କୁଇନ୍ସଟାଉନ୍ : ଅଧିନାୟିକା ମିତାଲି ରାଜଙ୍କ କ୍ରମାଗତ ଅର୍ଦ୍ଧଶତକ ସତ୍ତ୍ବେ ଭାରତୀୟ ମହିଳା କ୍ରିକେଟ୍ ଦଳ ଚଳିତ ନ୍ୟୁଜିଲାଣ୍ଡ୍ ଗସ୍ତରେ ପରାଜୟ ଧାରା ଜାରି ରଖିଛି। ଏଥି ସହିତ ଏହି ଗସ୍ତରେ ଲଗାତାର ତୃତୀୟ ମ୍ୟାଚ୍ ହାରିଛି। ଏକମାତ୍ର ଟି-୨୦କୁ ୧୮ ରନ୍ରେ ହାରିଥିବା ଭାରତ ପ୍ରଥମ ଦିନିକିଆକୁ ୬୨ ରନ୍ରେ ହାରିଥିଲା। ମଙ୍ଗଳବାର ଦ୍ବିତୀୟ ଦିନିକିଆରେ ମଧ୍ୟ ପରାସ୍ତ ହୋଇଛି। ଏହି ମ୍ୟାଚ୍ରେ ଘରୋଇ ନ୍ୟୁଜିଲାଣ୍ଡ୍ ୩ ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଅପରାଜିତ ଶତକୀୟ ପାଳି ପାଇଁ ଆମେଲିଆ କେର୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଭାରତ ୫ ଟିକିଆ ଦିନିକିଆ ଶୃଙ୍ଖଳାରେ ୦-୨ରେ ପଛୁଆ ରହିଛି।
ମଙ୍ଗଳବାର ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଓପ୍ନର ସାବିନେନି ମେଘନା (୪୯, ୫୦ ବଲ୍, ୭ ଚୌକା) ଏବଂ ଶେଫାଳି ବର୍ମା (୨୪, ୩୮ ବଲ୍, ୧ ଚୌକା, ୧ ଛକା) ପ୍ରଥମ ୱିକେଟ୍ରେ ୬୧ ରନ୍ ଯୋଡ଼ିଥିଲେ। ୟାସ୍ତିକା ଭାଟିଆ (୩୧, ୩୮ ବଲ୍, ୪ ଚୌକା) ମଧ୍ୟ ଭଲ ସହଯୋଗ ଦେଇଥିଲେ। ତେବେ ୨୨ତମ ଓଭର ବେଳକୁ ଭାରତ ୧୧୧ ରନ୍ରେ ୩ ୱିକେଟ୍ ହରାଇ କିଛିଟା ସଂଘର୍ଷ କରିଥିଲା। ହେଲେ ପ୍ରଥମ ମ୍ୟାଚ୍ରେ ୫୯ ରନ୍ କରିଥିବା ଅଧିନାୟିକା ମିତାଲି (୬୬*, ୮୧ ବଲ୍, ୩ ଚୌକା) ଏବଂ ୱିକେଟ୍ରକ୍ଷିକା ରିଚା ଘୋଷ (୬୫, ୬୪ ବଲ୍, ୬ ଚୌକା, ୧ ଛକା) ନିଜ ନିଜର ଅର୍ଦ୍ଧଶତକ ପୂରଣ କରିବା ସହିତ ପଞ୍ଚମ ୱିକେଟ୍ରେ ୧୦୮ ରନ୍ ଯୋଡ଼ି ଦଳକୁ ଭଲ ସ୍ଥିତି ଦେଇଥିଲେ। ଦଳ ମଧ୍ୟ ୬ ୱିକେଟ୍ ବିନିମୟରେ ୨୭୦ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। ନ୍ୟୁଜିଲାଣ୍ଡ୍ ପକ୍ଷରୁ ସୋଫି ଦେବିନେ (୮୦-୪୨-୨) ସଫଳ ବୋଲର ରହିଥିଲେ।
ଜବାବରେ ଭାରତୀୟ ବୋଲରମାନେ ୫୩ ରନ୍ ମଧ୍ୟରେ ୩ ୱିକେଟ୍ ଝଡ଼ାଇ ବିଜୟ ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ଆମେଲିଆ କେର୍ (୧୧୯*, ୧୩୫ ବଲ୍, ୭ ଚୌକା) ଏବଂ ମାଡି ଗ୍ରିନ୍ (୫୨, ୬୧ ବଲ୍, ୫ ଚୌକା) ଚତୁର୍ଥ ୱିକେଟ୍ରେ ୧୨୮ ରନ୍ ଯୋଡ଼ି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଶେଷରେ ଦୁଇ ଭଉଣୀ ଆମେଲିଆ କେର୍ ଓ ଜେସ୍ କେର୍ (୬*, ୩ ବଲ୍, ୧ ଚୌକା) ନ୍ୟୁଜିଲାଣ୍ଡ୍କୁ ଗୋଟିଏ ଓଭର ପୂର୍ବରୁ ବିଜୟ ଭେଟି ଦେଇଥିଲେ। ଅଲ୍ରାଉଣ୍ଡର ଦୀପ୍ତି ଶର୍ମା (୧୦-୧-୫୨-୪) ପ୍ରଭାବୀ ବୋଲିଂ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍ ୪୯ତମ ଓଭରରେ ୨୭୩/୭ କରି ମ୍ୟାଚ୍ ଜିତି ନେଇଥିଲା।