ପାକ୍ କ୍ରିକେଟର୍ ସୋଏବ୍ ମଲିକଙ୍କ ଭାରତୀୟ ପତ୍ନୀ ସାନିଆ ମିର୍ଜାଙ୍କ ବହୁଚର୍ଚ୍ଚିତ ବିବାହ ବିଚ୍ଛେଦ ଏବେ ଦରିଆପାରି ପ୍ରେମ ଓ ବିବାହର ସ୍ଥାୟିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଯାବତ୍ ଚାରି ପାକ୍ କ୍ରିକେଟର ଭାରତୀୟ ପତ୍ନୀ ଗ୍ରହଣ କରିଥିବା ବେଳେ ଦୁଇଟି ବିବାହ ଅଧାରୁ ଭାଙ୍ଗିଛି।

Advertisment

କ୍ରିକେଟ୍ ଖେଳାଳି ଓ ଚଳଚ୍ଚିତ୍ର ନାୟିକା କିଂବା ଅନ୍ୟ ପରିସରର ସେଲିବ୍ରିଟିମାନଙ୍କ ମଧ୍ୟରେ ପ୍ରେମ ଓ ବିବାହ କିଛି ନୂଆ କଥା ନୁହେଁ। ବେଶ୍ କିଛି ଦଶନ୍ଧି ଧରି ଏହି ଧାରା ଦେଖିବାକୁ ମିଳିଛି । ଆମ ଦେଶର କେତେ ଜଣ ଚଳଚ୍ଚିତ୍ର ନାୟିକା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଯୁବତୀ ଭାରତୀୟ କ୍ରିକେଟ୍ ଖେଳାଳିଙ୍କୁ ପ୍ରେମ ଓ ବିବାହ କରିଛନ୍ତି। ଭିନ୍ନଭିନ୍ନ କ୍ଷେତ୍ରରେ ବ୍ୟକ୍ତିଗତ ସଫଳତା ଲାଭ କରିଥିବା ଭାରତୀୟ ଯୁବତୀ ମଧ୍ୟ ପାକିସ୍ତାନୀ କ୍ରିକେଟ୍ ଖେଳାଳିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି କ୍ରମରେ ଆମେ ମୋହସୀନ୍ ଖାନ୍‌ଙ୍କଠାରୁ ହାସନ୍ ଅଲ୍ଲୀଙ୍କ ପର୍ଯ୍ୟନ୍ତ ଚାରି ଜଣ ପାକ୍-କ୍ରିକେଟରଙ୍କୁ ସାମିଲ୍ କରିପାରିବା। ଭାରତ ଓ ପାକିସ୍ତାନର ସମ୍ପର୍କ ଅହିନକୁଳ ଭଳି ହୋଇଥିଲେ ହେଁ ଭଲପାଇବା ଉପରେ ଏହା ପ୍ରଭାବ ପକାଇ ପାରିନାହିଁ। ଦେଶ-ଦେଶ ଭିତରେ ଥିବା ତିକ୍ତତା ପ୍ରେମ ଭଳି ମଧୁର ସଂପର୍କକୁ ରୋକି ପାରିନାହିଁ।

ତେବେ ପାକ୍ କ୍ରିକେଟର୍ ସୋଏବ୍ ମଲିକ ଓ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ଖବର ଏଭଳି ବିବାହର ସଫଳତା ଓ ବିଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ଦିନ ଧରି ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା ଯେ ସୋଏବ୍-ସାନିଆଙ୍କ ମଧ୍ୟରେ ସଂପର୍କ ଭଲନାହିଁ। ଏପରି ପରିସ୍ଥିତିରେ ଗତ ଜାନୁଆରି ୨୦ ତାରିଖରେ ହଠାତ୍ ସାମାଜିକ ଗଣମାଧ୍ୟମରେ ସୋଏବ୍ ଏକ ପୋଷ୍ଟକଲେ, ଯାହା ସମସ୍ତଙ୍କୁ ଚମକାଇ ଦେଲା। ସେ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦ୍‌ଙ୍କୁ କରାଚୀରେ ବିବାହ କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଏହା ପରେ ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କଲେ ଯେ ନୂଆ ବିବାହରେ ସୋଏବ୍‌ଙ୍କ ପରିବାର ଲୋକ ଖୁସି ନୁହନ୍ତି। ବିବାହରେ ସେମାନଙ୍କ ଅନୁପସ୍ଥିତି ଏହା ସୂଚାଉଛି।

