ରାଜକୋଟରେ ରାଜକୀୟ ବିଜୟ: ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ହରାଇଲା ଭାରତ, ୧-୧ ସ୍ଥିତିରେ ଶୃଙ୍ଖଳା

ରାଜକୋଟ: ମୁମ୍ବାଇରେ ମାନସମ୍ମାନ ହରାଇଥିବା ବିରାଟ କୋହଲି ବାହିନୀ ରାଜକୋଟରେ ରାଜକୀୟ ବିଜୟ ହାସଲ କରିଛି। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇଆସିଛି। ଶୁକ୍ରବାର ଭାରତ ୩୬ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତର ୩୪୦/୬ ଜବାବରେ କଙ୍ଗାରୁ ଦଳ ୫ ବଲ୍‌ ପୂର୍ବରୁ ୩୦୪ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ରାଜକୋଟ ବିଜୟ ମଧ୍ୟ ବେଙ୍ଗାଲୁରୁରେ ରବିବାର‌ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆରେ ରୋମାଞ୍ଚକ ମୁକାବିଲାର ପ୍ରତିଶ୍ରୁତି ଦେଇଛି।

ଶୁକ୍ରବାର ସୌରାଷ୍ଟ୍ର କ୍ରିକେଟ୍ ସଂଘ ପଡିଆରେ ଅଷ୍ଟ୍ରେଲିଆ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଏଥର କିନ୍ତୁ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ ଦୃଢ଼ ମୂଳଦୁଆ ସହ ଅଭିଯାନ ଆରମ୍ଭ କରିଥିଲେ। ପ୍ରଥମ ୱିକେଟ୍ ପାଇଁ ୮୧ ରନ୍‌ (୧୩.୩ ଓଭର) ‌ଉଠାଇଥିଲେ ଏହି ବାମ-ଡାହାଣହାତୀ ବ୍ୟାଟ୍‌ସମ୍ୟାନ୍‌। ରୋହିତ ଶର୍ମା (୪୨, ୪୪ ବଲ୍‌, ୬ ଚୌକା)ଙ୍କ ୱିକେଟ୍ ନେଇ ଆଦାମ ଜାମ୍ପା ଭ୍ରମଣକାରୀ ଦଳ ପାଇଁ ପ୍ରଥମ ସଫଳତା ଆଣିଥିଲେ। ଏହି ସମୟରେ ଦିଲ୍ଲୀ ଯୋଡ଼ି ଶିଖର ଧାୱନ ଓ ବିରାଟ କୋହଲି ଭାରତ ପାଇଁ ଶତକୀୟ ଭାଗୀଦାରି ପ୍ରତିଷ୍ଠା କରି ବଡ଼ ସ୍କୋର୍‌ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ୧୫.୧ ଓଭରରେ ଏମାନେ ୧୦୩ ରନ୍ ଯୋଡ଼ିଥିଲେ। ଧାୱନ (୯୬, ୯୦ ବଲ୍‌, ୧୩ ଚୌକା, ୧ ଛକା)ଙ୍କୁ ରିଚାର୍ଡସନ୍‌ ଆଉଟ୍ କରିବାରୁ ସେ ନିଜ ଅଷ୍ଟାଦଶ ଦିନିକିଆ ଶତକରୁ ବଞ୍ଚିତ ହୋଇଥିଲେ। କିଛି ସମୟ ପରେ ବିରାଟ କୋହଲି (୭୮, ୭୬ ବଲ୍‌, ୬ ଚୌକା) ଲଗାତାର ପାଳିରେ ସ୍ପିନର୍‌ ଆଦାମ ଜାମ୍ପାଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ଏହା ପରେ ଶ୍ରେୟସ ଆୟର (୭) ଏବଂ ମନୀଷ ପାଣ୍ଡେ (୨) ଭାରତର ରନ୍‌ ହାରକୁ କମାଇ ଦେଇଥିଲେ। ହେଲେ ୫ ନମ୍ବରରେ ବ୍ୟାଟିଂ କରିଥିବା କେଏଲ୍ ରାହୁଲ୍ (୮୦, ୫୨ ବଲ୍‌, ୬ ଚୌକା, ୩ ଛକା) ମାତ୍ର ୩୮ ବଲ୍‌ରୁ ଅର୍ଧଶତକ ହାସଲ କରିବାରୁ ଭାରତ ୩୪୦ ରନ୍‌ କରି ନେଇଥିଲା। ରବୀନ୍ଦ୍ର ଜାଦେଜା (୨୦*, ୧୬ ବଲ୍‌) ଉପଯୋଗ‌ୀ ଅବଦାନ ରଖିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଦାମ ଜାମ୍ପା ୩ ଏବଂ କେନ୍‌ ୱିଲିୟମସନ୍‌ ୨ ୱିକେଟ୍ ନେଇଥିଲେ। ମିଚେଲ୍ ଷ୍ଟାର୍କ ତାଙ୍କ ୧୦ ଓଭରରେ ୭୮ ରନ୍ ବ୍ୟୟ କରି ୱିକେଟଶୂନ୍ୟ ରହିବା ବିରଳ ଥିଲା। ଏହାଠାରୁ ଥରେ ମାତ୍ର ସେ ଅଧିକ ରନ୍‌ (୭୯ ରନ୍‌ ବନାମ ଇଂଲଣ୍ଡ, ୨୦୧୫) ବ୍ୟୟ କରିଥିଲେ।

