ଇଣ୍ଡିଆନ୍ସ ୱେଲ୍ସ: ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା ଏଟିପି ମାଷ୍ଟର୍ସ ୧୦୦୦ ପ୍ରତିଯୋଗିତାରେ ବୟୋଜ୍ୟଷ୍ଠ ଖେଳାଳି ହୋଇଛନ୍ତି। ଏଠାରେ ଚାଲିଥିବା ବିଏନ୍ପି ପରିବାସ ଓପନ୍ରେ ସେ ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଟ୍ ଏବ୍ଦେନ୍ ପୁରୁଷ ଯୁଗଳ ଟ୍ରଫି ଜିତିଛନ୍ତି। ରବିବାର ଫାଇନାଲ୍ରେ ୪୩ ବର୍ଷୀୟ ବୋପାନ୍ନା ଓ ଏବ୍ଦେନ୍ (୩୫ ବର୍ଷ) ୬-୩, ୨-୬, ୧୦-୮ ସେଟ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଯୋଡ଼ି ନେଦରଲାଣ୍ଡ୍ସର ୱେସ୍ଲେ କୁଲହଫ୍ ଓ ବ୍ରିଟେନ୍ର ନେଲ୍ ସ୍କୁପ୍ସ୍କିଙ୍କୁ ପରାସ୍ତ କରିଥିଲେ।
ଏହି ବିଜୟ ସହ ବୋପାନ୍ନା ବୟୋଜ୍ୟେଷ୍ଠ ଖେଳାଳି ଭାବେ କାନାଡ଼ାର ଡାନିଏଲ୍ ନେଷ୍ଟରଙ୍କ କୀର୍ତ୍ତିମାନ ଭାଙ୍ଗିଥିଲେ। ନେଷ୍ଟର ୪୨ ବର୍ଷ ବୟସରେ ୨୦୧୫ରେ ସିନ୍ସିନାଟି ମାଷ୍ଟର୍ସରେ ବିଜେତା ହୋଇଥିଲେ। ୪୩ ବର୍ଷୀୟ ବୋପାନ୍ନାଙ୍କ ଏହା ପଞ୍ଚମ ମାଷ୍ଟର୍ସ ୧୦୦୦ ଯୁଗଳ ମୁକୁଟ। ୨୦୧୭ ମଣ୍ଟେ କାର୍ଲୋ ପରେ ଏହା ପ୍ରଥମ। ଚଳିତ ବର୍ଷ ଏହି ଭାରତ-ଅଷ୍ଟ୍ରେଲୀୟ ଯୋଡ଼ିଙ୍କର ଏହା ତୃତୀୟ ଫାଇନାଲ୍ ମ୍ୟାଚ୍ ଥିଲା।