କିଛି ଦିନ ପୂର୍ବରୁ ଖବର ପ୍ରକାଶ ପାଇଥିଲା କି ସୋଏବ୍ ଅନ୍ୟ ମହିଳାଙ୍କ ସହିତ ମିଳାମିଶା କରୁଥିବାରୁ ସାନିଆ ବିବ୍ରତ ଅଛନ୍ତି। କିନ୍ତୁ ଏ ବିଷୟରେ ସାନିଆ ଚୁପ୍ ରହିଥିଲେ ବି କିଛି ଦିନ ପୂର୍ବେ ସାମାଜିକ ଗଣମାଧ୍ୟମରେ କରିଥିବା ରହସ୍ୟଜନକ ପୋଷ୍ଟ୍‌ରୁ ଏହାର ଆଭାସ ମିଳିଥିଲା। ସେ ଲେଖିଥିଲେ, ‘‘ବିବାହ କଷ୍ଟଦାୟକ। ଛାଡ଼ପତ୍ର କଷ୍ଟଦାୟକ। ତୁମ ପାଇଁ କେଉଁଟି ଅଧିକ କଷ୍ଟ, ଦେଖ। ମୋଟା ହେବା କଷ୍ଟ। ପତଳା ହେବା କଷ୍ଟ। ତୁମକୁ କ’ଣ ଅଧିକ କଷ୍ଟ ଦେଉଛି, ଦେଖ। ଋଣୀ ହେବା କଷ୍ଟ। ମିତବ୍ୟୟୀ ହେବା କଷ୍ଟ। କେଉଁଟି ତୁମ ପାଇଁ ଅଧିକ କଷ୍ଟଦାୟକ ବାଛ। ଯୋଗାଯୋଗ ରଖିବା କଷ୍ଟ। ଯୋଗାଯୋଗ ନ ରଖିବା କଷ୍ଟ। ତୁମ ପାଇଁ କେଉଁଟି କଷ୍ଟଦାୟକ, ଜାଣ। ଜୀବନଯାତ୍ରା କେବେ ସୁଗମ ନୁହେଁ। ସବୁବେଳେ କଷ୍ଟକର । କିନ୍ତୁ, ସେଥିରୁ ଆମ ପାଇଁ ଯାହା ଅଧିକ କଷ୍ଟକର ତାହାକୁ ବାଛି ଅଲଗା କରି ପାରିବା।’’ ସୋଏବଙ୍କ ତୃତୀୟ ବିବାହ ଖବର ପ୍ରଘଟ ହେବା ପରେ ସାନିଆଙ୍କ ବାପା ସୁନିଶ୍ଚିତ କରିଥିଲେ ଯେ, ଝିଅ ନିଜ ଆଡୁ ବିବାହ ବିଚ୍ଛେଦ ଚାହୁଁଥିଲା ଓ ତାହା ହୋଇସାରିଛି। ଏହି ପରିପ୍ରେକ୍ଷୀରେ ଆସନ୍ତୁ ନଜର ପକାଇବା ଏହି ବର୍ଗର ଚାରି ଚର୍ଚ୍ଚିତ ଦମ୍ପତିଙ୍କ ସଂପର୍କ ଉପରେ। ଯଦି ଏହି ବୈବାହିକ ସଂପର୍କର ସ୍ଥାୟିତ୍ବ ଓ ସଫଳତାକୁ ନେଇ ଆମେ ଅନୁଶୀଳନ କରିବା ତେବେ ସଫଳତା ହାର ୫୦:୫୦ ହେବ। ଦୁଇଟି ବିବାହ ବନ୍ଧନ ଏଯାବତ୍ ଅତୁଟ ରହିଥିବା ବେଳେ ଅନ୍ୟ ଦୁଇଟିର ବିଚ୍ଛେଦରେ ପରିସମାପ୍ତି ଘଟିଛି।

