ବଡ଼ୋଦରା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳାକୁ ଭାରତୀୟ ମହିଳା ୩-୦ରେ ପୋଛିନେଇଛି। ଶୁକ୍ରବାର ଶେଷ ତଥା ତୃତୀୟ ମ୍ୟାଚ୍ରେ ଦୀପ୍ତି ଶର୍ମା (୩୯* ରନ୍, ୬ ୱିକେଟ୍)ଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନ ବଳରେ ଘରୋଇ ଦଳ ୫ ୱିକେଟ୍ରେ ଭ୍ରମଣକାରୀ ଦଳକୁ ମାତ୍ ଦେଇଛି। ଦୀପ୍ତି (୧୦-୩-୩୧-୬) ଓ ରେଣୁକା ସିଂହ (୯.୫-୦-୨୯-୪)ଙ୍କ ଘାତକ ବୋଲିଂ ସାମ୍ନା କରି ନପାରି ଇଣ୍ଡିଜ୍ ୩୮.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୨ ରନ୍ କରିଥିଲା। ଚିନେଲି ହେନ୍ରି (୬୧), ଅଧିନାୟିକା ଶେମାନି କ୍ୟାମ୍ପବେଲ୍ (୪୬) ଓ ଆଲିୟା ଆଲେନି (୨୧)ଙ୍କ ଛଡ଼ା ଅନ୍ୟ କୌଣସି ଇଣ୍ଡିଜ୍ ବ୍ୟାଟର୍ ଦୁଇ ଅଙ୍କ ଛୁଇଁପାରି ନଥିଲେ। ଜବାବରେ ଭାରତ ୨୩ ରନ୍ରେ ଦୁଇ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଦୁଇ ତାରକା ବ୍ୟାଟର୍ ସ୍ମୃତି ମନ୍ଧାନା (୪) ଓ ହର୍ଲିନ ଦେଓଲ (୧) ବିଫଳ ହୋଇଥିଲେ। ତେବେ ପ୍ରତୀକା ରାୱଲ (୧୮), ଅଧିନାୟିକା ହର୍ମନପ୍ରୀତ କୌର (୩୨), ଜେମିମା ରଡ୍ରିଗୁଏଜ (୨୯), ଦୀପ୍ତି ଶର୍ମା (୩୯*) ଓ ରିଚା ଘୋଷ (୨୩) ଛୋଟଛୋଟ ଭାଗୀଦାରି ଗଢ଼ି ଦଳକୁ ସହଜ ବିଜୟ ଦେଇଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ଲାଗି ଦୀପ୍ତି ମ୍ୟାଚ୍ର ଶ୍ରେଷ୍ଠ ଏବଂ ୧୦ ୱିକେଟ୍ ନେଇଥିବା ରେଣୁକା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
୬ ୱିକେଟ୍ ନେବାରେ ଦୀପ୍ତିଙ୍କ ରେକର୍ଡ
ମ୍ୟାଚ୍ ବିଜୟୀ ପ୍ରଦର୍ଶନ ଦେଇଥିବା ଅଫ୍ସ୍ପିନର୍ ଦୀପ୍ତି ଶର୍ମା ପ୍ରଥମ ଭାରତୀୟ ବୋଲର ଭାବେ ମହିଳା ଦିନିକିଆ ଅନ୍ତର୍ଜାତୀୟରେ ୨ ଥର ୬ ୱିକେଟ୍ ସଫଳତା ପାଇବାର ଗୌରବ ପାଇଛନ୍ତି। ଏଥିସହ ସେ ଦକ୍ଷିଣ ଆଫ୍ରିକାର ସୁନ୍ ଲୁସ୍ଙ୍କ ପରେ ବିଶ୍ବର ଦ୍ବିତୀୟ ମହିଳା ବୋଲର ହୋଇଛନ୍ତି। ଏହି ମ୍ୟାଚ୍ରେ ସେ ୬/୩୧ ସଫଳତା ପାଇଁ ରେକର୍ଡ ବହିରେ ନିଜ ନାଁ ଯୋଡ଼ିଥିଲେ। ସେ ୨୦୧୬ରେ ଶ୍ରୀଲଙ୍କା ବିପକ୍ଷ ରାଞ୍ଚି ଦିନିକିଆରେ ୬/୨୦ ବୋଲିଂ ସଫଳତା ପାଇଥିଲେ। ପୂର୍ବରୁ ଭାରତର ଦୁଇ ଜଣ ମମତା ମାବେନ (୬/୧୦, ଶ୍ରୀଲଙ୍କା, ୨୦୦୪) ଏବଂ ଝୁଲଣ ଗୋସ୍ବାମୀ (୬/୩୧, ନ୍ୟୁଜିଲାଣ୍ଡ, ୨୦୧୧) ୬ ୱିକେଟ୍ ସଫଳତା ପାଇଥିଲେ।