ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ସେଠାରେ ଯୁଗଳ ଧମାକା କରିଛି। ଘରୋଇ ଦଳ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୨ରେ ଜିତିଥିବା ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୨-୧ରେ କରାୟତ୍ତ କରିଛି। ‌ଅଧିନାୟକ ହର୍ମନପ୍ରୀତ୍‌ କୌରଙ୍କ ଶତକ ଏବଂ କ୍ରାନ୍ତି ଗୌଡ଼ଙ୍କ ୬ ୱିକେଟ୍‌ ସଫଳତା ବଳରେ ଭାରତ ଶେଷ ଦିନିକିଆକୁ ୧୩ ରନ୍‌ରେ ଜିତି ନେଇଥିଲା। 

Advertisment

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫ ୱିକେଟ୍‌ ହରାଇ ୩୧୮ ରନ୍‌ କରିଥିଲା। ହର୍ମନପ୍ରୀତ ୧୦୨ ରନ୍‌ ପାଳି ଖେଳିଥିଲେ। ଏଥିସହ ସେ ପ୍ରଥମ ଭ୍ରମଣକାରୀ ମହିଳା ବ୍ୟାଟର୍‌ ଭାବେ ଇଂଲିସ୍‌ ମାଟିରେ ଶତକ ଅର୍ଜନ କରିବା‌ର ଗୌରବ ଅର୍ଜନ କରିଥିଲେ। ହର୍ମନପ୍ରୀତ ମଧ୍ୟ ଶତକୀୟ ପାଳି ସହ ତୃତୀୟ ଭାରତୀୟ ମହିଳା ଭାବେ ୪୦୦୦ ଦିନିକିଆ ରନ୍‌ ପୂରଣ କରିଥିଲେ। ତାଙ୍କ ପୂର୍ବରୁ ମିତାଲି ରାଜ ଓ ସ୍ମୃତି ମନ୍ଧାନା ଏହି କ୍ଲବ୍‌ରେ ସାମିଲ ହୋଇଥିଲେ। ହର୍ମନପ୍ରୀତଙ୍କ ବାଦ୍‌ ଶେ‌ଷ ଦିନିକିଆରେ ଜେମିମା ରଡ୍ରିଗ୍ସ ୫୦, ସ୍ମୃତି ମନ୍ଧାନା ୪୫, ହର୍ଲିନ ଦେଓଲ ୪୫ ଏବଂ ରିଚା ଘୋଷ ୩୮ ରନ୍‌ ଉପଯୋଗ ପାଳି ଖେଳିବାରୁ ଦଳ ୩୦୦ ରନ୍‌ ପାର୍‌ କରିଥିଲା। ଜବାବରେ ଇଂଲଣ୍ଡ ଗୋଟିଏ ବଲ୍‌ ପୂର୍ବରୁ ସମସ୍ତ ୱିକେଟ୍‌ ହରାଇ ୩୦୫ ରନ୍‌ରେ ଅଟକିଯାଇଥିଲା। ଅଧିନାୟିକା ନାଟ୍‌ ଶ୍ଚିଭର ବ୍ରଣ୍ଟ ୯୮, ଇମା ଲାମ୍ବ ୬୮, ଏଲିସ ଡେଭିସନ୍‌-ରିଚାର୍ଡ ୪୪ ରନ୍‌ କରିଥିଲେ। ହର୍ମନପ୍ରୀତ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।