ଭୁବନେଶ୍ବର: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ଲଗାତାର ଦୁଇ ପରାଜୟ ପରେ ରବିବାର ଲୟକୁ ଫେରିଛି। ଆଡିଲେଡ୍ରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ ଭ୍ରମଣକାରୀ ଦଳ ୧-୧ ଗୋଲ୍ରେ ଘରୋଇ ଦଳ ସହ ମ୍ୟାଚ୍ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଛି। ମ୍ୟାଚ୍ର ପ୍ରଥମ କ୍ବାର୍ଟର ଭାରତ ସକାରାତ୍ମକ ଆରମ୍ଭ କରିଥିଲା। ଏହି କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ଭ୍ରମଣକାରୀ ଦଳ ମାଡିସନ ବ୍ରୁକ୍ସ (୨୫ ମିନିଟ୍)ଙ୍କ ଗୋଲ୍ରେ ଆଗୁଆ ହୋଇଯାଇଥିଲା। ତେବେ ୪୨ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଉପଅଧିନାୟିକା ତଥା ଓଡ଼ିଆ ଝିଅ ଦୀପ ଗ୍ରେସ ଏକ୍କା ଗୋଲ୍ କରି ସ୍ଥିତି ସମାନ କରିଥିଲେ। ଚତୁର୍ଥ କ୍ବାର୍ଟରରେ ଅଷ୍ଟ୍ରେଲିଆ ଗୋଲ୍ ଦେବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଭାରତର ଦୃଢ଼ ରକ୍ଷଣଭାଗ ସବୁ ସୁଯୋଗକୁ ଭଣ୍ଡୁର କରିଦେଇଥିଲେ। ଭ୍ରମଣକାରୀ ଦଳ ମଧ୍ୟ କିଛି ସୁଯୋଗ ସୃଷ୍ଟି କରି ଗୋଲ୍ ଦେବାରେ ସଫଳ ହୋଇନଥିଲା। ଫଳରେ ମ୍ୟାଚ୍ ଡ୍ର’ ରହିଥିଲା। ଏଥିସହିତ ଅଷ୍ଟ୍ରେଲିଆ ବରିଷ୍ଠ ଦଳ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଭାରତ ୦-୨ରେ ଶେଷ କରିଛି। ଆସନ୍ତା ଗୁରୁବାର ଓ ଶନିବାର ଅଷ୍ଟ୍ରେଲିଆ-ଏ ବିପକ୍ଷରେ ୨ ମ୍ୟାଚ୍ ଖେଳି ଏହି ଗସ୍ତ ଶେଷ କରିବ ଭାରତ।
ସବିତା ୨୫୦, ନିକ୍କି ୧୫୦ ମ୍ୟାଚ୍ ଖେଳିଲେ
ଭାରତୀୟ ଦଳର ଅଧିନାୟିକା ସବିତା ଏବଂ ନିକ୍କି ପ୍ରଧାନ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳି ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଗୋଲ୍ରକ୍ଷକ ସବିତା ରବିବାର ୨୫୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲା ବେଳେ ଡିଫେଣ୍ଡର ନିକ୍କି ୧୫୦ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ସବିତା ୨୦୦୯ରେ ଡର୍ବାନରେ ଆୟୋଜିତ ସ୍ପାର କପ୍ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ନିକ୍କି ୨୦୧୬ରେ ଦକ୍ଷିଣ ଆଫ୍ରିକା ଗସ୍ତ ବେଳେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଉଭୟ ରିଓ ଓ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ସଦସ୍ୟା ରହିଥିଲେ। ଏହି ସଫଳତା ଲାଗି ଉଭୟଙ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଅଭିନନ୍ଦନ ଜଣାଇଛନ୍ତି।