ଭୁବନେଶ୍ବର: ପ୍ରଥମ ଥର ଆୟୋଜିତ ଖୋ ଖୋ ବିଶ୍ବକପ୍‌ରେ ମହିଳା ପ୍ରତିଯୋଗିତା ମଙ୍ଗଳବାର ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରି ଅନ୍ୟ ଦଳକୁ ସତର୍କ କରାଇଛି। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଇନ୍‌ଡୋର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୫୭ ପଏଣ୍ଟ୍‌ ବ୍ୟବଧାନ‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଭାରତ ୧୭୫ ପଏଣ୍ଟ ପାଇଥିଲା ବେଳେ ଦକ୍ଷିଣ କୋରିଆ ମାତ୍ର ୧୮ ପଏଣ୍ଟ୍‌ ହାସଲ କରିବାକୁ ସକ୍ଷମ ହୋଇଥିଲା। ଭାରତର ନିର୍ମଳା ଭଟି, ଇସ୍ଥର କିମ୍‌ ଓ ନସରିନ୍‌ ସେଖ ଯଥାକ୍ରମେ ଶ୍ରେଷ୍ଠ ଆଟାକର୍‌, ଶ୍ରେଷ୍ଠ ଡିଫେଣ୍ଡର ଓ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। 

Advertisment

ପୁରୁଷରେ ଭାରତର ବିଜୟ ଧାରା ଜାରି ରହିଛି। ନେପାଳକୁ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ମଙ୍ଗଳବାର ୬୪-୩୪ରେ ବ୍ରାଜିଲକୁ ହରାଇଛି। ଓଡ଼ିଆ ପୁଅ ପବାରି ସବର ଶ୍ରେଷ୍ଠ ଆଟାକର ପୁରସ୍କାର ପାଇଥିଲା ବେଳେ ମାଥ୍ୟୁ କୋଷ୍ଟା ଓ ପ୍ରତୀକ ୱାଇକର ଯଥାକ୍ରମେ ଶ୍ରେଷ୍ଠ ଡିଫେଣ୍ଡର ଓ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।