ଶ୍ରୀଲଙ୍କାକୁ ୯ ଓ୍ଵିକେଟ୍‌ରେ ହରାଇଲା ଭାରତ:ଆଇସିସି ମହିଳା ଚାମ୍ପିଅନ୍‌ସିପ୍‌

ଗଲ୍‌: ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି ଆଇସିସି ମହିଳା କ୍ରିକେଟ୍‌ ଚାମ୍ପିଅନ୍‌ସିପ୍‌। ଗଲ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଘରୋଇ ଦଳକୁ ୯ ଓ୍ଵିକେଟ୍‌ରେ ପରାସ୍ତ କରି ଭାରତ ସଫଳ ଅଭିଯାନ ଆରମ୍ଭ କରିଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଏହି ନିଷ୍ପତ୍ତିକୁ ଭୁଲ୍‌ ପ୍ରମାଣିତ କରିଦେଇଥିଲେ। ବିଶେଷକରି ଦଳକୁ ଫେରିଥିବା ଦ୍ରୁତ ବୋଲର ମାନସୀ ଜୋଷୀ (୬.୧-୦-୧୬-୩), ଅଭିଜ୍ଞ ଝୁଲଣ ଗୋସ୍ୱାମୀ (୮-୧-୧୩-୨) ଓ ସ୍ପିନର ପୁନମ୍‌ ଯାଦବ (୪-୦-୧୩-୨) ଘାତକ ବୋଲିଂ କରି ସିଂହଳୀ ପାଳିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ। ଯାହା ଫଳରେ ଶ୍ରୀଲଙ୍କା ଦଳ ୩୫.୧ ଓଭରରେ ମାତ୍ର ୯୮ ରନ୍‌ କରି ସମସ୍ତ ଓ୍ଵିକେଟ ହରାଇଥିଲା। କେବଳ ଅଧିନାୟିକା ଚାମାରି ଜୟଙ୍ଗନୀ (୩୩), ଶ୍ରୀପାଳି ଓ୍ଵିରାକୋଡ଼ି (୨୬) ଓ ସୁରଙ୍ଗିକା (୧୨) ଦୁଇ ଅଙ୍କ ଛୁଇଁଥିଲା ବେଳେ ଅନ୍ୟ କେହି ୫ ରନ୍‌ ଟପି ପାରିନଥିଲେ। ଜବାବରେ ପୁନମ୍‌ ରାଉତ (୨୪)ଙ୍କ ଓ୍ଵିକେଟ୍‌ ହରାଇ ଭାରତ ୧୮୧ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ସ୍ମୃତି ମନ୍ଧାନା ଅପରାଜିତ ୭୩ (୭୬ ବଲ୍‌, ୧୧ ଚୌକା ଓ ୨ ଛକା) ରନ୍‌ କରି ଭାରତକୁ ଅତି ସହଜ ବିଜୟ ଭେଟି ଦେଇଥିଲେ। ଅବଶ୍ୟ ସ୍ମୃତି ଓ ପୁନମ୍‌ ପ୍ରଥମ ଓ୍ଵିକେଟ୍‌ରେ ୯୬ ରନ୍‌ ଯୋଡ଼ି ବିଜୟକୁ ସହଜ କରିଦେଇଥିଲେ। ଏହି ବିଜୟ ସହ ଭାରତ ୨ ପଏଣ୍ଟ୍‌ ପାଇବା ସାଙ୍ଗକୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଯାଇଛି।

ସମ୍ବନ୍ଧିତ ଖବର