ଭାରତୀୟ ମହିଳା କ୍ରିକେଟ୍‌ ଦଳର ବ୍ରିସ୍‌‌େବନ୍‌ ଯାତ୍ରା: ଟେଷ୍ଟ୍‌ ଭେନ୍ୟୁ ସ୍ଥାନାନ୍ତର

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ସହ ଏକ ପୂର୍ଣ୍ଣାଙ୍ଗ (ସବୁ ଫର୍ମାଟ୍‌) ଶୃଙ୍ଖଳା ଖେଳିବା ପାଇଁ ଭାରତୀୟ ମହିଳା କ୍ରିକେଟ୍‌ ଦଳ ରବିବାର ବ୍ରିସ୍‌‌େବନ୍‌ ଯାତ୍ରା କରିଛି। ଏହି ଗସ୍ତରେ ଭାରତୀୟ ମହିଳା ଏକମାତ୍ର ଗୋଲାପି ବଲ୍‌ ଟେଷ୍ଟ୍‌ ସହିତ ୩ ଲେଖାଏଁ ଦିନିକିଆ ଓ ଟି-୨୦ ମ୍ୟାଚ୍‌ ଖେଳିବ। ତେବେ ଏହି ଗସ୍ତ ସୂଚୀରେ କିଛିଟା ପରିବର୍ତନ କରାଯାଇଛି। ପୂର୍ବ ଧାର୍ଯ୍ୟ ସୂଚୀକୁ ୨ ଦିନ ଘୁଞ୍ଚାଇ ଦିଆଯାଇଛି। ଫଳରେ ଭାରତୀୟ ଦଳ ସେପ୍ଟେମ୍ବର ୨୧, ୨୪ ଓ ୨୬ ତାରିଖରେ ଦିନିକିଆ ଶୃଙ୍ଖଳା ଖେଳିବା ପରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏକମାତ୍ର ଟେ‌ଷ୍ଟ୍‌ ଖେଳିବ। ଏହାପରେ ଅକ୍ଟୋବର ୭, ୯ ଓ ୧୦ ତାରିଖରେ ଟି-୨୦ ଶୃଙ୍ଖଳା ଖେଳି ୧୧ ତାରିଖ ଦିନ ସ୍ବଦେଶ ଫେରିବ। ମିତାଲି ରାଜ ଟେଷ୍ଟ୍‌ ଓ ଦିନିକିଆ ଦଳର ନେତୃତ୍ବ ନେଉଥିଲା ବେଳେ ଟି-୨୦ର ନେତୃତ୍ବ ନେବେ ହର୍‌ମନ୍‌ପ୍ରୀତ୍‌ କୌର। ରବିବାର ଯାତ୍ରା କରିଥିବା ଭାରତୀୟ ଦଳ ଦୁବାଇ ବାଟ ହୋଇ ବ୍ରିସ୍‌‌େବନ୍‌ ପହଞ୍ଚିବ। ପ୍ରକୃତରେ ଭାରତୀୟ ଦଳ ସିଡ୍‌ନିରେ ପହଞ୍ଚିବାର ସୂଚୀ ରହିଥିଲା। ହେଲେ କ୍ରିକେଟ୍‌ ଅଷ୍ଟ୍ରେଲିଆ ଦେଶରେ ସାଂପ୍ରତିକ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ମ୍ୟାଚ୍‌ କୁଇନ୍‌ସଲାଣ୍ଡ୍‌କୁ ସ୍ଥାନାନ୍ତର କରିଥିବାରୁ ଭାରତୀୟ ଦଳ ବ୍ରିସ୍‌‌େବନ୍‌ରେ ଓହ୍ଲାଇବ। ଭ୍ରମଣକାରୀ ଦଳ ସେଠାରେ ପହଞ୍ଚିବା ପରେ ୧୪ ଦିନିଆ କଠୋର ସଂଗରୋଧରେ ରହିବ। ଅଗଷ୍ଟ ୩୦ରୁ ‌ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ସଂ‌ଗରୋଧରେ ରହିବା ପରେ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଅଭ୍ୟାସ କରିବ। ୧୮ରେ ଅଭ୍ୟାସ ମ୍ୟାଚ୍‌ ଖେଳିବା ପରେ ଦିନିକିଆ ଶୃଙ୍ଖଳାକୁ ଯିବ। ମ୍ୟାକେରେ ଦିନିକିଆ ଶୃଙ୍ଖଳା ଖେଳିବା ପରେ ଭାରତୀୟ ଦଳ ଗୋଲ୍‌ଡ କୋଷ୍ଟ ଯାତ୍ରା କରିବ। ସେଠାର ମେଟ୍ରିକନ୍‌ ଷ୍ଟାଡିୟମ୍‌ରେ ଟେଷ୍ଟ୍‌ ଓ ଟି୨-୦ ଶୃଙ୍ଖଳା ଖେଳାଯିବ। ଏକମାତ୍ର ଟେଷ୍ଟ୍‌ ପର୍ଥରେ ଖେଳାଯିବାର ଥିଲା ବେଳେ ଏହା ଗୋଲ୍‌ କୋଷ୍ଟକୁ ସ୍ଥାନାନ୍ତର ହୋଇଛି।

ସମ୍ବନ୍ଧିତ ଖବର