କଳିଙ୍ଗରେ ପ୍ରଥମ ଥର ଖେଳିବ ଭାରତୀୟ ମହିଳା ଦଳ, ‌ସୋମବାରଠୁଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଶିବିର ଆରମ୍ଭ

ଭୁବନେଶ୍ବର: ନଭେମ୍ବର ୧ ଏବଂ ୨ ତାରିଖରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଲାଗି ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷଣ ଶିବିର କଳିଙ୍ଗ ଷ୍ଟାଡିୟମରେ ସୋମବାରଠାରୁ ଆରମ୍ଭ ହେବ। ଏହି ୧୫ ଦିନିଆ ଶିବିର ଲାଗି ଶନିବାର ହକି ଇଣ୍ଡିଆ ୨୨ ଜଣିଆ ଦଳ ଘୋଷଣା କରିଛି। ମହିଳା ଦଳ ସହ ପୁରୁଷ ଦଳର ପ୍ରଶିକ୍ଷଣ ଶିବିର ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ। ତେବେ ପୁରୁଷଙ୍କ ପ୍ରଶିକ୍ଷଣ ମହିଳା ଶିବିର ଆରମ୍ଭ ହେବାର ଦିନେ ଦୁଇ ଦିନ ପରେ ହେବ ବୋଲି ଜଣାପଡ଼ିଛି। ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଆମେରିକାକୁ ଭେଟିବ। ବିଶ୍ବ ମାନ୍ୟତାରେ ଭାରତୀୟ ମହିଳା ଦଳ ନବମ ସ୍ଥାନରେ ଥିଲା ବେଳେ ଆମେରିକା ତ୍ରୟୋଦଶ ସ୍ଥାନରେ ରହିଛି। ସେଥିପାଇଁ ଏହି ମୁକାବିଲା ‌ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଦୁଇ ଦଳ ମଧ୍ୟରେ ଦୁଇ ଦିନରେ ଖେଳା ଯିବାକୁ ଥିବା ଦୁଇଟି ମ୍ୟାଚ୍‌ରୁ ସର୍ବାଧିକ ପଏଣ୍ଟ୍‌ ଅର୍ଜନ କରିଥିବା ଦଳ ହିଁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ। ଭାରତୀୟ ମହିଳା ହକି ଦଳ ୩୬ ବର୍ଷ ପରେ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଏହା ପୂର୍ବରୁ ଭାରତ ୧୯୮୦ ମସ୍କୋ ଅଲିମ୍ପିକ୍ସ ଖେଳିଥିଲା। ଭୁବନେଶ୍ବରରେ ଆମେରିକାକୁ ହରାଇ ପାରିଲେ ଭାରତୀୟ ମହିଳା ହକି ଦଳ ଲଗାତାର ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବାର ସୌଭାଗ୍ୟ ଲାଭ କରିବ। ସେପଟେ ପୁରୁଷ ଦଳ ଅପେକ୍ଷାକୃତ ଦୁର୍ବଳ ଦଳ ରୁଷିଆକୁ ‌ଭେଟିବ। ଭାରତୀୟ ଦଳ ବିଶ୍ବ ମାନ୍ୟତାର ପଞ୍ଚମ ସ୍ଥାନରେ ଥିଲା ବେଳେ ରୁଷିଆ ଶ୍ରେଷ୍ଠ ୨୦ ଭିତରେ ବି ନାହିଁ। ଏଣୁ ପୁରୁଷ ଦଳ ପାଇଁ ଅଲିମ୍ପିକ୍ସ ପଥ ସହଜ ହେବ ବୋଲି ଆଶା କରାଯାଉଛି।

