ନିଷ୍ଠା ଓ ନିରନ୍ତର ପ୍ରୟାସ ବଳରେ ହିଁ ଭାରତୀୟ ଦଳରେ ଓଡ଼ିଶାର ପ୍ରତିନିଧିତ୍ବ ବଢ଼ିପାରିବ: ଦୀପଗ୍ରେସ୍

ପ୍ରୋ ଲିଗ୍ ମ୍ୟାଚ୍ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତୀୟ ମହିଳା ହକି ଦଳର ପ୍ରସ୍ତୁତି

ଭୁବନେଶ୍ବର : ‘‘ପ୍ରୋ ଲିଗ୍ ମ୍ୟାଚ୍ ଦେଖିଲା ବେଳେ ଏହି ସମ୍ମାନଜନକ ପ୍ରତିଯୋଗିତା ଦିନେ ନା ଦିନେ ଖେଳିବି ବୋଲି ମନରେ ଆଶା ଜାଗ୍ରତ ହୋଇଥିଲା। ଚଳିତବର୍ଷ ଏହି ଆଶା ପୂରଣ ହୋଇଛି। ସୁଯୋଗ ହାତ ପାଆନ୍ତାରେ ପହଞ୍ଚି ଯାଇଛି। ଏଣୁ ବ୍ୟକ୍ତିଗତ ଭାବେ ମୁଁ ବହୁତ ଖୁସି ଅଛି। ବିଗତ ଦିନରେ ଆମେ ଆମ ଦକ୍ଷତାରେ ଯାହା କିଛି ବି ଉନ୍ନତି କରିଛୁ, ତାହା କଳିଙ୍ଗ ଷ୍ଟାଡିୟମ୍‌ରେ ଦେଖାଇବାକୁ ଯୋଜନାବଦ୍ଧ ଭା‌ବେ ପ୍ରସ୍ତୁତ ହେଉଛୁ। ଟୋକିଓ ଅଲିମ୍ପିକ୍ସରେ ଆମେ ବହୁତ ଭଲ ଖେଳିଥିଲୁ। ଏବେ ଆମେ ସେହି ଫର୍ମକୁ ଜାରି ରଖିଛୁ। ଯେଉଁଠି ବି ଟିକିଏ ତ୍ରୁଟି କିମ୍ବା ଦୁର୍ବଳତା ଥିଲା ତାକୁ ଦୂର କରିବାକୁ ଚେଷ୍ଟା କରୁଛୁ। ଆଗକୁ ଆମେ ଆହୁରି ଉନ୍ନତି କରିବୁ ବୋଲି ଦୃଢ଼ ଆଶା ରହିଛି। ପେନାଲ୍ଟି କର୍ଣ୍ଣରରେ ଆମେ ଅଧିକ ଅଭ୍ୟାସ କରୁଛୁ। ରକ୍ଷଣଭାଗକୁ ଆହୁରି ସୁଦୃଢ଼ କରିବାରେ ଲାଗିଛୁ। ଘରୋଇ ପରିବେଶରେ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବାକୁ ବହୁତ ଇଚ୍ଛା ଥିଲା। ହେଲେ ସେମାନେ ଓରି ଯାଇଛନ୍ତି। ଯାହା ଆମ ହାତରେ ନାହିଁ। ଏଠାକୁ କିନ୍ତୁ ଯେଉଁ ଦଳ ଆସିବ ଆମେ ତାକୁ କଡ଼ା ଟକ୍କର ଦେବୁ।