publive-image

ମୋହଶିନ୍ ଖାନ୍ ଓ ରୀନା ରାୟ: ଅଶୀ ଦଶକରେ ଫିଲ୍ଲ ଓ କ୍ରୀଡ଼ା ଜଗତ ଲାଗି ଏକ ବହୁଚର୍ଚ୍ଚିତ ଖବର ଥିଲା ପାକ୍ କ୍ରିକେଟର ମୋହଶିନ୍ ଖାନ୍ ଓ ବଲିଉଡ୍ ନାୟିକା ରୀନା ରାୟଙ୍କ ପ୍ରେମବିବାହ। ମୁମ୍ବାଇରେ ଅନୁଷ୍ଠିତ ଏକ କ୍ରିକେଟ୍ ମ୍ୟାଚ୍‌ରେ ମୋହଶିନ୍ ଓ ରୀନା ରାୟଙ୍କ ସାକ୍ଷାତ ହୋଇଥିଲା। ଏହି ସାକ୍ଷାତରୁ ଦୁହିଁଙ୍କ ମଧ୍ୟରେ ଯୋଗାଯୋଗ ବଢ଼ିଲା ଓ ପରିଶେଷରେ ୧୯୮୩ରେ ଭାରତୀୟ ଚଳଚ୍ଚିତ୍ର ଜଗତ୍‌ରୁ ବିଦାୟ ନେଇ ରୀନା ରାୟ କରାଚୀରେ ମୋହଶିନ୍ ଖାନଙ୍କୁ ବିବାହ କଲେ। ମହଶିନ୍ ବି ଥିଲେ ଜଣେ ଭଲ ଅଭିନେତା। ତେଣୁ ଅଭିନୟରେ କ୍ୟାରିୟର କରିବା ଲାଗି ପରେ ଉଭୟ ମୁମ୍ବାଇକୁ ଚାଲିଆସିଲେ। ଅଳ୍ପ କେତୋଟି ବଲିଉଡ୍ ଚଳଚ୍ଚିତ୍ରରେ ଏକତ୍ର ଅଭିନୟ କଲେ। ଇତିମଧ୍ୟରେ ଦୁହେଁ ଏକ କନ୍ୟା ସନ୍ତାନର ପିତାମାତା ହେଲେ। କିନ୍ତୁ, ବିବାହ ଆଉ ତିଷ୍ଠିଲା ନାହିଁ। ୧୯୯୦ରେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେଲେ। ମୋହଶିନ୍ କ୍ରିକେଟ୍ କ୍ୟାରିୟର୍ ପ୍ରତି ଧ୍ୟାନ ଦେଇ ପରେ କ୍ରିକେଟ୍ କୋଚ୍ ଓ ଧାରାବିବରଣୀ ପ୍ରଦାନକାରୀ ହେଲେ। ରୀନା ରାୟ ମଧ୍ୟ ଅଭିନେତ୍ରୀ ଭାବେ ତାଙ୍କ କାର୍ଯ୍ୟଧାରା ଚାଲୁ ରଖିଲେ। ଦୁହିଁଙ୍କ ଜୀବନର ମାର୍ଗ ଅଲଗା ହୋଇଗଲା। ପରେ ମୋହଶିନ୍ ଆଉ ଦୁଇ ଜଣଙ୍କୁ ବିବାହ କରିଥିବା ସୂଚନା ରହିଛି।

