ଭାରତୀୟ ମହିଳା ଶେଷରେ ହାରିଲେ

ପଶ୍ଚଷ୍ଟମ୍‌: ଭାରତୀୟ ମହିଳା କ୍ରିକେଟ୍‌ ଦଳ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆକୁ ହାରିଥିଲେ ମଧ୍ୟ ୨-୧ରେ ଶୃଙ୍ଖଳା ଜିତିବାରେ ସକ୍ଷମ ହୋଇଛନ୍ତି। ଶନିବାର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ମହିଳା ୭ ଓ୍ଵିକେଟ୍‌ରେ ଭାରତୀୟଙ୍କୁ ହରାଇ ଦେଇଥିଲେ। ଦୀପ୍ତି ଶର୍ମା (୭୯, ୧୧୨ ବଲ୍‌, ୮ ଚୌକା) ଏବଂ ବେଦା କୃଷ୍ଣମୂର୍ତି (୫୬, ୬୪ ବଲ୍‌, ୮ ଚୌକା)ଙ୍କ ଅର୍ଧଶତକ ବଳରେ ଭାରତ ୫୦ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୪୦ ରନ୍‌ କରିଥିଲା। ପ୍ରତିପକ୍ଷର ସିବନମ୍‌ ଇସ୍‌ମାଇଲ ୯ ଓଭରରେ ୩୦ ରନ୍‌ ଦେଇ ସର୍ବାଧିକ ୪ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା କିନ୍ତୁ ୪୯.୨ ଓଭରରେ ୩ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଓ୍ଵଲଭାର୍ଟ (୫୯, ୮୮ ବଲ୍‌, ୪ ଚୌକା) ଦୃଢ଼ ମୂଳଦୁଆ ପକାଇବା ପରେ ଏମ୍‌ଡି ପ୍ରେଜ୍‌ (୯୦*, ୧୧୧ ବଲ୍‌, ୭ ଚୌକା) ଏବଂ ଡି ଭାନ୍‌ ନିକେର୍କ (୪୧*, ୪୦ ବଳ୍‌, ୫ ଚୌକା) ବିଜୟ ମୁଣ୍ଡି ମାରିଥିଲେ। ଏହି ଶୃଙ୍ଖଳା ବିଜୟ ସହିତ ଆଇସିସି ମହିଳା ଚାମ୍ପିଅନସିପ୍‌ରେ ଭାରତ େଓ୍ଵଷ୍ଟଇଣ୍ଡିଜ୍‌ ତଳକୁ ଦ୍ୱିତୀୟରେ ରହିଛି।

ସମ୍ବନ୍ଧିତ ଖବର