ଭୁବନେଶ୍ବରରେ ପ୍ରୋ ଲିଗ୍ ଖେଳିବା ମୋ ପାଇଁ ସୌଭାଗ୍ୟର ବିଷୟ।’’ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ମହିଳା ହକି ଦଳ ଅଭ୍ୟାସ କରିବା ଅବସରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଓଡ଼ିଆ ତାରକା ଦୀପଗ୍ରେସ୍ ଏକ୍କା। ଭାରତୀୟ ମହିଳା ଦଳରେ ଓଡ଼ିଶାର ପ୍ରତିନିଧିତ୍ବ କମି କମି ଅସିବାର କାରଣ ଉପରୁ ପରଦା ଉଠାଇ ‘‘ଏଥିଲାଗି ଆମ ଖେଳାଳିମାନଙ୍କୁ ଆହୁରି ଯତ୍ନବାନ ଏବଂ ନିଷ୍ଠାପର ହେବାକୁ ପଡ଼ିବ’’ ବୋଲି କହିଛନ୍ତି ଦୀପଗ୍ରେସ୍। ଅନ୍ୟମାନଙ୍କୁ ଦେଖି ନିଜ ଦୋଷ ଦୁର୍ବଳତା ଦୂର କରିବା ସହ ନିରନ୍ତର ପରିଶ୍ରମ କରିବାକୁ ଓଡ଼ିଆ ଖେଳାଳିଙ୍କୁ ଆହ୍ବାନ କରିଛନ୍ତି ସେ। ତେବେ ଏଥିଲାଗି ଆମ ଖେଳାଳିମାନେ ହିଁ କ’ଣ ଦାୟୀ? ବୋଲି ପଚରାଯାଇଥିବା ପ୍ରଶ୍ନର କୌଣସି ଉତ୍ତର ଦେଇ ନଥିଲେ ସେ।

ଭାରତୀୟ ମହିଳା ଦଳର ନିୟମିତ ଅଧିନାୟିକା ରାଣୀ ପ୍ରୋ ଲିଗ୍‌ରେ ବିଶ୍ବର ବଛା ବଛା ଦଳ ବିପକ୍ଷରେ ଖେଳିବାର ସୁଯୋଗ ମିଳୁଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି। ଏସିଆ କପ୍ ବିଫଳତାକୁ ଭୁଲି ଦଳ ପ୍ରୋ ଲିଗ୍‌ରେ ଭଲ କରିବାକୁ ଚେଷ୍ଟା କରିବା ଉପରେ ଜୋର ଦେଇଥିଲେ ସେ। ରାଣୀ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇ ଆସୁଥିବା ଓଡ଼ିଆ ତାରକାଙ୍କୁ ପ୍ରଶଂସା କରିଥିଲେ। ପୂରା ଫିଟ୍ ନଥିଲେ ମଧ୍ୟ ସ୍ପେନ୍ ବିପକ୍ଷ ମ୍ୟାଚ୍ ଖେଳିବାକୁ ଆଶା ରଖିଥିବା କହିଛନ୍ତି ସେ। ଗୋଲ୍‌ରକ୍ଷକ ତଥା କାମଚଳା ଅଧିନାୟିକା ସବିତା ଆଧୁନିକ ହକିରେ କ୍ରମବର୍ଦ୍ଧନଶୀଳ ଚାପ ଉପରେ ନିଜ ବହୁମୂଲ୍ୟ ମତ ରଖିଥିଲେ। ‘‘ଚାପକୁ ପରିଚାଳନା କରିବା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଖେଳିଲା ବେଳେ ଆମକୁ ସବୁକିଛି ଭୁଲିବାକୁ ପଡ଼ିଥାଏ। ଏବର୍ଷ ଆମେ ପ୍ରଥମ ଥର ପ୍ରୋ ଲିଗ୍ ଖେଳୁଛୁ। ଆଗାମୀ ସମୟରେ ବିଶ୍ବକପ୍‌ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଅଛି। ଏଣୁ ଆମେ ସେହି ଅନୁସାରେ ପ୍ରସ୍ତୁତି କରୁଛୁ’’ ବୋଲି କହିଥିଲେ ସେ। ନେତୃତ୍ବଭାର ତାଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିନାହିଁ ବୋଲି ଏହି ଅବସରରେ ସ୍ପଷ୍ଟ କରି ଦେଇଥିଲେ ସବିତା। ଭାରତୀୟ ଦଳ ପାଇଁ ପ୍ରୋ ଲିଗ୍ ମ୍ୟାଚ୍ ଢେର ମହତ୍ବ ରଖେ ବୋଲି କହିଥିଲେ ମୁଖ୍ୟ ପ୍ରଶିକ୍ଷକ ଜାନେକ ସ୍କପମ୍ୟାନ୍।

ସମ୍ବନ୍ଧିତ ଖବର