publive-image

ଜାହିର ଆବାସ୍‌ ଓ ରୀତା ଲୁଥରା: ପାକିସ୍ତାନର ଜଣାଶୁଣା କ୍ରିକେଟର ଜାହିର ଆବାସ୍‌ ତିନି ସନ୍ତାନଙ୍କ ପିତା ହେବା ପରେ ଜଣେ ଭାରତୀୟ ଇଣ୍ଟିରିୟର୍ ଡିଜାଇନର୍ ରୀତା ଲୁଥରାଙ୍କୁ ବିବାହ କରିଥିଲେ। ୮୦ ଦଶକରେ ଇଂଲଣ୍ଡ୍‌ରେ ଦୁହିଁଙ୍କର ଭେଟ ହୋଇଥିଲା। ସେତେବେଳେ ରୀତା ଇଂଲଣ୍ଡ୍‌ରେ ଇଣ୍ଟିରିୟର୍ ଡିଜାଇନିଙ୍ଗ୍ କୋର୍ସ କରୁଥିଲେ ଓ ଜାହିର କ୍ରିକେଟ୍ ଖେଳିବା ପାଇଁ ସେଠାକୁ ଯାଇଥିଲେ। ରୀତାଙ୍କୁ ଦେଖି ଜାହିର୍ ଏତେ ମୁଗ୍ଧ ହୋଇଗଲେ ଯେ, ତାଙ୍କୁହିଁ ବିବାହ କରିବାକୁ ସେ ନିଷ୍ପତ୍ତି ନେଲେ। ପାକିସ୍ତାନୀ ସମ୍ବାଦପତ୍ର ‘ଦି ନେସନ୍’ ଅନୁଯାୟୀ, ଦେଶ ବିଭାଜନ ପୂର୍ବରୁ ଲୁଥରା ପରିବାର ପାକିସ୍ତାନର ଫୈସାଲାବାଦ୍‌ରେ ରହୁଥିଲେ। ରୀତାଙ୍କ ବାପା ସ୍ବର୍ଗତ କେ. ସି. ଲୁଥରା ଥିଲେ ଅାବାସ୍‌ଙ୍କ ବାପା ଶବୀରଙ୍କ ବନ୍ଧୁ। ତେଣୁ, ଦୁହିଁଙ୍କ ନିଷ୍ପତ୍ତିକୁ କେହି ବିରୋଧ କଲେନାହିଁ। ୧୯୮୮ରେ ସେମାନଙ୍କର ବିବାହ ହେଲା। ବିବାହ ପରେ ରୀତା ନିଜ ନାଆଁ ବଦଳାଇ ରଖିଲେ ସମିନା ଅାବାସ୍‌। ରୀତାଙ୍କ ପୂର୍ବରୁ ଜାହିର୍ ନଜ୍‌ମା ବୋଖାରୀ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିଥିଲେ। ତାଙ୍କଠାରୁ ଜାହିର୍‌ଙ୍କର ରୁଦାବା, ରୋଶନା ଓ ହିବା ନାଁରେ ୩ଟି ଝିଅ ଜନ୍ମ ହୋଇଥିଲେ। କିନ୍ତୁ, ରୀତାଙ୍କ ବାହା ହେବା ପାଇଁ ସେ ନଜ୍‌ମାଙ୍କୁ ଛାଡ଼ପତ୍ର ଦେଇଥିଲେ। ସମ୍ପ୍ରତି ଜାହିର ଓ ସମିନା କରାଚୀରେ ବସବାସ କରୁଛନ୍ତି। ସେଠାରେ ସମିନା ତାଙ୍କର ଇଣ୍ଟିରିୟର୍ ଡିଜାଇନିଙ୍ଗ୍ ବ୍ୟବସାୟ ଚଳାଇଛନ୍ତି।

publive-image

ସୋଏବ୍ ମଲିକ୍ ଓ ସାନିଆ ମିର୍ଜା: ପାକିସ୍ତାନୀ କ୍ରିକେଟର୍ ସୋଏବ୍ ମଲିକ୍ ଓ ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କୁ ଖାଲି ଭାରତ କି, ପାକିସ୍ତାନରେ ନୁହେଁ, ସମଗ୍ର କ୍ରୀଡ଼ାଜଗତ୍‌ରେ ପରସ୍ପର ପ୍ରତି ସମର୍ପିତ ଦମ୍ପତି ବୋଲି ବିବେଚନା କରାଯାଉଥିଲା। ୨୦୦୪ରେ ଭାରତର ହାଇଦ୍ରାବାଦରେ ଆୟୋଜିତ ‘ଚ୍ୟାରିଟି ସୋ’ରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା। ସେତେବେଳେ ସାନିଆଙ୍କୁ ବୟସ ୧୮ ବର୍ଷ ଓ ସୋଏବ୍‌ଙ୍କୁ୨୨। ଅଚିରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା। ପ୍ରାୟ ୬ ବର୍ଷ ଧରି ସୋଏବ୍ ଓ ସାନିଆଙ୍କ ବନ୍ଧୁତ୍ବ ଅତୁଟ ରହିଲା। ନିର୍ବନ୍ଧ ହୋଇଥିବା ବାଲ୍ୟବନ୍ଧୁ ସୋରାବ୍ ମିର୍ଜାଙ୍କଠାରୁ ସମ୍ପର୍କ ଚ୍ଛିନ୍ନ କରି ୨୦୧୦ରେ ସାନିଆ ସୋଏବ୍ ମଲିକ୍‌ଙ୍କୁ ବାହା ହେବାକୁ ସ୍ଥିର କଲେ। ଏହି ସମୟରେ ଖବର ମିଳିଲା କି, ସାନିଆଙ୍କ ପୂର୍ବରୁ ସୋଏବ୍ ଆୟେଶା ସିଦ୍ଦିକି ନାମ୍ନୀ ଆଉ ଜଣଙ୍କୁ ବାହା ହୋଇଛନ୍ତି। ସୋଏବ୍ ମଧ୍ୟ ସେକଥା ସ୍ବୀକାର କଲେ ଏବଂ ଆୟେଶାଙ୍କୁ ଛାଡ଼ପତ୍ର ଦେଲେ। ତା’ପରେ ଭାରତ ଏବଂ ପାକିସ୍ତାନରେ ସାନିଆ ଓ ସୋଏବଙ୍କ ବିବାହ ଅନୁଷ୍ଠାନ କରାଗଲା। ମେହେନ୍ଦୀ ଉତ୍ସବ ହେଲା ହାଇଦ୍ରାବାଦରେ ଏବଂ ‘ନିକାହ୍’ (ବିବାହ) ହେଲା ପାକିସ୍ତାନରେ। ବିବାହର ପ୍ରାୟ ୧୩ ବର୍ଷ ପରେ ଏବେ ଦୁହେଁ ଅଲଗା ହୋଇଛନ୍ତି। ସେମାନଙ୍କର ୨୦୧୮ରେ ଇଝାନ୍ ମିର୍ଜା-ମଲିକ୍ ନାଁରେ ପୁତ୍ର ସନ୍ତାନଟିଏ ହୋଇଥିଲା।

