୀ ଭିନିଲକ୍ରିଷ୍ଣା ଲେଖିଛନ୍ତି ଯେ କଳିଙ୍ଗ ଷ୍ଟାଡିୟମ୍ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଆୟୋଜନ କରିବ। ଏହା କ’ଣ ଭାରତ-ପାକିସ୍ତାନ ମ୍ୟାଚ୍ କି? ତାଙ୍କ ଟ୍ବିଟ୍ ପରେ ସ୍ଥାନୀୟ ହକିପ୍ରେମୀ ଉଲ୍ଲସିତ ଅଛନ୍ତି। କଳିଙ୍ଗ ଷ୍ଟାଡିୟମରେ ସେମାନେ ଆଉ ଏକ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଆଶା ବାନ୍ଧିଛନ୍ତି। ଏଥିନେଇ ‘ସମ୍ବାଦ’ ପକ୍ଷରୁ ଶ୍ରୀ ଭିନିଲକ୍ରିଷ୍ଣାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସବୁକିଛି ୯ ତାରିଖରେ ସ୍ପଷ୍ଟ ହେବ ବୋଲି ସେ ମେସେଜ୍ ବାର୍ତାରେ ଉତ୍ତର ରଖିଥିଲେ।

ସୂଚନାଯୋଗ୍ୟ ଯେ ଗତବର୍ଷ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ବକପ୍‌ ଲାଗି ପାକିସ୍ତାନ ଦଳ ଭୁବନେଶ୍ବର ଆସିଥିଲା। ହେଲେ ଭାରତ ପୁଲ-ସିରେ ଥିଲା ବେଳେ ପାକିସ୍ତାନ ପୁଲ୍ ଡି’ରେ ରହିଥିଲା। ଏଣୁ ଲିଗ୍ ପର୍ଯ୍ୟାୟରେ ଉଭୟ ମୁହାଁମୁହିଁ ହୋଇ ନଥିଲେ। କ୍ରସ୍ ଓଭରରେ ମଧ୍ୟ ଏହି ସୁଯୋଗ ନଥିଲା। ଉଭୟ ଦଳ କ୍ରସଓଭର ପର୍ଯ୍ୟାୟରୁ ବିଦାୟ ନେଇଥିବାରୁ ଭାରତ-ପାକିସ୍ତାନ ଲଢ଼େଇ ସ୍ଥାନୀୟ ହକି ପ୍ରେମୀ ଦେଖି ପାରି ନଥି‌ଲେ। ତେବେ ୨୦୧୪ ଚାମ୍ପିଅନ୍ସ ଟ୍ରଫି ହକିର ସେମିଫାଇନାଲରେ ଏଠାରେ ଭାରତ-ପାକିସ୍ତାନ ‌ପରସ୍ପରକୁ ଭେଟିଥିଲେ। ଏହି ଉତ୍ତେଜନା ପ୍ରବଣ ମ୍ୟାଚ୍‌ରେ ପାକିସ୍ତାନ ୪-୩ ଗୋଲ୍‌ରେ ବିଜୟୀ ହୋଇ ଫାଇନାଲ୍ ଯାଇଥିଲା। ବିଜୟ ପରେ ଦର୍ଶକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭଦ୍ର ଇଙ୍ଗିତ ଦେଖାଇ ଦୁଇ ଜଣ ପାକିସ୍ତାନୀ ଖେଳାଳି ବାସନ୍ଦ ହେବା ସହ ଏକାଧିକଙ୍କୁ ଜରିମାନା ହୋଇଥିଲା।

