ଆଇସିସି କ୍ୟାଲେଣ୍ଡରରେ ଚାମ୍ପିଅନ୍ସ କପ୍‌, ଟେଷ୍ଟ୍ ମ୍ୟାଚ୍‌ ଖେଳିବେ ଭାରତୀୟ ମହିଳା

ମୁମ୍ବାଇ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିସିସିଆଇ ଦେଶର ମହିଳା କ୍ରିକେଟର୍‌ ମାନଙ୍କ ପାଇଁ ଶୁଭ ଖବର ଶୁଣାଇଛନ୍ତି। ଚଳିତ ବର୍ଷ ଭାରତୀୟ ମହିଳା ଦଳ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ୍‌ ମ୍ୟାଚ୍‌ ଖେଳିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ଟ୍ବିଟ୍‌ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମହିଳା ଟେଷ୍ଟ୍ ମ୍ୟାଚ୍‌ରେ ମରୁଡ଼ି ପଡ଼ିବା ଭଳି ସ୍ଥିତି ଦେଖା ଦେଇଥିବା ବେଳେ ଶାହଙ୍କ ଘୋଷଣା ନୂଆ ଦିଶା ଦେଖାଇଛି। ଭାରତ ଶେଷ ଥର ପାଇଁ ୬ ବର୍ଷ ତଳେ ମହୀଶୂରଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍‌ ଖେଳି ଏକ ପାଳି ଓ ୩୪ ରନ୍‌ରେ ଜିତିଥିଲା।

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବି ୨୦୧୫ ମସିହା ପରଠାରୁ କେବଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ୬ଟି‌ ଟେଷ୍ଟ୍ ଖେଳାଯାଇଛି। ଅନ୍ତର୍ଜାତୀୟ ମହିଳା ଦିବସରେ ମଧ୍ୟ ଆଇସିସି ଏକ ବଡ଼ ଘୋଷଣା କରିଛି। ମହିଳା ବିଶ୍ବକପ୍‌ ଏବଂ ମହିଳା ଟି-୨୦ ବିଶ୍ବକପ୍‌ ପରେ ତୃତୀୟ ପ୍ରମୁଖ ପ୍ରତିଯୋଗିତା ଭାବେ ମହିଳା ଟି-୨୦ ଚାମ୍ପିଅନ୍ସ କପ୍‌ ଖେଳାଯିବ। ୨୦୨୩ ମସିହା ପୁରୁଷ ବିଶ୍ବକପ୍‌ ପରଠାରୁ ଆରମ୍ଭ ହେବାକୁ ଥିବା ନୂଆ କ୍ରୀଡ଼ାଚକ୍ରରେ ଏହି ମହିଳା ଚାମ୍ପିଅନ୍ସ କପ୍‌ ସାମିଲ ହେବ। ଦିନିକିଆ ମହିଳା ବିଶ୍ବକପ୍‌ରେ ୧୦ ଦେଶ (୨୦୨୫ ପର୍ଯ୍ୟନ୍ତ ୮), ଟି-୨୦ ବିଶ୍ବକପ୍‌ରେ ୧୨ ଦେଶ (୨୦୨୪ ପର୍ଯ୍ୟନ୍ତ ୧୦) ଖେଳିବେ। ୨୦୨୭ ଓ ୨୦୩୧ରେ ମହିଳା ଟି-୨୦ ଚାମ୍ପିଅନ୍ସ କପ୍‌ରେ ‌ଶ୍ରେଷ୍ଠ ୬ ଦଳ ଭାଗନେବେ।

ସମ୍ବନ୍ଧିତ ଖବର