publive-image

ହସନ୍ ଅଲୀ ଓ ସାମିୟା ଆର୍‌ଜୁ: ଏହି ଧାରାର ସଦ୍ୟତମ ଉଦାହରଣ ହେଲେ ପାକିସ୍ତାନୀ କ୍ରିକେଟ୍ ଟିମ୍‌ର ଫାଷ୍ଟ୍ ବୋଲର୍ ହସନ୍ ଅଲୀ ଏବଂ ଭାରତୀୟ ବିମାନ ଇଞ୍ଜିନିୟର୍ ସାମିୟା ଆର୍‌ଜୁ। ହରିୟାଣାର ନୁହ୍ ଜିଲ୍ଲା ଅନ୍ତର୍ଗତ ଚାନ୍ଦେନୀ ଗାଁରେ ଜନ୍ମିତା ସାମିୟା ଫରିଦାବାଦସ୍ଥିତ ମାନବ ରଚନା ବିଶ୍ବବିଦ୍ୟାଳୟରୁ ଏରୋନଟିକାଲ୍ ଇଞ୍ଜିନିୟରିଙ୍ଗ୍‌ରେ ବି. ଟେକ୍ କରି ପ୍ରଥମେ ଜେଟ୍ ଏୟାର‌ୱେଜ୍‌ରେ ଏୟାର୍ ହୋଷ୍ଟେସ୍ ଓ ପରେ ଏମିରେଟ୍‌ସ୍‌ ଏୟାର୍ଲାଇନ୍‌ସ୍‌ରେ ଇଞ୍ଜିନିୟର୍ କାମ କରୁଥିଲେ। ଦୁବାଇରେ ଅନୁଷ୍ଠିତ ଏକ ‘ଚ୍ୟାରିଟି ସୋ’ରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ପ୍ରଥମ ସାକ୍ଷାତରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଗଲା। ୨୦୨୧ ଅଗଷ୍ଟ ୨୦ରେ ଦୁବାଇରେ ସେମାନଙ୍କର ବିବାହ ହେଲା। ୨୦୨୧ରେ ଦୁହିଁଙ୍କର ଝିଅଟିଏ ହେଲା। ତା’ର ନାଁ ହେଲେନା ରଖିଛନ୍ତି ହସନ୍ ଅଲୀ। ବିବାହ ପରଠାରୁ ଭିସା କଟକଣା ଯୋଗୁଁ ସାମିୟା ଭାରତକୁ ଆସିପାରୁ ନ ଥିଲେ। କିନ୍ତୁ, ୨୦୨୩ ବିଶ୍ବକପ୍ ଖେଳିବା ପାଇଁ ସ୍ବାମୀ ହସନ୍ ଅଲୀ ଭାରତକୁ ଆସିବାରୁ ସାମିୟା ତାଙ୍କ ସହିତ ଆସି ପରିବାର ଲୋକଙ୍କୁ ଭେଟିଯାଇଛନ୍ତି।

ପ୍ରେମରେ ପାକ୍ କ୍ରିକେଟର ଓ ଭାରତୀୟ ନାୟିକା

ବଲିଉଡ୍‌ ନାୟିକା ଓ ପାକିସ୍ତାନୀ କ୍ରିକେଟ୍ ଖେଳାଳିଙ୍କ ମଧ୍ୟରେ ପ୍ରେମ ସଂପର୍କକୁ ନେଇ ଗଣମାଧ୍ୟମରେ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଛି। କିନ୍ତୁ, ତା’ପରେ ଏହି ସଂପର୍କ ଆଗକୁ ବଢ଼ିବା ନେଇ କୌଣସି ଖବର ଆସିନାହିଁ। ଏଭଳି କିଛି ସଂପର୍କର କଥା...