ପ୍ରୋ ହକି ଲିଗ୍ ସୂଚୀ ପ୍ରକାଶିତ

ଆସନ୍ତାବର୍ଷ ଜାନୁଆରି ମାସରୁ ଆରମ୍ଭ ହେବାକୁ ଥିବା ପ୍ରୋ ହକି ଲିଗ୍‌ର ଦ୍ବିତୀୟ ସଂସ୍କରଣ ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ବୁଧବାର ସଂପୂର୍ଣ୍ଣ ସୂଚୀ ପ୍ରକାଶ କରିଛି। ତଦନୁୟାୟୀ ଏହି ଲିଗ୍‌ରେ ମୋଟ ୧୪୪ ମ୍ୟାଚ୍ ଖେଳାଯିବ। ଲିଗ୍ ୨୦୨୦ ଜାନୁଆରି ୧୧ରୁ ଆରମ୍ଭ ହୋଇ ଜୁନ୍ ୨୮ରେ ଶେଷ ହେବ। ଲିଗ୍ ଅନ୍ତର୍ଗତ ଦଳଗୁଡ଼ିକ ନିଜ ଘରୋଇ ପରିବେଶରେ ଏକ ନିର୍ଦିଷ୍ଟ ଦଳ ବିପକ୍ଷରେ ଦୁଇ ଦିନରେ ଦୁଇଟି ମ୍ୟାଚ୍ ଖେଳି‌େବ। ସେହିଭଳି ବିଦେଶରେ ଦୁଇ ଦିନରେ ଦୁଇ ଥର ଏକ ନିର୍ଦିଷ୍ଟ ପ୍ରତିଦ୍ବନ୍ଦ୍ବୀର ମୁକାବିଲା କରି‌େବ। ଭାରତ ତା’ର ଅଭିଯାନ ଜାନୁଆରି ୧୮ରେ ନେଦରଲାଣ୍ଡ ବିପକ୍ଷରେ ଆରମ୍ଭ କରିବ। ୧୯ ତାରିଖରେ ସେହି ନେଦରଲାଣ୍ଡ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍ ଖେଳିବ। ସେହିଭଳି ଫେବ୍ରୁଆରି ୮ ଓ ୯ରେ ବେଲଜିୟମକୁ , ଫେବ୍ରୁଆରି ୨୨ ଓ ୨୩ରେ ଅଷ୍ଟ୍ରେଲିଆକୁ ଏବଂ ମେ ୨୩ ଓ ୨୪ରେ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡକୁ ଭେଟିବ। ଭାରତ ତା’ର ବିଦେଶ ପର୍ଯ୍ୟାୟ ମ୍ୟାଚ୍ ଜର୍ମାନି ବିପକ୍ଷରେ ଏପ୍ରିଲ ୨୫ ଓ ୨୬ରେ ଖେଳିବ। ସେହିଭଳି ମେ ୨ ଓ ୩ରେ ଗ୍ରେଟ୍ ବ୍ରିଟେନ୍, ଜୁନ୍ ୫ ଓ ୬ରେ ଆର୍ଜେଣ୍ଟିନା ଏବଂ ଜୁନ୍ ୧୩ ଓ ୧୪ରେ ସ୍ପେନ୍‌ ସହ ସେମାନଙ୍କ ଘରୋଇ ପଡ଼ିଆରେ ମୁକାବିଲା କରିବ। ଭାରତ ଘରୋଇ ପରିବେଶରେ ୮ ଏବଂ ବିଦେଶରେ ୬ ମ୍ୟାଚ୍ ଖେଳିବ। ପ୍ରକାଶଯୋଗ୍ୟ ଯେ ହକି ପ୍ରୋ ଲିଗ୍‌ ଚଳିତ ବର୍ଷଠାରୁ ଆରମ୍ଭ ହୋଇଛି। ହେଲେ ଭାରତ ଏଥିରୁ ଶେଷ ମୁହୂର୍ତରେ ଓହରି ଯାଇଥିଲା। ଆସନ୍ତାବର୍ଷ କିନ୍ତୁ ଏହି ଲିଗ୍ ଖେଳିବାକୁ ହକି ଇଣ୍ଡିଆ ନିଷ୍ପତ୍ତି ନେଇଛି। ବୁଧବାର ଏଫ୍‌ଆଇଏଚ୍ ପ୍ରକାଶ କରିଥିବା ପ୍ରୋ ହକି ଲିଗ୍‌ ପାଇଁ ଭାରତର ତିନିଟି ସମ୍ଭାବ୍ୟ ଷ୍ଟାଡିୟମ୍ ତାଲିକାରେ ଲକ୍ଷ୍ନୌ ଏବଂ ରାଏପୁର ସହ କଳିଙ୍ଗ ଷ୍ଟାଡିୟମକୁ ରଖିଛି। ସେଥିପାଇଁ ଏଠାରେ ଭାରତର କେତେକ ମ୍ୟାଚ୍ ଖେଳାଯିବାର ଆଶା ସଂଚାର ହୋଇଛି। ଏହି ପ୍ରତିଯୋଗିତାକୁ ନେଇ ଭାରତୀୟ ଖେଳାଳିମାନେ ବେଶ୍ ଉତ୍ସାହିତ ଥିବା ଅଧିନାୟକ ମନପ୍ରୀତ ସିଂହ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର