ଅଷ୍ଟ୍ରେଲିଆ, ଇଂଲଣ୍ଡ ସହ ଭାରତୀୟ ମହିଳା ଦଳର ଘରୋଇ ଟେଷ୍ଟ୍‌‌

୩ ବର୍ଷରେ ଖେଳାଯିବ ୩୦୧ ଅନ୍ତର୍ଜାତୀୟ ମ୍ୟାଚ୍‌

ଆସନ୍ତା ଋୁତ (୨୦୨୩-୨୪)ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଭାରତ ମହିଳା କ୍ରିକେଟ୍‌ ଦଳ ଘ‌ରୋଇ ଟେଷ୍ଟ୍‌ ଶୃଙ୍ଖଳା ଆୟୋଜନ କରିବ। ପ୍ରଥମ ଥର ଲାଗି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ମଙ୍ଗଳବାର ଘୋଷିତ ମହିଳା କ୍ରିକେଟ୍‌ ଲାଗି ଭବିଷ୍ୟତ ଗସ୍ତ କାର୍ଯ୍ୟକ୍ରମ (ଏଫ୍‌ଟିପି)ରେ ଏହା ସ୍ଥାନ ପାଇଛି। ଏହି ଏଫ୍‌ଟିପିର ଅବଧି ୩ ବର୍ଷ ୨୦୨୨ ମେ’ରୁ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ରହିଛି। ମୋଟ ଉପରେ ଏହି ୩ ବର୍ଷିୟା ଋତୁଚକ୍ର ମଧ୍ୟରେ ୩୦୧ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ। ଏଥିରେ ୭ ଟେଷ୍ଟ୍‌, ୧୩୫ ଏକଦିବସୀୟ ଓ ୧୫୯ ଟ୍ବେଣ୍ଟି-୨୦ ମହିଳା ମ୍ୟାଚ୍‌ ରହିଛି। ଏହି ଏଫ୍‌ଟିପି ମଧ୍ୟରେ ୫୦ ଓଭରିଆ ବିଶ୍ବକପ୍‌ ମଧ୍ୟ ଖେଳାଯିବ। ଏହି ଋତୁଚକ୍ରରେ ୧୦ ଦଳ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେ‌ଷ୍ଟ୍‌ଇଣ୍ଡିଜ୍‌ ୮ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳିବେ। ମୋଟ ୭ ଟେଷ୍ଟ୍‌‌ରୁ ଇଂଲଣ୍ଡ ସର୍ବାଧିକ ୫, ଅଷ୍ଟ୍ରେଲିଆ ୪, ଦକ୍ଷିଣ ଆଫ୍ରିକା ୩ ଏବଂ ଭାରତ ୨ ‌ମ୍ୟାଚ୍‌ ଖେଳିବ।

ଅନ୍ୟପକ୍ଷରେ ଏହି ୩ ବର୍ଷୀୟା ଋତୁଚକ୍ରରେ ଭାରତ ୨ ଟେ‌ଷ୍ଟ୍‌ ସହ ୨୭ ଦିନିକିଆ ଓ ୩୬ ଟ୍ବେଣ୍ଟି-୨୦ ଖେଳିବା ନେଇ ସୂଚୀ ରହିଛି। ଏହି ଋତୁଚକ୍ର ଚଳିତ ବର୍ଷ ମେ’ରୁ ଆରମ୍ଭ ହୋଇଥିବାରୁ ଭାରତ ଏପର୍ଯ୍ୟନ୍ତ ୩ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳି ସାରିଲାଣି। ୨୦୨୩-୨୪ରେ ଭାରତ ଗସ୍ତରେ ଅଷ୍ଟ୍ରେଲିଆ ଆସି ପୂର୍ଣ୍ଣାଙ୍ଗ (୧ ଟେଷ୍ଟ୍‌, ୩ ଦିନିକିଆ, ୩ ଟ୍ବେଣ୍ଟି-୨୦) ଶୃଙ୍ଖଳା ଖେଳିବ। ୨୦୨୫-୨୬ରେ ଅଷ୍ଟ୍ରେଲିଆ ଗସ୍ତ କରି ଭାରତ ଏହି ସମାନ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧିତ ଖବର