୩୪୧ ରନ୍‌ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମ୍ୟାଚ୍‌ର ୩୮ତମ ଓଭର ପର୍ଯ୍ୟନ୍ତ ଆଶାରେ ରହିଥିଲା। ଷ୍ଟିଭେନ୍‌ ସ୍ମିଥ୍‌ (୯୮, ୧୦୨ ବଲ୍‌, ୯ ଚୌକା, ୧ ଛକା)ଙ୍କୁ କୁଲଦୀପ୍ ଶର୍ମା ପ୍ଲେଡ୍‌ ଅନ୍‌ କରିଦେବା ପରେ ଅଷ୍ଟ୍ରେଲିଆ ପଂଝାରୁ ଭାରତ ମ୍ୟାଚ୍‌ ଛଡ଼ାଇଥିଲା। ଶେଷ ୫ ୱିକେଟ୍ ଦଖଲ କରିବା ଭାରତୀୟ ବୋଲରଙ୍କ ପାଇଁ ଔପଚାରିକତା ଥିଲା। ଯଶ୍‌ପ୍ରୀତ୍‌ ବୁମ୍‌ରା ଶେଷ ୱିକେଟ୍ ନେଇ ବିଜୟ ମୁଣ୍ଡି ମାରିଥିଲେ। ସେ ସବୁଠୁ ମିତ୍ତବ୍ୟୟୀ (୯.୧-୨-୩୨-୧) ବୋଲିଂ ଚିତ୍ର ପାଇଥିଲେ। ମହମ୍ମଦ ସାମି ସର୍ବାଧିକ ୩ ୱିକେଟ୍ ନେଇଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ନଭଦୀପ ‌ସୈନି ୨ ଲେଖାଏଁ ୱିକେଟ୍ ନେବା ଭାରତକୁ ଦଳଗତ ପ୍ରଦର୍ଶନର ବିଜୟ ଦେଇଥିଲା। ରାଜକୋଟରେ ବି ଭାରତ ତୃତୀୟ ମ୍ୟାଚ୍‌ରେ ପ୍ରଥମ ଥର ବିଜୟୀ ହୋଇଥିଲା। ସୁନ୍ଦର ବ୍ୟାଟିଂ ପରେ ୱିକେଟ୍‌ ପଛପଟେ ଚମତ୍କାର ପ୍ରଦର୍ଶନ କରିଥିବାରୁ କେଏଲ୍‌ ରାହୁଲ ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପାଇଥିଲେ। ବିନା ଶତକରେ ଗୋଟିଏ ମ୍ୟାଚ୍‌ରୁ ମୋଟ ୬୪୪ ରନ୍‌ (୩୪୦+୩୦୪) ସଂଗୃହୀତ ହେବା ଭାରତ ମାଟିରେ ସର୍ବୋଚ୍ଚ ଥିଲା।

ରୋହିତ, ଶିଖର ଆହତ
ଶୁକ୍ରବାର ମ୍ୟାଚ୍‌ ବେଳେ ରୋହିତ ଶର୍ମା‌ ଆହତ ହୋଇଛନ୍ତି। ରବିବାର ମ୍ୟାଚ୍‌ ଖେଳିବା ନେଇ ଆଶଙ୍କା ଜାତ ହୋଇଥିଲେ ମଧ୍ୟ ଅଧିନାୟକ ବିରାଟ କୋହଲି ସକାରାତ୍ମକ ସଙ୍କେତ ଦେଇଛନ୍ତି। ଏହା ‌ଗମ୍ଭୀର ନୁହେଁ ବୋଲି କୋହଲି ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ପାଳି ସମୟରେ ରୋହିତ ଏକ ବାଉଣ୍ଡରି ରୋକିବାକୁ ସ୍ବିପର କଭର୍‌ ଅଞ୍ଚଳରୁ ଦୌଡ଼ିଥିଲେ ମଧ୍ୟ ସଫଳ ହୋଇନଥିଲେ। ବଲ୍‌କୁ ଫୋପାଡ଼ିବା ସମୟରେ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ବଦଳରେ କେଦାର ଯାଦବ କ୍ଷେତ୍ରରକ୍ଷଣ କରିଥିଲେ। ସେହିଭଳି ରୋହିତଙ୍କ ପ୍ରାରମ୍ଭିକ ବ୍ୟାଟିଂ ସାଥୀ ଶିଖର ଧାୱନ ମଧ୍ୟ ପିଞ୍ଜରାରେ ଆଘାତ ପାଇଛନ୍ତି।

ସମ୍ବନ୍ଧିତ ଖବର