ବେଲାରୁଷକୁ ହରାଇଲା ଭାରତୀୟ ବାଳିକା ହକି ଦଳ

ବାରାନୋଭିଚି (ବେଲାରୁଷ): ବେଲାରୁଷ ଗସ୍ତରେ ଥିବା ଭାରତୀୟ କନିଷ୍ଠ ମହିଳା ହକି ଦଳ ପ୍ରଥମ ବିଜୟ ପାଇଛି। ନିକଟରେ କାଣ୍ଟର ଫିଜ୍‌ଗେରାଲ୍‌ଡ ୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାରେ ବିଜେତା ହୋଇ ଆତ୍ମବିଶ୍ବାସ ଦୃଢ଼ କରିଥିବା ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ବେଲାରୁଷ ବରିଷ୍ଠ ମହିଳା ଦଳ ନିକଟରୁ ୧-୪ ଗୋଲ୍‌ରେ ହାରିଯାଇଥିଲା। ହେଲେ ଏହାର ଦିନକ ପରେ ଖେଳିଥିବା ଦ୍ବିତୀୟ ମ୍ୟାଚ୍‌କୁ ଜିତିନେଇଛି। ସୋମବାର ଖେଳିଥିବା ଏହି ମ୍ୟାଚ୍‌‌ରେ ଭାରତୀୟ ବାଳିକା ୪-୧ ଗୋଲ୍‌ରେ ବେଲାରୁଷ କନିଷ୍ଠ ମହିଳା ଦଳକୁ ପରାସ୍ତ କରିଦେଇଛି। ଭାରତ ପକ୍ଷରୁ ଡ୍ରାଗ୍‌ ଫ୍ଲିକର ରିତ୍‌ ହ୍ୟାଟ୍ରିକ୍‌ (ଲଗାତାର ୩ ଗୋଲ୍‌) ଅର୍ଜନ କରିଥିଲା ବେଳେ ଅବଶିଷ୍ଟ ଗୋଲ୍‌ଟି ଶର୍ମିଲା ଦେବୀ ଦେଇଥିଲେ। ପ୍ରଥମାର୍ଧ ସୁଦ୍ଧା ୩-୧ରେ ଆଗୁଆ ରହିବା ପରେ ଦ୍ବିତୀୟାର୍ଧରେ ଭାରତ ଆଉ ଗୋଟିଏ ଗୋଲ୍‌ କରିଥିଲା। ଭାରତ ତା’ର ପରର୍ବତୀ ମ୍ୟାଚ୍‌ ବେଲାରୁଷ ବରିଷ୍ଠ ଦଳ ସହ ଆସନ୍ତାକାଲି ଖେଳିବ।

ସମ୍ବନ୍ଧିତ ଖବର