ଇମ୍ରାନ୍ ଖାଁ ଓ ଜୀନତ୍ ଅମନ୍
୭୦ ଦଶକର ଶେଷ ଆଡ଼କୁ ପାକିସ୍ତାନୀ କ୍ରିକେଟ୍ ଟିମ୍‌ର ଅଧିନାୟକ ଇମ୍ରାନ୍ ଖାଁ ଓ ବଲିଉଡ୍ ଅଭିନେତ୍ରୀ ଜୀନତ୍ ଅମନ୍‌ଙ୍କ ପ୍ରେମ କଥା ଲୋକଙ୍କୁ ବିସ୍ମିତ କରିଥିଲା। କିନ୍ତୁ, ଦୁହିଁଙ୍କ ପ୍ରେମ ସମ୍ପର୍କ ତିଷ୍ଠିଲା ନାହିଁ। ଅନେକ ବର୍ଷ ପରେ ଜଣେ ସାମ୍ବାଦିକ ପଚାରିବାରୁ ଜୀନତ୍ କହିଥିଲେ, ଗଲା କଥା ଆଲୋଚନା କରନ୍ତୁ ନାହିଁ। ଏବେ ଆମ ପିଲାମାନେ ବଡ଼ ହୋଇଗଲେଣି, ଆମେ ବି ବୁଢ଼ାବୁଢ଼ୀ ହେଲୁଣି।

publive-image

ସୋଏବ୍ ଅଖ୍‌ତର୍ ଓ ସୋନାଲୀ ବେନ୍ଦ୍ରେ
ପାକିସ୍ତାନୀ କ୍ରିକେଟର ସୋଏବ୍ ଅଖ୍‌ତର୍ ବଲିଉଡ୍ ସୁନ୍ଦରୀ ସୋନାଲୀ ବେନ୍ଦ୍ରେଙ୍କ ପ୍ରେମରେ ପଡ଼ିଥିଲେ। ଥରେ ଏକ ସାକ୍ଷାତ୍‌କାରରେ ସେ କହିଥିଲେ, ସୋନାଲୀଙ୍କ ପ୍ରତି ତାଙ୍କର ଅନୁରାଗ ଅଛି। ସୋନାଲୀଙ୍କୁ ରାଜି କରାଇବାକୁ ସବୁକିଛି କରିପାରିବେ। ସୋନାଲୀ ରାଜି ନ ହେଲେ, ସେ ତାଙ୍କୁ ଅପହରଣ କରିବାକୁ ପଛାଇବେ ନାହିଁ। କିନ୍ତୁ, କିଛି ବର୍ଷ ପରେ ସୋନାଲୀଙ୍କୁ ପ୍ରେମ କରୁଥିବା କଥାକୁ ସୋଏବ୍ ଅସ୍ବୀକାର କରିଥିଲେ।

publive-image

ୱାସିମ୍ ଆକ୍ରମ୍ ଓ ସୁସ୍ମିତା ସେନ୍
୨୦୦୮ରେ ‘ଏକ୍ ଖିଲାଡି ଏକ୍ ହସିନା’ ସୋ’ରେ ପାକିସ୍ତାନୀ କ୍ରିକେଟର୍ ୱାସିମ୍ ଆକ୍ରମ ଓ ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନଙ୍କର ଭେଟ ହୋଇଥିଲା। ୱାସିମ୍ ଥିଲେ ବିବାହିତ। କିନ୍ତୁ, ୨୦୦୯ରେ ତାଙ୍କ ସ୍ତ୍ରୀ ହୁମା ମରିଯିବାରୁ ଗୁଜବ ଉଠିଲା କି, ସୁସ୍ମିତା ଓ ୱାସିମ୍ ବାହା ହେବାକୁ ସ୍ଥିର କରିଛନ୍ତି। ଏକଥା ଶୁଣି ସୁସ୍ମିତା କହିଲେ, ବାହାଘର କଥା ଡାହା ମିଛ। ଆକ୍ରମ ମୋର ଭଲ ବନ୍ଧୁ ଓ ଚିରକାଳ ବନ୍ଧୁ ହୋଇ ରହିଥିବେ।

publive-image