ମୁମ୍ବାଇ: ୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ବକପ୍ ଇତିହାସରେ ଯାହା ହୋଇ ନଥିଲା ରବିବାର ରାତିରେ ତାହା ସମ୍ଭବ ହୋଇଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍ ଜିତି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଛି। ଏଥି ସହ ୧୯୮୩ ମସିହାରେ କପିଳ ଦେବଙ୍କ ପୁରୁଷ କ୍ରିକେଟ୍ ଦଳର ଐତିହାସିକ ବିଶ୍ବକପ୍ ଭଳି ଭାରତୀୟ ମହିଳା ଦଳ ବିଶ୍ବ ମୁକୁଟ ଜିତି ନୂଆ ଫର୍ଦ ଯୋଡ଼ିଛି। ମହିଳା କ୍ରିକେଟ୍ରେ ବି ଭାରତ ପାଇଁ ଏକ ବୈପ୍ଲବିକ ପରିବର୍ତ୍ତନ ଯୁଗର ଶୁଭାରମ୍ଭ ହୋଇଛି। ୨୦୦୫ ଫାଇନାଲ୍ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୭ ଫାଇନାଲ୍ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ବିଶ୍ବ ବିଜେତା ହୋଇଛି। ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ରବିବାର ରାତିରେ ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି। ପୁରୁଷ ଦଳର ୪ ବିଶ୍ବ ମୁକୁଟକୁ ମିଶାଇଲେ ଏହା ଭାରତର ପଞ୍ଚମ ଆଇସିସି ବିଶ୍ବକପ୍ ବିଜୟ।
୫୨ ବର୍ଷର ପ୍ରତୀକ୍ଷା ୫୨ ରନ୍ରେ ମିଳିଲା
ପୁରୁଷ ଦଳ ୨ ଥର ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ଟ୍ରଫି ଜିତିଥିଲେ। ଦକ୍ଷିଣ ଆଫ୍ରିକା ଅଧିନାୟିକା ଲୌରା ଓଲ୍ଭର୍ଟ (୫୭୧ ରନ୍) ଏବଂ ଭାରତର ଦୀପ୍ତି ଶର୍ମା (୨୨ ୱିକେଟ୍) ଏହି ବିଶ୍ବକପ୍ର ଅଗ୍ରଣୀ ବ୍ୟାଟର୍ ଓ ବୋଲର ସମ୍ମାନ ବି ଲାଭ କରିଛନ୍ତି। ସ୍ମୃତି ମନ୍ଧାନା (୫୮ ବଲ୍ରୁ ୪୫ ରନ୍) ଓ ଶେଫାଳି ବର୍ମା (୭୮ ବଲ୍ରୁ ୮୭ ରନ୍)ଙ୍କ ଶତକୀୟ ଭାଗୀଦାର (୧୦୪ ରନ୍) ପରେ ଭାରତ ୨୯୮ ରନ୍ କରିଥିଲା। ଦୀପ୍ତି ଶର୍ମାଙ୍କ ବଲ୍ ପିଛା ରନ୍ରୁ ସଂଗୃହୀତ ଅର୍ଦ୍ଧଶତକ (୫୮ ବଲ୍ରୁ ୫୮ ରନ୍) ଓ ରିଚା ଘୋଷଙ୍କ ମିନି ବିସ୍ଫୋରଣ (୨୪ ବଲ୍ରୁ ୩୪ ରନ୍) ଭାରତକୁ ଲଢ଼ୁଆ ସ୍କୋର୍ ପ୍ରଦାନ କରିଥିଲା। ସମ୍ଭାବ୍ୟ ୩୦୦ ରନ୍ ଅତିକ୍ରମ କରିପାରି ନଥିଲେ ମଧ୍ୟ ଫାଇନାଲ୍ ମ୍ୟାଚ୍ ଚାପରେ ଦକ୍ଷିଣ ଆଫ୍ରିକା ଚାପି ହୋଇଯାଇଥିଲା। ଅଧିନାୟକ ୱଲ୍ଭର୍ଟ (୯୮ ବଲ୍ରୁ ୧୦୧ ରନ୍) ୪୨ତମ ଓଭର ପର୍ଯ୍ୟନ୍ତ ଲଢ଼ି କ୍ରମାଗତ ଶତକ ମାରିଥିଲେ, ହେଲେ ଏହା ଯଥେଷ୍ଟ ହୋଇ ନଥିଲା। ଆନେରି ଡର୍କସେନ୍ (୩୫ ରନ୍)ଙ୍କ ଛଡ଼ା ଅନ୍ୟ କୌଣସି ଦକ୍ଷିଣ ଆଫ୍ରିକା ବ୍ୟାଟର୍ ଭାରତୀୟ ବୋଲିଂ ଆଗରେ ତିଷ୍ଠି ନଥିଲେ। ଦକ୍ଷିଣ ଆଫ୍ରିକା ପାଳି ୪୫.୩ ଓଭରରେ ୨୪୬ ରନ୍ରେ ଶେଷ ହୋଇଯାଇଥିଲା। ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ପରେ ଭେଟେରାନ୍ ଅଲ୍ରାଉଣ୍ଡର୍ ଦୀପ୍ତିଙ୍କ ୫ ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା।
ଦୀପ୍ତିଙ୍କ ଭଳି ଶେଫାଳି ବର୍ମାଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନ (୮୭ ଓ ୨/୩୬) ବି ଭାରତର ଅର୍ଦ୍ଧଶତାବ୍ଦୀର ସ୍ବପ୍ନକୁ ସାକାର କରାଇଛି। ଲିଗ୍ ପର୍ଯ୍ୟାୟରେ ଭାରତକୁ ହରାଇଥିବା ଡି’କ୍ଲର୍କଙ୍କ କ୍ୟାଚ୍ ନେଇ ଅଧିନାୟିକା ହର୍ମନପ୍ରୀତ୍ କୌର୍ ମଧ୍ୟ ଏହି ସ୍ମରଣୀୟ ଆଇସିସି ଟ୍ରଫି ବିଜୟକୁ ଅଧିକ ମଧୁରମୟ କରି ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଫାଇନାଲ୍ ଖେଳିଥିବା ଦକ୍ଷିଣ ଆଫ୍ରିକାର ସ୍ବପ୍ନ ଅଧୁରା ରହିଯାଇଛି। ଶେଫାଳି ଫାଇନାଲ୍ର ଏବଂ ଦୀପ୍ତି (୨୧୫ ରନ୍, ୨୨ ୱିକେଟ୍) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ବିଜୟ ସହ ୧୪୫ କୋଟି ଭାରତୀୟ ଆନନ୍ଦଉଲ୍ଲାସରେ ନାଚି ଉଠିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ବହୁ ପୂର୍ବତନ ଖେଳାଳି ଓ ଖେଳ ପ୍ରଶାସକ ବିଶ୍ବକପ୍ ବିଜୟ ପାଇଁ ଭାରତୀୟ ମହିଳା ଦଳକୁ ବଧାଇ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/03/dgdagdgazvcv-2025-11-03-03-08-18.jpg)