ମହିଳା କ୍ରିକେଟ ଟିମ୍‌ର କୋଚ ଦେଲେ ଇସ୍ତଫା, ଷ୍ଟାର ଖେଳାଳି କରିଥିଲେ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍‌ର କୋଚ ତୁଷାର ଅରୋଠ ନିଜର କୋଚ ପଦରୁ ବୁଧବାର ଇସ୍ତଫା ଦେଇଛନ୍ତି। କୁହାଯାଉଛି ଯେ, ଟିମ୍‌ର କିଛି ଷ୍ଟାର ଖେଳାଳିଙ୍କ ସହିତ ମତଭେଦ ହେବାରୁ ୫୧ ବର୍ଷିଅ କୋଚ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଖେଳାଳିମାନେ କୋଚଙ୍କ ଟ୍ରେନିଂ ଉପରେ ଅସନ୍ତୁଷ୍ଟ ଥିଲେ। ପ୍ରଶାସକ ସମିତି(ସିଓଏ)ର କାର୍ଯ୍ୟକାଳରେ ଏଭଳି ଘଟଣା ୨ୟ ଥର ଦେଖିବାକୁ ମିଳିଛି ଯେ, କୌଣସି ଜାତୀୟ ସ୍ତରର କୋଚ ଖେଳାଳିଙ୍କ ବିରୋଧ ପରେ ନିଜର ପଦ ତ୍ୟାଗ କରିଛନ୍ତି। ଗତ ବର୍ଷ ଭାରତୀୟ ପୁରୁଷ ଟିମ୍‌ର ଅଧିନାୟକଙ୍କ ସହିତ ମତଭେଦ ହେବାରୁ କୋଚ ଅନିଲ କୁମ୍ବଲେଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

ବିସିସିଆଇର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, କିଛି ବରିଷ୍ଠ ଖେଳାଳି ଚାହୁଁଥିଲେ ଯେ କୋଚଙ୍କୁ ଯଥାଶୀଘ୍ର ବାହାର କରାଯାଉ। ଏହି କାରଣରୁ ଆରୋଠଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ବରିଷ୍ଠ ଖେଳାଳିଙ୍କ ସହିତ ‘ସିଓଏ’ର ବୈଠକ ପରେ କୋଚଙ୍କ ଇସ୍ତଫା ସୁନିଶ୍ଚିତ ହୋଇ ଯାଇଥିଲା।

ଅଧିକାରୀ ଜଣକ କହିଛନ୍ତି, ବିସିସିଆଇର କାର୍ଯ୍ୟକାରୀ ସଚିବ ଅମିତାଭ ଚୌଧୁରୀ (କ୍ରିକେଟ ପରିଚାଳନା) ସବା କରିମ ଓ ସିଇଓ ରାହୁଲ ଜୋହରୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଖେଳାଳି ଓ ଚୟନକାରୀ ସଦସ୍ୟ ଓ ପରିଚାଳକ ମଧ୍ୟ ଟ୍ରେନିଂ ନେଇ ଅଭିଯୋଗ ଆଣିଥିଲେ।

ରିପୋର୍ଟ ଅନୁସାରେ ଭାରତୀୟ ମହିଳା ଟିମ୍‌ର ଅଧିନାୟିକା ମିତାଲି ରାଜ ଓ ଟି-୨୦ ଅଧିନାୟିକା ହରମନପ୍ରୀତ କୌର ଜୁନ ୨୭ରେ ଦିଲ୍ଲୀରେ ସିଓଏଙ୍କୁ ଭେଟି ଆରୋଠଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ବିଶ୍ୱସ୍ତ ସୂତ୍ର ଅନୁସାରେ ମହିଳା ଟିମ୍‌ର କୋଚ ପାଇଁ ବିଜ୍ଞାପନ ଜାରି ହେବ ଓ ସାକ୍ଷାତକାର ମାଧ୍ୟମରେ ନୂଆ କୋଚ ନିଯୁକ୍ତି କରାଯିବ।

୧୧୪ ପ୍ରଥମ ଶ୍ରେଣୀ ମ୍ୟାଚ ଅଭିଜ୍ଞତା ରଖିଥିବା ବରୋଦାର ତୁଷାର ଆରୋଠ ଭାରତୀୟ ଟିମକୁ ଗତ ବର୍ଷ ଇଂଲଣ୍ଡରେ ୫୦ ଓଭର ମହିଳା ବିଶ୍ୱକପର ଫାଇନାଲକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ତୁଷାରଙ୍କ ଟ୍ରେନିଂ ଶୈଳୀ ଭିନ୍ନ ଥିଲା। ଖେଳାଳିଙ୍କୁ ସକାଳ ଓ ସନ୍ଧ୍ୟାରେ ଅଢ଼େଇ ଘଣ୍ଟା ଲେଖାଏଁ ଟ୍ରେନିଂ ନେବାକୁ ପଡୁଥିଲା।

ସମ୍ବନ୍ଧିତ ଖବର