କଳିଙ୍ଗରେ ପ୍ରଥମ ଥର ଖେଳିବ ଭାରତୀୟ ମହିଳା ଦଳ
କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସ ନିର୍ମାଣ ହେବା ପରଠାରୁ ହକି ଇଣ୍ଡିଆ ଲିଗ୍, ଚାମ୍ପିଅନ୍ସ ଟ୍ରଫି, ବିଶ୍ବକପ୍, ଏଫ୍‌ଆଇଏଚ୍ ହକି ସିରିଜ୍ ଫାଇନାଲ୍ସ, ଏଫ୍‌ଆଇଏଚ୍ ବିଶ୍ବ ହକି ଲିଗ୍ ଭଳି ପ୍ରତିଯୋଗିତାର ସଫଳ ଆୟୋଜନ କରିସାରିଛି। ଏସବୁ ପ୍ରତିଯୋଗିତା କିନ୍ତୁ ପୁରୁଷ ବର୍ଗରେ ଖେଳା ଯାଇଛି। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଅନ୍ତର୍ଗତ ଭାରତୀୟ ମହିଳା ହକି ଦଳ ଏଠାରେ ପ୍ରଥମ ଥର ପାଇଁ ଖେଳିବ। ଏହା ମଧ୍ୟ ଦୁଇ ବର୍ଷ ପରେ ଭାରତୀୟ ମହିଳା ହକି ଦଳର ପ୍ରଥମ ଘରୋଇ ପ୍ରତିଯୋଗିତା ହେବ। ଇଂଲଣ୍ଡ ଗସ୍ତର ଗୋଟିଏ ସପ୍ତାହ ପରେ ସେଥିପାଇଁ କଳିଙ୍ଗ ଷ୍ଟାଡିୟମରେ ମହିଳା ହକି ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି। ଏହି ଅବସରରେ ଭାରତୀୟ ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ୍ ନୀଳ ଟର୍ଫରେ ଖେଳିବାର ଅଭିଜ୍ଞତା‌ କରିବେ। ଦେଶର ହକି ପେଣ୍ଠସ୍ଥଳୀ ପାଲଟି ଥିବା କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ‌ମ୍ୟାଚ୍ ଖେଳିବା ନେଇ ଭାରତୀୟ ଖେଳାଳିମାନେ ବେଶ୍ ଉତ୍ସାହିତ ଅଛନ୍ତି। ବିଶେଷ କରି ଏଠାକାର ଦର୍ଶକ ଏବଂ ଖେଳ ପରିବେଶ ନେଇ ସେମାନେ ଉଲ୍ଲସିତ ଥିବା ମୁଖ୍ୟ ପ୍ରଶିକ୍ଷକ ଜୋଏଡ୍ ମାରିନ୍ କରିଛନ୍ତି। ପ୍ରଶିକ୍ଷଣ ଶିବିର ଅବସରରେ ଭାରତୀୟ ମହିଳା ହକି ଦଳ ମଧ୍ୟ କେତେକ ଅଭ୍ୟାସ ମ୍ୟାଚ୍ ଖେଳିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ମ୍ୟାଚ୍ ଦେଖିବାକୁ ସାଧାରଣ ଜନତାଙ୍କୁ ଅନୁମତି ଦେବାକୁ ସେ ଓଡ଼ିଶା ସରକାରଙ୍କୁ ଆହ୍ବାନ କରିଛନ୍ତି। ଏହା ଦ୍ବାରା ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ିବ ବୋଲି ମାରିନ୍ ମତ ରଖିଛନ୍ତି।

ସମ୍ଭାବ୍ୟ ଦଳରେ ୩ ଓଡ଼ିଆ‌
ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଶନିବାର ଭାରତ ୨୨ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ପ୍ରଶିକ୍ଷଣ ଶିବିରର ପ୍ରଦର୍ଶନ ଆଧାରରେ ଏହି ଶିବିରରୁ ୧୬ ଜଣିଆ ଚୂଡ଼ାନ୍ତ ଦଳ ବଛାଯିବ। ସମ୍ଭାବ୍ୟ ଦଳରେ ଝାଡ଼ଖଣ୍ଡର ସାଲିମା ଟେଟେ ଓ ସର୍ମିଳା ଦେବୀଙ୍କୁ ଡାକରା ମିଳିଛି। ହେଲେ ପୂର୍ବତନ ଅଧିନାୟିକା ତଥା ଓଡ଼ିଆ ତାରକା ସୁନୀତା ଲାକ୍ରା ଦଳରେ ନାହାନ୍ତି। ସୁନୀତା ସଂପୂର୍ଣ୍ଣ ସୁସ୍ଥ ନଥିବାରୁ ତାଙ୍କୁ ସମ୍ଭାବ୍ୟ ଦଳରେ ରଖା ଯାଇ ନଥିବା ଜଣାପଡ଼ିଛି। ଏହି ଦଳରେ ଓଡ଼ିଶାର ତିନି ଜଣ ଖେଳାଳି ଲିଲିମା ମିଞ୍ଜ, ନମିତା ଟପ୍ପୋ ଓ ଦୀପଗ୍ରେସ୍ ଏକ୍କା କିନ୍ତୁ ସ୍ଥାନ ବଜାୟ ରଖିଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଭାରତୀୟ ମହିଳା ହକି ଦଳ ଇଂଲଣ୍ଡ ଗସ୍ତ କରି ପାଞ୍ଚ ଟିକିଆ ଟେଷ୍ଟ ଶୃଙ୍ଖଳା ଖେଳିଥିଲା। ସେଥିମଧ୍ୟରୁ ଗୋଟିଏ ମ୍ୟାଚ୍ ହାରିବା ସହ ଗୋଟିକରେ ବିଜୟୀ ହୋଇଥିଲା। ଅନ୍ୟ ପକ୍ଷରେ ତିନିଟି ମୁକାବିଲା ଅମୀମାଂସିତ ରଖିଥିଲା। ସମ୍ଭାବ୍ୟ ଭାରତୀୟ ଦଳ: ସବିତା, ରଜନୀ ଏତିମାର୍ପୁ, ଦୀପ୍ ଗ୍ରେସ୍ ଏକ୍କା, ରୀନା ଖୋଖର, ସାଲିମା ଟେଟେ, ଗୁରଜିତ କୌର, ଉଦିତା, ନିକି ପ୍ରଧାନ, ନିଶା, ସୁଶୀଳା ଚାନୁ, ମୋନିକା, ଲିଲିମା ମିଞ୍ଜ, ନେହା ଗୋୟଲ, ନମିତା ଟପ୍ପୋ, ସୋନିକା, ରାଣୀ, ନଭନୀତ କୌର, ଲାଲରେମସିଆମି, ନଭଜ୍ୟୋତ କୌର, ସର୍ମିଳା ଦେବୀ, ଜ୍ୟୋତି ଓ ବନ୍ଦନା କଟାରିଆ।

ସମ୍ବନ୍ଧିତ ଖବର